ଅହମ୍ମଦାବାଦ, ୦୩/୦୫: ଚଳିତ ଆଇପିଏଲ୍ର ୪୬ତମ ଲିଗ୍ ମୁକାବିଲାରେ ଆଜି ଗୁଜରାଟ ଘରୋଇ ଗ୍ରାଉଣ୍ଡ୍ରେ ପଞ୍ଜାବକୁ ଭେଟିବ । ଶେଷ ୨ଟି ମ୍ୟାଚରେ ଯଥାକ୍ରମେ ଚେନ୍ନାଇ ଓ ବେଙ୍ଗାଲୁରୁକୁ ପରାସ୍ତ କରିଥିବା ଗୁଜରାଟ ବିଜୟଧାରା ଜାରି ରଖିବାକୁ ଉଦ୍ୟମ କରିବ । ଖାଲି ସେତିକି ନୁହେଁ, ମାସେ ତଳେ ଭୋଗିଥିବା ପରାଜୟର ପ୍ରତିଶୋଧ ନେବା ପାଇଁ ଗୁଜରାଟ ସବୁ ଶକ୍ତି ଘଟାଇବ । କ୍ରମାନ୍ୱୟରେ ପ୍ରଥମ ୬ଟି ମ୍ୟାଚ ଅପରାଜେୟ ରହିବା ପରେ ରାଜସ୍ଥାନ ଠାରୁ ପରାଜିତ ହୋଇଥିବା ପଞ୍ଜାବ ପୁଣି ଥରେ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ରହିଛି । ଫଳରେ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।
ଗତ ମାର୍ଚ୍ଚ ୩୧ ତାରିଖରେ ଉଭୟ ଦଳ ପରସ୍ପରକୁ ଭେଟିଥିଲେ ଓ ପଞ୍ଜାବ ୩ ୱିକେଟ୍ରେ ଉକ୍ତ ମ୍ୟାଚ ଜିତିଥିଲା । କୁପର କନ୍ନଲି ମ୍ୟାଚ ବିଜୟୀ ଇନିଂସ ଖେଳି ଆଇପିଏଲ୍ ପାଇଁ ପ୍ରସ୍ତୁତ ଥିବା ପ୍ରମାଣ କରିଥିଲେ । ବର୍ତ୍ତମାନ ସମୟ ବଦଳିଛି । ପଞ୍ଜାବ ସବୁଠୁ ଶକ୍ତିଶାଳୀ ଦଳ ରୂପେ ଉଭା ହୋଇଛି । ଅବଶ୍ୟ ରାଜସ୍ଥାନ ବିପକ୍ଷ ପରାଜୟ ପଞ୍ଜାବକୁ ତ୍ରୁଟି ସୁଧାରିବା ପାଇଁ ଏକ ସୁଯୋଗ ଆଣି ଦେଇଛି ।
ବିଳମ୍ବରେ ହେଉ ପଛେ ଗୁଜରାଟ ଲୟକୁ ଫେରିଥିଲେ ହେଁ ବ୍ୟାଟିଂ ବିଭାଗରେ ସନ୍ତୁଳନର ଆବଶ୍ୟକତା ରହିଛି । ପ୍ରଥମ ୩ବ୍ୟାଟରଙ୍କୁ ଛାଡ଼ିଦେଲେ ବାକି ସବୁ ରନ ପାଇଁ ସଂଘର୍ଷ କରୁଛନ୍ତି । ନିୟମିତ ଭାବେ ବିସ୍ଫୋରକ ବ୍ୟାଟିଂ କରି ବିଶାଳ ସ୍କୋର ସଂଗ୍ରହ କରୁଥିବା ପଞ୍ଜାବକୁ ହରାଇବାକୁ ହେଲେ ଗୁଜରାଟକୁ ଏହି ତ୍ରୁଟି ସୁଧାରିବାକୁ ହେବ । ଆଜି ଶୁଭମନ ଗିଲଙ୍କ ଉପରେ ନଜର ରହିବ । ଶେଷ ୨ଟି ମ୍ୟାଚରେ ସେ ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।
ଅଧିକ ପଢ଼ନ୍ତୁ :- ଭାରତ-ପାକ୍ ହ୍ୟାଣ୍ଡସେକ ବିବାଦ; ଟସ ପୂର୍ବରୁ ଜଣାଇଥିଲେ ମ୍ୟାଚ ରେଫରୀ: ସଲମାନ ଆଘା
ପଞ୍ଜାବ କିଙ୍ଗସ ଆଜି ଏକାଦଶରେ ପରିବର୍ତ୍ତନ କରିବ । ରାଜସ୍ଥାନ ମ୍ୟାଚ ଖେଳି ନଥିବା ଶଶାଙ୍କ ସିଂହ ଆଜି ଖେଳିବେ ଓ ସୂର୍ୟାଂଶ ସେଡଗେ ଏକାଦଶରୁ ବାଦ ପଡ଼ିବେ। ଏହି ମ୍ୟାଚ ପାଇଁ ପ୍ରସ୍ତୁତ କରାଯାଇଥିବା ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ଏହି ପିଚ୍ରେ ଗୋଟିଏ ମ୍ୟାଚ ଖେଳାଯାଇଥିଲା ଓ ମୁମ୍ବାଇ ୯୯ ରନ୍ରେ ଗୁଜରାଟକୁ ହରାଇଥିଲା । ଆଜି ଟସ ସେଭଳି ଗୁରୁତ୍ୱ ରଖିବ ନାହିଁ । ତଥାପି ରାତ୍ରିରେ କାକର ସମ୍ଭାବନା ରହିଥିବାରୁ ବ୍ୟାଟିଂ ସହଜ ହେବ ।
ସମ୍ଭାବ୍ୟ ଦଳ
ଗୁଜରାଟ: ଶୁଭମନ ଗିଲ୍(ଅଧିନାୟକ), ସାଇ ସୁଦର୍ଶନ, ଜୋସ ବଟଲର, ଜାସନ ହୋଲ୍ଡର, ଶାହରୁଖ ଖାନ, ୱାସିଂଟନ ସୁନ୍ଦର, ରାହୁଲ ତେୱାତିଆ, ଅର୍ସଦ ଖାନ, ରସିଦ ଖାନ, କାଗିସୋ ରାବାଡା, ମାନବ ସୂତାର, ମହମ୍ମଦ ସିରାଜ ।
ପଞ୍ଜାବ: ପ୍ରିୟାଂଶ ଆର୍ଯ୍ୟ, ପ୍ରଭସିମରନ ସିଂହ, କୁପର କନ୍ନଲି, ଶ୍ରେୟାସ ଆୟର(ଅଧିନାୟକ), ନେହାଲ ୱଧେରା, ମାର୍କସ ଷ୍ଟଇନିସ୍, ଶଶାଙ୍କ ସିଂହ, ମାର୍କୋ ଜାନସେନ, ହରପ୍ରୀତ ବ୍ରାର, ଲୋକି ଫର୍ଗୁସନ, ଅର୍ଶଦୀପ ସିଂହ, ୟୁଝବେନ୍ଦ୍ର ଚହଲ ।