ନୂଆଦିଲ୍ଲୀ, ୧୩।୬: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଓ ଯୁଦ୍ଧ ପରିସ୍ଥିତିର ଅନ୍ତ ଘଟିବାକୁ ଯାଉଛି । ଦୁଇ ଦେଶ ମଧ୍ୟରେ ଖୁବ୍ ଶୀଘ୍ର ଏକ ବଡ଼ ଚୁକ୍ତି ସ୍ଵାକ୍ଷରିତ ହୋଇପାରେ । ଇରାନର ବୈଦେଶିକ ମନ୍ତ୍ରୀ ସୈୟଦ ଆବ୍ବାସ ଆରାଗଚି ଏକ ସାକ୍ଷାତକାରରେ କହିଛନ୍ତି ଯେ, ଆମେରିକା ସହ ଆଲୋଚନାରେ ସକାରାତ୍ମକ ପ୍ରଗତି ହୋଇଛି ଏବଂ ଦୁଇ ଦେଶ ଚୁକ୍ତିର ବହୁତ ନିକଟତର ଅଛନ୍ତି । ପ୍ରସ୍ତାବିତ ଚୁକ୍ତି ଅନୁଯାୟୀ, ହୋର୍ମୁଜ୍ ପ୍ରଣାଳୀକୁ ପୁଣିଥରେ ଖୋଲାଯିବ ଏବଂ ଇରାନ ବିରୋଧରେ ଆମେରିକା ଲଗାଇଥିବା ନୌସେନା ଅବରୋଧକୁ ହଟାଇ ଦିଆଯିବ । ତେବେ ଇରାନର ପରମାଣୁ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଆଲୋଚନା ପରବର୍ତ୍ତୀ ସମୟରେ କରାଯିବ ।
ଆକ୍ରମଣ ଯୋଜନା ବାତିଲ କଲେ ଟ୍ରମ୍ପ:
ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଆଲୋଚନାରେ ବଡ଼ ସଫଳତା ମିଳିଥିବାରୁ ସେ ଇରାନ ଉପରେ ହେବାକୁ ଥିବା ନୂତନ ସାମରିକ ଆକ୍ରମଣ ଯୋଜନାକୁ ବାତିଲ କରିଛନ୍ତି । ଖୁବ୍ ଶୀଘ୍ର ଏହି ଚୁକ୍ତିନାମା ସ୍ଵାକ୍ଷରିତ ହୋଇପାରେ । ଇରାନ ଗଣମାଧ୍ୟମରେ ଏକ ୧୪-ପଏଣ୍ଟ ବିଶିଷ୍ଟ ଚୁକ୍ତିନାମାର ଖବର ପ୍ରକାଶ ପାଇଥିଲେ ମଧ୍ୟ ଟ୍ରମ୍ପ ଏହାକୁ ଭ୍ରମାତ୍ମକ ବୋଲି କହିଛନ୍ତି ଏବଂ ପ୍ରକୃତ ଚୁକ୍ତି ସହ ଏହାର କୌଣସି ସମ୍ପର୍କ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।
ଅନଲାଇନରେ ହୋଇପାରେ ସ୍ଵାକ୍ଷର, ପାକିସ୍ତାନ ଓ କତାର ସାଜିଛନ୍ତି ମଧ୍ୟସ୍ଥ:
ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ସୂଚନା ଦେଇଛନ୍ତି ଯେ, ଆମେରିକା ଓ ଇରାନ ମଧ୍ୟରେ ବୁଝାମଣାପତ୍ର (MoU) ର ଚିଠା ପ୍ରସ୍ତୁତ ହୋଇସାରିଛି ଏବଂ କେବଳ ଚୂଡ଼ାନ୍ତ ମଞ୍ଜୁରୀକୁ ଅପେକ୍ଷା କରାଯାଇଛି । ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ପାକିସ୍ତାନ ଏବଂ କତାର ମଧ୍ୟସ୍ଥ ସାଜିଛନ୍ତି । ଇରାନ ବୈଦେଶିକ ମନ୍ତ୍ରୀଙ୍କ ଅନୁଯାୟୀ, ଦେଶର ସୁପ୍ରିମ ନ୍ୟାସନାଲ ସିକ୍ୟୁରିଟି କାଉନସିଲରେ ଏହି ଚୁକ୍ତିକୁ ନେଇ ଭିନ୍ନ ଭିନ୍ନ ମତ ରହିଛି । କିଛି ସଦସ୍ୟ ଏହାର ସପକ୍ଷରେ ଥିବାବେଳେ କିଛି ବିରୋଧ କରୁଛନ୍ତି । ଯଦି ଚୂଡ଼ାନ୍ତ ମଞ୍ଜୁରୀ ମିଳେ, ତେବେ ଏହି ଚୁକ୍ତି ଅନଲାଇନ୍ ମାଧ୍ୟମରେ ସ୍ଵାକ୍ଷରିତ ହେବ ।
୬୦ ଦିନ ପର୍ଯ୍ୟନ୍ତ ଚାଲିବ ପରମାଣୁ କାର୍ଯ୍ୟକ୍ରମ ଉପରେ ଆଲୋଚନା:
ଆମେରିକୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଚୁକ୍ତି ପରେ ପ୍ରଥମେ ହୋର୍ମୁଜ୍ ପ୍ରଣାଳୀ ଖୋଲାଯିବ ଏବଂ ଇରାନ ଜାହାଜ ଉପରୁ ଆମେରିକାର ଅବରୋଧ ହଟିବ । ଏହାପରେ ଆଗାମୀ ୬୦ ଦିନ ପର୍ଯ୍ୟନ୍ତ ପରମାଣୁ କାର୍ଯ୍ୟକ୍ରମ ଉପରେ ଚର୍ଚ୍ଚା ହେବ । ଏହି ସମୟ ମଧ୍ୟରେ ଇରାନର ସମୃଦ୍ଧ ୟୁରେନିୟମ୍ ଭଣ୍ଡାରକୁ ନଷ୍ଟ କରିବା କିମ୍ବା ଦେଶ ବାହାରକୁ ପଠାଇବା ଯୋଜନା ଉପରେ କାମ କରାଯିବ । ଆମେରିକା ସ୍ପଷ୍ଟ କରିଛି ଯେ ଇରାନକୁ କୌଣସି ଅର୍ଥ କିମ୍ବା ଆର୍ଥିକ ପ୍ୟାକେଜ୍ ପୂର୍ବରୁ ଦିଆଯିବ ନାହିଁ । ପ୍ରତିବନ୍ଧକ କୋହଳ ଏବଂ ଜବତ ସମ୍ପତ୍ତିର ମୁକ୍ତି ପର୍ଯ୍ୟାୟକ୍ରମେ ହେବ । ଅର୍ଥାତ୍ ଇରାନ ଯେତିକି ସର୍ତ୍ତ ପୂରଣ କରିବ, ସେହି ଅନୁପାତରେ ତାକୁ ଆର୍ଥିକ ଲାଭ ମିଳିବ ।
ହିଜବୁଲ୍ଲାକୁ ସହାୟତା ବନ୍ଦ କରିବାକୁ ପଡ଼ିବ:
ଏହି ପ୍ରସ୍ତାବିତ ଚୁକ୍ତିର ଅନ୍ୟ ଏକ ପ୍ରମୁଖ ସର୍ତ୍ତ ହେଉଛି, ଇରାନକୁ ହିଜବୁଲ୍ଲା ଏବଂ ଆଞ୍ଚଳିକ ସ୍ତରରେ ସକ୍ରିୟ ଥିବା ଅନ୍ୟ ସଶସ୍ତ୍ର ସଂଗଠନଗୁଡ଼ିକୁ ସାମରିକ ଓ ଆର୍ଥିକ ସହାୟତା ଯୋଗାଇବା ବନ୍ଦ କରିବାକୁ ହେବ । ଆମେରିକା କହିଛି ଯେ, ଏହି ଚୁକ୍ତି କେବଳ ପ୍ରତିଶ୍ରୁତି ଉପରେ ନୁହେଁ, ବରଂ ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ଏବଂ ଏହାର ଯାଞ୍ଚ ଉପରେ ଆଧାରିତ ହେବ । ଚୁକ୍ତିକୁ ନେଇ ଆମେରିକା, ଇରାନ, ପାକିସ୍ତାନ ଓ କତାର ସକାରାତ୍ମକ ଥିଲେ ମଧ୍ୟ ଏବେ ସମସ୍ତଙ୍କ ନଜର ଚୂଡ଼ାନ୍ତ ମଞ୍ଜୁରୀ ଉପରେ ରହିଛି ।
ଆହୁରି ପଢ଼ନ୍ତୁ... Amazon water consumption: ଆମାଜନ୍ର ରିପୋର୍ଟ, ବର୍ଷରେ ଡାଟା ସେଣ୍ଟର୍ ପିଇଛି ୯୦୦ କୋଟି ଲିଟର ପାଣି