ମୁମ୍ବାଇ,୨୯/୦୩ ଚଳିତ ଆଇପିଏଲ୍ରେ ଆଜି ୫ ଥର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଘରୋଇ ଗ୍ରାଉଣ୍ଡ୍ରେ କୋଲକାତା ନାଇଟ ରାଇଡର୍ସକୁ ଭେଟିବ । ସର୍ବଦା ପ୍ରାରମ୍ଭରୁ ମନ୍ଥର ଆରମ୍ଭ କରୁଥିବା ମୁମ୍ବାଇ ଇଣ୍ଡିଆନ୍ସ ଏଥର ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି । ନାଇଟ ରାଇଡର୍ସ ପୂର୍ବ ବର୍ଷର ପରାଜୟର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ରହିଛି । ଫଳରେ ଆଜି ଏକ ରୋମରାଞ୍ଚକର ମୁକାବିଲା ଦେଖିବାକୁ ମିଳିବ । ଉଭୟ ଦଳରେ ଏକାଧିକ ମୁମ୍ବାଇ ପକ୍ଷରୁ ଘରୋଇ କ୍ରିକେଟ୍ ଖେଳୁଥିବା ଖେଳାଳି ରହିଥିବାରୁ ୱାଙ୍ଖଡ଼େ ଷ୍ଟାଡ଼ିୟମରେ ଉଭୟ ଦଳକୁ ଜବରଦସ୍ତ ସମର୍ଥନ ମିଳିବ । ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ଅଜିଙ୍କ୍ୟ ରାହାଣେ, ଅଙ୍ଗକ୍ରୀଶ ରଘୁବଂଶୀଙ୍କ ଭଳି ମୁମ୍ବାଇ ଖେଳାଳିମାନେଖେଳିବା ନିଶ୍ଚିତ ।
ପୂର୍ବ ରେକର୍ଡ ସବୁ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରେ ରହିଥିଲେ ହେଁ ନାଇଟ୍ ରାଇଡର୍ସ ନିକଟରେ ଚାମ୍ପିଅନ୍ ହେବାର ଉପଯୁକ୍ତ କ୍ଷମତା ରହିଛି । ଏଥର ଆନ୍ଦ୍ରେ ରସେଲ, ଭେଙ୍କଟେଶ ଆୟରଙ୍କ ଭଳି ଖେଳାଳି ନଥିଲେ ମଧ୍ୟ ନାଇଟ୍ ରାଇଡର୍ସ ପୂର୍ବାପେକ୍ଷା ଅଧିକ ସନ୍ତୁଳିତ ମନେ ହେଉଛି । ଆଇପିଏଲ୍ରେ ଉଭୟ ଦଳ ପରସ୍ପରକୁ ୩୫ ଥର ଭେଟିଛନ୍ତି । ଏଥିରୁ ମୁମ୍ବାଇ ଇଣ୍ଡିଆନ୍ସ ୨୪ଟି ମ୍ୟାଚ ଜିତିଥିବାବେଳେ ନାଇଟ୍ ରାଇଡର୍ସ ୧୧ଟି ମ୍ୟାଚରେ ବିଜୟୀ ହୋଇଛି । ୨୦୨୪ ସିଜନରେ ନାଇଟ୍ ରାଇଡର୍ସ ୨ଟି ଯାକ ଲିଗ୍ ମ୍ୟାଚ ଜିତିଥିଲା । ମାତ୍ର ସେତେବେଳେ ଶ୍ରେୟାସ ଆୟର ଦଳର ଅଧିନାୟକ ରହିଥିଲେ । ସେହିବର୍ଷ ନାଇଟ୍ ରାଇଡର୍ସ ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିଲା ।
ତାରକା ଖଚିତ ମୁମ୍ବାଇ ଇଣ୍ଡିଆନ୍ସ ଦଳ ଉପରେ ଦର୍ଶକଙ୍କ ନଜର ରହିବା ସ୍ୱାଭାବିକ । ମାତ୍ର ନାଇଟ୍ ରାଇଡର୍ସର ଏକାଦଶ ଚୟନକୁ ନେଇ ଉତ୍ସୁକତା ଲାଗି ରହିବ । ଏଥର ନାଇଟ ରାଇଡର୍ସ ନ୍ୟୁଜିଲାଣ୍ଡର ଦୁଇ ଓପନର ଫିନ ଆଲେନ ଓ ଟିମ ସାଇଫର୍ଟଙ୍କୁ କିଣିଛି । ଉଭୟ ଗତ ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଦମଦାର ବ୍ୟାଟିଂ କରିଥିଲେ । ମାତ୍ର ନାଇଟ୍ ରାଇଡର୍ସ ସର୍ବଦା ସୁନୀଲ ନାରାଏନଙ୍କୁ ଓପନର ଭାବେ ଖେଳାଇ ଆସିଛି । ରାହାଣେ ଓ ରଘୁବଂଶୀ ମଧ୍ୟ ଓପନର ଭାବେ ଖେଳନ୍ତି । ତେଣୁ ଆଜି କେଉଁ ଦୁଇ ଖେଳାଳି ଓପନର ଭାବେ ଓହ୍ଲାଇବେ ତାହା ଦେଖିବାକୁ ଦର୍ଶକ ଅପେକ୍ଷା କରିବେ ।
ଅଧିକ ପଢ଼ନ୍ତୁ :-ଯେଉଁଠି ଶେଷ, ସେଇଠୁ ଆରମ୍ଭ: ହାଇଦ୍ରାବାଦକୁ ହରାଇ ଉଦଘାଟନୀ ମ୍ୟାଚ୍ ଜିତିଲା RCB
ରୋହିତ ଶର୍ମା ମୁଖ୍ୟ ଆକର୍ଷଣ ସାଜିବେ । ସେ ୧୫କିଲୋ ଓଜନ କମାଇ ଯୁବ ଖେଳାଳିଙ୍କ ଭଳି ଫିଟ୍ ଦେଖା ଯାଉଛନ୍ତି । ଆଗାମୀ ଦିନିକିଆ ବିଶ୍ୱକପ୍ ଖେଳିବା ପାଇଁ ଆଶାବାଦୀ ଥିବା ରୋହିତଙ୍କ ବ୍ୟାଟ୍ରୁ ବଡ଼ ଇନିଂସ ଦେଖିବାକୁ ଦର୍ଶକ ଆଶା ବାନ୍ଧିଛନ୍ତି । ଆଜି ରୋହିତ ଓ ନାରାଏନଙ୍କ ମଧ୍ୟରେ ଏକ ଲଢ଼େଇ ହେବା ଆଶା କରାଯାଉଛି । ରୋହିତଙ୍କ ବିପକ୍ଷରେ ନାରାଏନଙ୍କ ରେକର୍ଡ ବେଶ୍ ଉନ୍ନତ ରହିଛି । ସେ ଆଇପିଏଲରେ ରୋହିତଙ୍କୁ ୧୦ଥର ଆଉଟ୍ କରିସାରିଛନ୍ତି ।
ୱାଙ୍ଖଡ଼େ ଷ୍ଟାଡ଼ିୟମର ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିଥିଲେ ହେଁ ସନ୍ଧ୍ୟାରେ ପେସ୍ ବୋଲରମାନେ ପିଚର ଫାଇଦା ଉଠାଇବାର ରେକର୍ଡ ରହିଛି । ନାଲି ମାଟିର ପିଚ୍ ଅତିରିକ୍ତ ବାଉନ୍ସ ହେଉଥିବାବେଳେ ସନ୍ଧ୍ୟାରେ ସମୁଦ୍ର ପଟୁ ବହୁଥିବା ପବନରେ ନୂଆ ବଲ୍ ସୁଇଂ ହୋଇଥାଏ । ତଥାପି ଏଠାରେ ସତର୍କତାର ସହ ଖେଳିଲେ ବିଶାଳ ସ୍କୋର ସମ୍ଭବ । ଟସ ବିଜୟୀ ଦଳ ସନ୍ଧ୍ୟା ସମୟର ଫାଇଦା ଉଠାଇବା ପାଇଁ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।
ସମ୍ଭାବ୍ୟ ଏକାଦଶ:
ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା, କ୍ୱିଣ୍ଟନ ଡି କକ/ର୍ୟାନ ରିକେଲଟନ, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ନମନ ଧିର, ସେରଫାନ ରଦରଫୋର୍ଡ, ଦୀପକ ଚହର, ଆଲ୍ଲା ଗଜନଫର, ଯଶପ୍ରୀତ ବୁମରା, ଅଶ୍ୱନୀ କୁମାର, ଟ୍ରେଣ୍ଟ ବୋଲ୍ଟ ।
କୋଲକାତା ନାଇଟ୍ ରାଇଡର୍ସ: ଫିନ ଆଲେନ, ଅଜିଙ୍କ୍ୟ ରାହାଣେ (ଅଧିନାୟକ), ଅଙ୍ଗକ୍ରୀଶ ରଘୁବଂଶୀ, କାମେରନ ଗ୍ରୀନ, ରିଙ୍କୁ ସିଂହ, ଅନୁକୂଳ ରୟ, ରମଣଦୀପ ସିଂହ, ସୁନୀଲ ନରାଏନ, ବୈଭବ ଆରୋରା, ବରୁଣ ଚକ୍ରବର୍ତ୍ତୀ, ବ୍ଲେସିଂ ମୁଜରବାନି, ଉମ୍ରାନ ମଲ୍ଲିକ/କାର୍ତ୍ତିକ ତ୍ୟାଗୀ ।