ନୂଆଦିଲ୍ଲୀ,୧୭/୦୩; ଭାରତର ଯୁବ ବ୍ୟାଟିଂ ବିସ୍ମୟ ବୈଭବ ସୂର୍ଯ୍ୟବଂଶୀ ଅନେକ ରେକର୍ଡ ଭାଙ୍ଗିବେ ବୋଲି ବହୁ ପୂର୍ବତନ ଖେଳାଳି ମତ ଦେଇଛନ୍ତି । ମାତ୍ର ସେ ଏକମାତ୍ର ରେକର୍ଡ ଭାଙ୍ଗିବାକୁ ଆଶା ରଖିଛନ୍ତି । ତାହା ହେଉଛି ୱେଷ୍ଟଇଣ୍ଡିଜ ବ୍ୟାଟର କ୍ରିସ ଗେଲଙ୍କ ନାମରେ ରହିଥିବା ସର୍ବାଧିକ ରନ୍ ରେକର୍ଡ । ୨୦୧୩ ମସିହାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ଖେଳୁଥିବା ଗେଲ୍ ପୁନେ ୱାରିୟର୍ସ ବିପକ୍ଷରେ ୬୬ଟି ବଲ୍ରେ ୧୭୫ ରନ୍ ସଂଗ୍ରହ କରିଥିଲେ । କେବଳ ଆଇପିଏଲ୍ ନୁହେଁ, ଟି-ଟ୍ୱେଣ୍ଟି ଫର୍ମାଟ୍ରେ ଏହା ସର୍ବବୃହତ୍ ବ୍ୟକ୍ତିଗତ ସ୍କୋର ରେକର୍ଡ ।
ବିସିସିଆଇର ବାର୍ଷିକ ପୁରସ୍କାର ଉତ୍ସବ ଅବସରରେ ହର୍ଷ ଭୋଗଲେଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ବୈଭବ କହିଥିଲେ, ‘ମୋର ଲକ୍ଷ୍ୟ, ମୋ’ ଦଳକୁ ଆଇପିଏଲ୍ ଚାମ୍ପିଅନ୍ କରାଇବା । ହେଲେ କୌଣସି ଏକ ରେକର୍ଡ ଭାଙ୍ଗିବାର ସୁଯୋଗ ମିଳିଲେ, ମୁଁ ଗେଲ୍ଙ୍କ ନାମରେ ରହିଥିବା ସର୍ବାଧିକ ରନ୍ ରେକର୍ଡ ଭାଙ୍ଗିବାକୁ ପସନ୍ଦ କରିବି ।’ ବୈଭବ ଏପର୍ଯ୍ୟନ୍ତ ୧୫ ବର୍ଷ ଅତିକ୍ରମ କରି ନାହାନ୍ତି । ତଥାପି ତାଙ୍କ ନାମରେ ଅନେକ ରେକର୍ଡ ସ୍ଥାପନ ହୋଇ ସାରିଛି । ଗତ ବର୍ଷ ସେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ମାତ୍ର ୩୫ଟି ବଲ୍ରେ ଶତକ ଅର୍ଜନ କରିଥିଲେ । ଆଇପିଏଲ୍ ଇତିହାସରେ ଏହା ଦ୍ୱିତୀୟ ଦ୍ରୁତତମ ଶତକ ରହିଥିଲା । ଗେଲ୍ଙ୍କ ନାମରେ ଦ୍ରୁତତମ ଶତକ ରେକର୍ଡ ରହିଛି । ସେ ୩୦ଟି ବଲରୁ ଶତକ ପୂରଣ କରିଥିଲେ । ଅନ୍ତର୍ଜାତୀୟ କ୍ରିକେଟ୍ରେ ସର୍ବାଧିକ ସ୍କୋର ରେକର୍ଡ ଅଷ୍ଟ୍ରେଲିଆର ଆରନ ଫିଞ୍ଚଙ୍କ ନାମରେ ରହିଛି । ସେ ୨୦୧୮ରେ ଜିମ୍ବାୱେ ବିପକ୍ଷରେ ୧୭୨ ରନ ସଂଗ୍ରହ କରିଥିଲେ ।
ଏହା ବି ପଢନ୍ତୁ...ମିଳିଲା ଅନୁମତି, ରୟାଲ୍ ଚ୍ୟାଲେଞ୍ଜର୍ସର ଘରୋଇ ଗ୍ରାଉଣ୍ଡ ଚିନ୍ନାସ୍ୱାମୀ ଆୟୋଜନ କରିବ ଆଇପିଏଲ୍
କହି ରଖୁଛି କି, ୧୯ ବର୍ଷରୁ କମ୍ ବିଶ୍ୱକପରେ ବୈଭବ ବିସ୍ଫୋରଣ ଦେଖିବାକୁ ମିଳିଥିଲା । ୧୭୫ରନର ଧୂଆଁଧାର ବ୍ୟାଟିଂ କରିଥିଲେ ବୈଭବ । ଭାରତ ବିଶ୍ୱ ବିଜୟୀ ହୋଇଥିଲା । ଆଇପିଏଲ ୨୦୧୩ରେ ଗେଲ୍ ଆରସିବି ବିପକ୍ଷରେ ୧୭୫ରନର ଇନିଂସ ଖେଳିଥିଲେ । ଏହା ସହିତ ରାଜସ୍ଥାନ ପାଇଁ ଦ୍ୱିତୀୟ ଆଇପିଏଲ ଟାଇଟଲ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି ବୈଭବ ।