ନୂଆଦିଲ୍ଲୀ, ୦୮/୦୪ : ଆମେରିକା-ଇରାନ ମଧ୍ୟରେ ଯୁଦ୍ଧବିରତିକୁ ନେଇ ବଡ଼ ଖୁଲାସା। ପୋଲ୍ ଖୋଲିଦେଲେ ଖୋଦ୍ ଡୋନାଲ୍ଡ ଟ୍ରମ୍ପ। ସିଜଫାୟାର ପଛରେ ଚୀନ ଅସଲ ସୂତ୍ରଧର। ପାକିସ୍ତାନ ନାଁକୁ ମାତ୍ର ମୋହରା। ଟ୍ରମ୍ପ କହିଛନ୍ତି ଯେ, ଅସ୍ତ୍ର ବିରତି ପଛରେ ଚୀନର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ବ୍ୟାକ୍ ଡୋର୍ ରଣନୀତି ଆପଣେଇ ଚୀନ ଇରାନକୁ ରାଜି କରାଇଛି। ପାକିସ୍ତାନ, ତୁର୍କୀ ଏବଂ ମିଶର ଦେଶ ଜରିଆରେ ଇରାନକୁ ବୁଝାଇବାକୁ ଚେଷ୍ଟା କରିଛି ଯେ, ଯୁଦ୍ଧ ଯୋଗୁଁ ଉଭୟ ଆଞ୍ଚଳିକ ଏବଂ ବୈଶ୍ଵିକ ଅର୍ଥବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପଡ଼ିବ। ଚୀନ ବିନା ସିଜଫାୟାର ସମ୍ଭବ ନଥିଲା।
ସେପଟେ ଯୁଦ୍ଧ ବିରତି ମଧ୍ୟସ୍ଥତା ନେଇ ଚୀନ ପକ୍ଷରୁ କୌଣସି ଔପଚାରିକ ଘୋଷଣା କରାଯାଇ ନାହିଁ। ଚୀନ ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ମାଓ ନିଙ୍ଗ କହିଛନ୍ତି ଯେ, ଉଭୟ ପକ୍ଷ ସଚ୍ଚୋଟପଣିଆ ଦେଖାନ୍ତୁ, ଏବଂ ଖୁବଶୀଘ୍ର ଯୁଦ୍ଧ ସମାପ୍ତ କରନ୍ତୁ। ଏହି ଯୁଦ୍ଧ ବୈଶ୍ଵିକ ଶକ୍ତି ସୁରକ୍ଷା ଏବଂ ଅର୍ଥବ୍ୟବସ୍ଥା ପଉାଁ ବଡ଼ ବିପଦ ସୃଷ୍ଟି କରିଛି। ସୂଚନା ଥାଉକି, ଅସ୍ତ୍ରବିରତି ଠିକ୍ ପୂର୍ବରୁ ଚୀନ ଋଷ ସହ ମିଶି ଜାତିସଙ୍ଘ ସୁରକ୍ଷା ପରିଷଦରେ ହୋର୍ମୁଜ୍ ଷ୍ଟ୍ରେଟରେ ଜାହାଜଗୁଡ଼ିକୁ ସୁରକ୍ଷା ଦେବା ପାଇଁ ସନ୍ତରାଷ୍ଟ୍ରୀୟ ସହଯୋଗ ବଢାଇବା ପ୍ରସ୍ତାବ ବିରୋଧରେ ଭୋଟ୍ କରିଥିଲା।
ବିଶ୍ଳେଷକଙ୍କ କହିବା ଅନୁଯାୟୀ, ଚୀନ ଦ୍ଵିପାକ୍ଷିକ ଚାଲ୍ ଖେଳିଛି। ଗୋଟିଏ ପଟେ ଆମେରିକା ପ୍ରସ୍ତାବକୁ ଖୁଲମ ଖୁଲା ବିରୋଧ କରିଛି। ଅନ୍ୟପଟେ ପରଦା ପଛରେ ରହି ଶାନ୍ତି ପାଇଁ ଚେଷ୍ଟା କରୁଥିଲା। ଏହାର ଅର୍ଥ ଚୀନ ନିଜକୁ ଏକ ଦାୟିତ୍ଵ ସମ୍ପନ୍ନ ବୈଶ୍ଵିକ ଶକ୍ତି ରୂପେ ଉପସ୍ଥାପନ କରିଥିଲା। ଯିଏକି ସଙ୍କଟ ସମୟରେ ଉଚିତ୍ ସମାଧାନ ଖୋଜି ବାହାର କରିପାରିବ। ଏବେ ଦେଖିବାକୁ ବାକି ରହିଲା ଇରାନ-ଆମେରିକା ମଧ୍ୟରେ ଯୁଦ୍ଧବିରତି କେତେ ଦିନ ତିଷ୍ଠି ପାରିବ।
ଏହି ଖବରଟିକୁ ପଢନ୍ତୁ- ମୁଣ୍ଡ ନୁଆଁଇଲେ ଟ୍ରମ୍ପ, ଇରାନ-ଆମେରିକା ମଧ୍ୟରେ ୨ ସପ୍ତାହ ପାଇଁ ଯୁଦ୍ଧ ବନ୍ଦ, ୧୦ ସୂତ୍ରୀ ପ୍ରସ୍ତାବ ଉପରେ ହେବ ଆଲୋଚନା