ମୁମ୍ବାଇ,୨୫/୫: ଲଢ଼େଇ କଲା, ଘରୋଇ ମୁମ୍ବାଇ ଇଣ୍ଡିଆନ୍ସକୁ ଉଭୟ ବୋଲିଂ ଓ ବ୍ୟାଟିଂରେ ପଛରେ ପକାଇଲା, ଶେଷରେ ୩୦ ରନ୍‌ରେ ବିଜୟୀ ହେଲା ରାଜସ୍ଥାନ ରୟାଲ୍ସ । ଏହି ବିଜୟ ଦଳର ଚଳିତ ଆଇପିଏଲରେ ଟାଇଟଲ ଆଶାକୁ ଉଜ୍ଜୀବିତ ରଖିଛି । ଚତୁର୍ଥ ଦଳ ଭାବେ ପ୍ଲେ ଅଫ୍‌ରେ ପ୍ରବେଶ କରିଛି । ଆସନ୍ତା ୨୭ ତାରିଖରେ ହାଇଦ୍ରାବାଦ ଓ ରାଜସ୍ଥାନ ଏଲିମିନେଟର ଖେଳିବେ । ଏହି ମ୍ୟାଚର ବିଜେତା କ୍ୱାଲିଫାୟର-୨କୁ ଉନ୍ନୀତ ହେବେ ।

ଜୋଫ୍ରା ଆର୍ଚରଙ୍କ ଶ୍ରେଷ୍ଠ ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁ ରାଜସ୍ଥାନର ବିଜୟ ସହଜ ହୋଇପାରିଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭ୍ରମଣକାରୀ ଦଳ ୮ ୱିକେଟ୍‌ରେ ୨୦୫ ରନ କରିଥିଲା । ଆର୍ଚର ୧୫ ବଲରୁ ୩୨ ରନ୍ ରନ କରିଥିଲେ । ପୁଣି ଘାତକ ବୋଲିଂ କରି ସେ ଆରମ୍ଭରୁ ଘରୋଇ ଦଳର ବିପର୍ଯ୍ୟୟ ଘଟାଇଥିଲେ । ମାତ୍ର ୧୭ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ । ଫଳରେ ମୁମ୍ବାଇ ୯ ୱିକେଟ୍‌ରେ ୧୭୫ ରନ କରିଥିଲା । ଆର୍ଚର ଯେତିକି ରନ୍ କରିଥିଲେ, ତାହା ହିଁ ଘରୋଇ ଦଳ ଉପରେ ଭାରି ପଡ଼ିଥିଲା ।

ସୁପର ସନ୍‌ଡେର ପ୍ରଥମ ମ୍ୟାଚ ପରେ କୋଲକାତା ନାଇଟ୍ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ ରଙ୍ଗହୀନ ହୋଇ ପଡ଼ିଥିଲା । ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ଗୁଜରାଟ ଟାଇଟନ୍ସ ଏବଂ ହାଇଦ୍ରାବାଦ ସମାନ ୧୮ ପଏଣ୍ଟ ଲେଖାଏଁ ପାଇଥିଲେ ବି ନେଟ୍ରନ ରେଟ୍ ଅନୁସାରେ ପ୍ରଥମରୁ ତୃତୀୟ ସ୍ଥାନରେ ରହିଥିଲେ । ଚତୁର୍ଥ ସ୍ଥାନ ଖାଲି ରହିଥିଲା । ଯାହାକୁ ରାଜସ୍ଥାନ କବ୍ଜା କରିଛି । ଆସନ୍ତା ୨୬ରେ କ୍ୱାଲିଫାୟର-୧ ଲଢ଼େଇ ବେଙ୍ଗାଲୁରୁ ଓ ଗୁଜରାଟ ମଧ୍ୟରେ ଖେଳାଯିବ । ଏଥର ଆଇପିଏଲରେ ଲକ୍ଷ୍ନୌ  ୮ ପଏଣ୍ଟ ସହ ଦଶମ ଏବଂ ମୁମ୍ବାଇ ସମାନ ପଏଣ୍ଟ ପାଇ ନବମ ସ୍ଥାନରେ ରହି ଅଭିଯାନ ଶେଷ କରିଛି । 

ରାଜସ୍ଥାନ ୮/୨୦୫

ପ୍ରକୃତରେ ମୁମ୍ବାଇ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେବା ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହେଲା । ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ଆରମ୍ଭରୁ ବିପର୍ଯ୍ୟୟର (୩/୫୪) ସମ୍ମୁଖୀନ ହୋଇଥିଲା । ଯଶସ୍ୱୀ ଜୈସ୍ୱାଲ ୨୭, ବୈଭବ ସୂର୍ଯ୍ୟବଂଶୀ ୪ ରନ କରି ଫେରିଥିଲେ । ଧ୍ରୁବ ଜୁରେଲ ୩୮ ରନ କରିଥିବାବେଳେ ଅଧିନାୟକ ରିୟାନ ପରାଗ ୧୪ ରନ୍ରେ ୱିକେଟ୍ ହରାଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଦଳୀୟ ଯୋଗଦାନ ଦ୍ୱାରା ହିଁ ରାଜସ୍ଥାନ ଦୁଇ ଶହ ଅତିକ୍ରମ କରିପାରିଥିଲା । ପ୍ରାରମ୍ଭରୁ ମୁମ୍ବାଇର ବୋଲିଂ ଯେମିତି ଥିଲା ତାହା ଶେଷ ଭାଗକୁ ମଳିନ ପଡ଼ିଯାଇଥିଲା । ଫଳରେ ଡାସୁନ ଶଣକା ୨୯, ଡୋନୋଭାନ ଫେରେରା ୧୮, ଜୋଫ୍ରା ଆର୍ଚର ୩୨ ଓ ରବିନ୍ଦ୍ର ଜାଡେଜା ୧୯ ରନ କରିବାରୁ ରାଜସ୍ଥାନ ଘରୋଇ ଦଳ ସାମ୍ନାରେ ୨୦୬ ରନର ଟାର୍ଗେଟ ଧାର୍ଯ୍ୟ କରିପାରିଥିଲା ।

ଅଧିକ ପଢ଼ନ୍ତୁ:-  IPL 2026: ପରାଜୟରୁ ଆରମ୍ଭ, ପରାଜୟରେ ଶେଷ KKRର ଯାତ୍ରା: ୪୦ ରନରେ ଜିତିଲା ଦିଲ୍ଲୀ

 ଫେଲ ମାରିଲେ ବ୍ୟାଟର

ଟାର୍ଗେଟ ସେମିତି ବଡ଼ ନଥିଲା । ତଥାପି ଆରମ୍ଭରୁ ଆର୍ଚର ଯେଉଁଭଳି ରୋହିତ ଶର୍ମାଙ୍କୁ ଅଡ଼ୁଆରେ ପକାଇଥିଲେ, ଶେଷରେ ସେ ୱିକେଟ୍ ଟେକି ଦେବାକୁ ବାଧ୍ୟ ହୋଇଥିଲେ । ପରେ ରିୟାନ ରିକେଲଟନ ୧୨ ଓ ନମନ ଧୀର ୬ ରନ୍ କରି ଫେରିଗଲେ । ପ୍ରାରମ୍ଭିକ ବିପର୍ଯ୍ୟୟ (୪/୩୮) ଘରୋଇ ଦଳକୁ ଦୁର୍ବଳ କରିଦେଇଥିଲା । ମଧ୍ୟଭାଗରେ ସୂର୍ଯ୍ୟକୁମାର ଯାଦବ ଯଦିଓ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । କିନ୍ତୁ ତାହା ଦଳକୁ ଜିତାଇବାରେ ଯଥେଷ୍ଟ ନଥିଲା । ୬୦ ରନ କରି ଫେରିଥିଲେ । ୱିଲ ଜ୍ୟାକ୍ସ (୩୩) ଓ ହାର୍ଦ୍ଦିକ ପାଣ୍ଡ୍ୟା (୩୪) ଜମି ରହିଥିଲେ ବି ଅଧିକ ସମୟ ତିଷ୍ଠିପାରି ନଥିଲେ । ମୁମ୍ବାଇ ଶେଷରେ ୯/୧୭୫ ରନ୍ରେ ସୀମିତ ରହିଥିଲା । ଆର୍ଚର ୩ ଏବଂ ନାନ୍ଦ୍ରେ ବର୍ଗର, ବ୍ରିଜେଶ ଶର୍ମା ଓ ୟଶ ରାଜ ପୁଞ୍ଜା ୨ଟି କରି ୱିକେଟ୍ ନେଇଥିଲେ । ମ୍ୟାଚ ବିଜୟରେ ପ୍ରମୁଖ ଭୂମିକା ନିର୍ବାହ କରିଥିବାରୁ ଆର୍ଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।