ନୂଆଦିଲ୍ଲୀ,୧୮/୦୩; ଇଣ୍ଡିଆନ ପ୍ରିମିୟର ଲିଗର (ଆଇପିଏଲ) ୧୯ତମ ସଂସ୍କରଣ ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବ । ସବୁ ଦଳ ଶିବିର ସଜାଡ଼ିବାରେ ଲାଗି ପଡ଼ିଛନ୍ତି । ଅଭ୍ୟାସ ଚାଲିଛି, ରଣନୀତି ପ୍ରସ୍ତୁତ ହେଉଛି । ସିଜନରେ ପ୍ରତ୍ୟେକ ଦଳ ନିଜ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଲକ୍ଷ୍ୟ ରଖିଛନ୍ତି । ମଝିରେ ଆଉ ୨ ସପ୍ତାହରୁ କମ୍ ସମୟ । କିନ୍ତୁ ଏହାରି ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସର ଅଭ୍ୟାସ ଦେଖି ଅନ୍ୟ ଦଳମାନଙ୍କର ଛାତିରେ ଛନକା ପସିଲାଣି । ଏହାର ମୁଖ୍ୟ କାରଣ ସାଜିଛନ୍ତି ହିଟ୍ମ୍ୟାନ ରୋହିତ ଶର୍ମା । ରୋହିତ ମୁମ୍ବାଇ ଇଣ୍ଡିଆନ୍ସର ଶିବିରରେ ଯୋଗ ଦେବା ପରେ ତାଙ୍କ ଅଭ୍ୟାସ ଦେଖି ପ୍ରଶଂସକ ବେଶ ପ୍ରଭାବିତ ହୋଇଛନ୍ତି । ବିଶେଷ କରି ଅଭ୍ୟାସରେ ସେ ଯେଉଁଭଳି ବ୍ୟାଟିଂ କରୁଛନ୍ତି ତାହା ବିପକ୍ଷ ଦଳ ଗୁଡ଼ିକ ପାଇଁ ଚିନ୍ତାରକାରଣ ପାଲଟିଛି ।
The banter between Rohit Sharma and Shardul Thakur - Lord Vs Shana. 😂🔥 pic.twitter.com/FACOnQFkSU
— Mufaddal Vohra (@mufaddal_vohra) March 17, 2026
ସର୍ଦୁଲ ଠାକୁର ତାଙ୍କୁ ବୋଲିଂ କରୁଥିଲେ । ମିଡିଲ ଷ୍ଟମ୍ପରେ ଏକ ଲେଙ୍ଗଥ୍ ବଲକୁ ରୋହିତ ଲଙ୍ଗ ଅନ ଉପରେ ବିଶାଳ ଛକା ମାରିଥିଲେ । ବାସ, ଏତିକିରେ ହିଁ ଅନ୍ୟମାନେ ଛାନିଆ । ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଟି-ଟ୍ୱେଣ୍ଟିରୁ ସନ୍ନ୍ୟାସ ନେଇ ସାରିଥିବାରୁ ଏଥର ବିଶ୍ୱକପ୍ରେ ନଥିଲେ ରୋହିତ । ତେଣୁ ଗତ ଦିନିକିଆ ସିରିଜ ପରେ ବେଶ କିଛି ଦିନ ବିଶ୍ରାମ ପାଇଥିଲେ । ବିଶ୍ୱକପ୍ର ମଜା ନେବା ସହ ମାଳଦ୍ୱୀପ ଠାରୁ ବିଭିନ୍ନ ସ୍ଥାନ ବୁଲା ବୁଲି କରିଥିଲେ । ରୋହିତ ପୂରା ସତେଜ ଓ ଫିଟ୍ ରହିଛନ୍ତି ।
ମୁମ୍ବାଇକୁ ଜିତାଇଛନ୍ତି ୫ ଟାଇଟଲ- ଆଇପିଏଲରେ ରୋହିତ ସର୍ବାଧିକ ୬ ଥର ଟାଇଟଲ ଜିତିଛନ୍ତି । ତାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ୫ ଥର ଚାମ୍ପିଅନ ହୋଇଛି । ଡେକାନ ଚାର୍ଜର୍ସ ସହ ଥରେ ଟାଇଟଲ ଜିତିଥିଲେ । ଆଇପିଏଲ ଇତିହାସରେ ରୋହିତ ପ୍ରଭାବଶାଳୀ ଅଧିନାୟକଙ୍କ ମଧ୍ୟରେ ଅନ୍ୟତମ । ମୁମ୍ବାଇ ଇଣ୍ଡିଆନ୍ସ ଶେଷ ଥର ୨୦୨୦ରେ ଚାମ୍ପିଅନ ହୋଇଥିଲା । ଏହାପୂର୍ବରୁ ୨୦୧୯, ୨୦୧୭, ୨୦୧୫ ଓ ୨୦୧୩ ଟାଇଟଲ ଜିତିଥିଲା । ଇତିମଧ୍ୟରେ ୫ଟି ସଂସ୍କରଣ ଶେଷ ହୋଇଛି । କିନ୍ତୁ ମୁମ୍ବାଇ ଆଉ ଫାଇନାଲକୁ ଉନ୍ନୀତ ହୋଇ ପାରି ନାହିଁ । ପୂର୍ବ ସଂସ୍କରଣ ଓ ୨୦୨୩ରେ ଦଳ ପ୍ଲେ ଅଫ୍ ଖେଳିଥିଲା । ନଚେତ ଅନ୍ୟ ୩ ସଂସ୍କରଣରେ ଲିଗ ପର୍ଯ୍ୟାୟରୁ ବିଦାୟ ନେଇଥିଲା । ଯାହା ପ୍ରଶଂସକଙ୍କୁ ବେଶ ଦୁଃଖ ଦେଇଥିଲା । ରୋହିତ ଏବେ ଅଧିନାୟକ ନାହାନ୍ତି । ଦଳକୁ ୫ ଥର ଚାମ୍ପିଅନ କରାଇଥିଲେ ବି ଟିମ୍ ମ୍ୟାନେଜମେଣ୍ଟ ତାଙ୍କ ନେତୃତ୍ୱକୁ ଭରସା କରିନଥିଲା । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆଣି ନେତୃତ୍ୱ ପ୍ରଦାନ କରିଥିଲା । ହେଲେ ଦଳ ଏ ପର୍ଯ୍ୟନ୍ତ ତାଙ୍କ ନେତୃତ୍ୱରେ ଭଲ କରିପାରି ନାହିଁ ।
ରୋହିତ ଶର୍ମାଙ୍କ ଆଇପିଏଲ କ୍ୟାରିୟର
୨୦୨୧: ୧୩ ମ୍ୟାଚ, ୩୮୧ ରନ
୨୦୨୨: ୧୪ ମ୍ୟାଚ, ୨୬୮ ରନ
୨୦୨୩: ୧୬ ମ୍ୟାଚ, ୩୩୨ ରନ
୨୦୨୪: ୧୪ ମ୍ୟାଚ, ୪୧୭ ରନ
୨୦୨୫: ୧୫ ମ୍ୟାଚ, ୪୧୮ ରନ୍
ସିଜନରେ ପ୍ରଦର୍ଶନ
ଷ୍ଟ୍ରାଇକ ରେଟ୍: ୧୩୨.୦୯
ଆଭରେଜ: ୨୯.୭୩
ସର୍ବାଧିକ ସ୍କୋର: ଅପରାଜିତ ୧୦୯
ଶତକ: ୨
ଅର୍ଦ୍ଧଶତକ: ୪୭
ରନ୍: ୭୦୪୬
ମ୍ୟାଚ: ୨୭୨