ବେଙ୍ଗାଲୁର,୨।୧୨: କାର୍ଯ୍ୟରେ ଯୋଗଦେବାର ଥିଲା ପ୍ରଥମ ଦିନ। ହେଲେ ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଥିଲା ଆଇପିଏସ୍ ଅଧିକାରୀଙ୍କ ଜୀବନ। କର୍ଣ୍ଣାଟକରୁ ଆସିଛି ଏଭଳି ଏକ ଦୁଃଖଦ ଘଟଣା ଘଟିଛି। ଚାକିରିର ପ୍ରଥମ ଦିନରେ ରାଜ୍ୟ କ୍ୟାଡରର ଜଣେ IPS ଅଧିକାରୀଙ୍କ ହୋଇଛି ମୃତ୍ୟୁ । ସୋମବାର ସେ ତାଙ୍କ  କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିବା ବେଳେ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ଜୀବନ। ମୃତକ ଜଣକ ହେଉଛନ୍ତି ଯୁବ ଆଇପିଏସ୍ ଅଫିସର ହର୍ଷ ବର୍ଦ୍ଧନ (୨୬)। ସେ କର୍ଣ୍ଣାଟକ କ୍ୟାଡରର ୨୦୨୩ ବ୍ୟାଚ୍‌ର ଆଇପିଏସ୍ ଅଫିସର ଥିଲେ।

ମିଳିଥିବା ସୂଚନା ଅନୁସାରେ   ମୃତ ଆଇପିଏସ୍‌ ଅଧିକାରୀଙ୍କ ଘର ମଧ୍ୟ ପ୍ରଦେଶରେ। ମାସେ ତଳେ ମୈସୁରରେ ଟ୍ରେନିଂ ସରିବା ପରେ ସୋମବାର ଥିଲା ତାଙ୍କର ପ୍ରଥମ ପୋଷ୍ଟିଂ।ହେଲେ ପ୍ରଥମ ଦିନରେ ତାଙ୍କର ଏଭଳି ମୃତ୍ୟୁ ସମସ୍ତଙ୍କୁ ବ୍ୟଥିତ କରିଛି।କାର୍ଯ୍ୟରେ ଯୋଗଦେବା ପାଇଁ ପୋଲିସ ଗାଡିରେ  ଯାଉଥିଲେ। ହେଲେ ଟାୟାର ଫାଟିଯିବାରୁ ଡ୍ରାଇଭର ନିୟନ୍ତ୍ରଣ ହରାଇ ଏକ ଗଛରେ ଗାଡିକୁ  ପିଟି  ଦେଇଥିଲେ।ହର୍ଷ ବର୍ଦ୍ଧନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଅନ୍ୟପଟେ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି।କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ହର୍ଷ ବର୍ଦ୍ଧନଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।