ନୂଆଦିଲ୍ଲୀ, ୧୫/୦୧ : ମଧ୍ୟପ୍ରାଚ୍ୟରେ ଅସ୍ଥିର ସ୍ଥିତି। ବଡ଼ ଯୁଦ୍ଧ ମୁହାଁ ଇରାନ-ଆମେରିକା। ବାୟୁସୀମା ବନ୍ଦ କଲା ଇରାନ। ଅନ୍ତରାଷ୍ଟ୍ରୀୟ ବିମାନ ସେବା ପ୍ରଭାବିତ, ଉଡାଣ ରଦ୍ଦ। ଆଡଭାଇଜରି ଜାରି କଲେ ଏୟାର ଇଣ୍ଡିଆ ଓ ଇଣ୍ଡିଗୋ। ଇରାନ ଆକାଶ ପଥ ବନ୍ଦ କରିବା ପରେ ଏୟାର ଇଣ୍ଡିଆ ଗୁରୁବାର ଟ୍ରାଭେଲ୍ ଆଡଭାଇଜରି କାରି କରିଛି। ବିକଳ୍ପ ରୁଟ୍ ବାଛିବାକୁ ସମ୍ଭାବିତ ବିଳମ୍ଵ ପାଇଁ ଯାତ୍ରୀମାନଙ୍କୁ ସତର୍କ କରିଛି।
ଏୟାର ଇଣ୍ଡିଆ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏନେଇ ପୋଷ୍ଟ କରିଛି। ଏୟାରଲାଇନ୍ ଲେଖିଛି ଯେ, ଇରାନ ତାର ବାୟୁସୀମା ବନ୍ଦ କରିଥିବାରୁ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେହି ରୁଟ୍ ଦେଇ ଯାଉଥିବା ଏୟାର ଇଣ୍ଡିଆର ବିମାନ ଗତିପଥ ପରିବର୍ତ୍ତନ କରିବ। ଏଥିପାଇଁ ବିକଳ୍ପ ରୁଟ୍ ଖୋଜା ଯାଉଛି। ଯେଉଁ ଉଡାଣ ପାଇଁ ମାର୍ଗ ପରିବର୍ତ୍ତନ ସମ୍ଭବ ନୁହେଁ ସେହି ଫାଇଟ୍ କ୍ୟାନସଲ୍ କରାଯିବ। ତେଣୁ ବିମାନବନ୍ଦରକୁ ଆସିବା ପୂର୍ବରୁ ଯାତ୍ରୀମାନେ ଫ୍ଲାଇଟ୍ ଷ୍ଟାଟସ୍ ଚେକ୍ କରି ଆସନ୍ତୁ। ଏହି ଅପ୍ରତ୍ୟାଶିତ କାରଣରୁ ଯାତ୍ରୀମାନଙ୍କୁ ହେଉଥିବା ଅସୁବିଧା ପାଇଁ ଏୟାର ଇଣ୍ଡିଆ ଦୁଃଖିତ। ଯାତ୍ରୀ ଏବଂ କ୍ର୍ୟୁ ସଦସ୍ୟଙ୍କ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା। ସେହିପରି ଇଣ୍ଡିଗୋ ମଧ୍ୟ ଆଡଭାଇଜରି ଜାରି କରି ଯାତ୍ରୀମାନଙ୍କୁ ସତର୍କ କରିଛି। ଏହି ସ୍ଥିତି ତାଙ୍କ ନିୟନ୍ତ୍ରଣରୁ ବାହାରେ ବୋଲି ଏୟାରଲାଇନ୍ ସ୍ପଷ୍ଟ କରିଛି। ଏହା ସହ ପ୍ରଭାବିତ ଯାତ୍ରୀଙ୍କୁ ଇଣ୍ଡିଗୋ ୱେବସାଇଟ୍ କୁ ଯାଇ ରିବୁକିଂ କରିବାକୁ ପରାମର୍ଶ ଦିଆଯାଇଛି।
ସୂଚନା ଅନୁଯାୟୀ, ଆମେରିକାର ଆକ୍ରମଣ ଆଶଙ୍କାରେ ଇରାନ ତାର ବାୟୁ ସୀମା ବନ୍ଦ କରିଛି। ଏହି ପ୍ରତିବନ୍ଧକ ସନ୍ଧ୍ୟା ସାଢେ ୭ଟା ଯାଏଁ ଲାଗୁ ରହିବ। ସ୍ଥିତିକୁ ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।
ଏହି ଖବରଟିକୁ ପଢନ୍ତୁ- ମଧ୍ୟପ୍ରାଚ୍ୟରେ ବଡ଼ ହଲଚଲ୍... ବଢିଲା ଯୁଦ୍ଧ ଆଶଙ୍କା, ଇରାନ ମୁହାଁ ଆମେରିକାର ବଡ଼ ଯୁଦ୍ଧ ଜାହାଜ, ମିଡ୍ ଇଷ୍ଟରେ ହାଇ ଆଲର୍ଟ