ତେହେରାନ : ଇରାନରେ ସୁପ୍ରିମ୍ ଲିଡର ଅୟାତୁଲ୍ଲା ଅଲୀ ଖାମେନିଙ୍କ ମୃତ୍ୟୁ ନେଇ କ୍ରୋଧ ଥମି ନାହିଁ। ଇରାନର ବରିଷ୍ଠ ଧର୍ମଗୁରୁ ଦାବି କରିଛନ୍ତି ଯେ, ଡୋନାଲ୍ଡ ଟ୍ରମ୍ପଙ୍କୁ ଏଥିପାଇଁ କ୍ଷମା ମାଗିବାକୁ ହେବ। ଏହି ଧାର୍ମିକ ନେତାଙ୍କ ନାଁ ଅଲୀ ଶିରାଜୀ। ଅଲି ଶିରାଜୀ , ଇରାନ ପୁଲିସର ଆଇଡୋଜିକାଲ-ପଲିଟିକାଲ ଅର୍ଗାନାଇଜେସନର ମୁଖ୍ୟ। ଇରାନ ଇଣ୍ଟରନ୍ୟାସନାଲର ରିପୋର୍ଟ ମୁତାବିକ୍, ସେ କହିଛନ୍ତି ଟ୍ରମ୍ପଙ୍କୁ ଇରାନୀ ଲୋକଙ୍କୁ କ୍ଷମା ମାଗିବା ଉଚିତ୍। ତାଙ୍କୁ ପୂରା ଦୁନିଆ ସାମ୍ନାରେ ଏହା କହିବାକୁ ହେବ ଯେ, ଆମ ନେତାଙ୍କୁ ହତ୍ୟା କରିବା ଏକ ଭୁଲ୍ ଥିଲା। ଧର୍ମଗୁରୁ ଏହା ମଧ୍ୟ ଚେତାବନୀ ଦେଇଛନ୍ତି ଯେ, ଇରାନର ସଶସ୍ତ୍ର ସେନା , ଶତ୍ରୁର କୌଣସି ବି ଆକ୍ସନର ଜୋରଦାର ଜବାବ ଦେବାକୁ ପ୍ରସ୍ତୁତ ଅଛନ୍ତି। ଏହାସହ ଶିରାଜୀ ଇସ୍ରାଏଲର ପ୍ରତି ଶତ୍ରୁତାକୁ ନେଇ ରଣହୁଙ୍କାର ଦେଇଛନ୍ତି।
କହି ରଖୁଛୁ କି , ଆମେରିକା ଓ ଇରାନ ମଧ୍ୟରେ ଦ୍ୱିତୀୟ ରାଉଣ୍ଡର କଥାବାର୍ତ୍ତା ହେବାକୁ ଯାଉଛି। ଏହାକୁ ନେଇ ଇରାନର ସାଂସଦ ହାମିଦରଜା ହାଜି ବାବାଇଙ୍କ ବିବୃତ୍ତି ଆସିଛି। ସେ କହିଛନ୍ତି ଯେ,ଯେପର୍ଯ୍ୟନ୍ତ ଆମେରିକା ନିଜର ପରାଜୟ ସ୍ୱୀକାର କରିବ ନାହିଁ, ସେପର୍ଯ୍ୟନ୍ତ ତା ଠାରୁ କୌଣସି ବି ପ୍ରକାରର କଥାବାର୍ତ୍ତା ସମ୍ଭବ ନୁହେଁ। ଇରାନୀ ସଂସଦର ଉପାଧ୍ୟକ୍ଷ ହାଜି ବାବାଇ କହିଛନ୍ତି ଆମେରିକାର ପରାଜୟ ସ୍ୱୀକାର କରିବା ବିନା କୌଣସି ବି ଆଲୋଚନା ନିଷିଦ୍ଧ। ସେ ଆଞ୍ଚଳିକ ଦେଶ ଗୁଡ଼ିକୁ ଚେତାବନୀ ଦେଇ କହିଛନ୍ତି ଯେ,ଇରାନୀ ଅଧିକାରୀଙ୍କ ବିରୋଧରେ କୌଣସି ବି ଆକ୍ରମଣରେ ସହଯୋଗ କରନ୍ତୁ ନାହିଁ। ସେ କହିଛନ୍ତି , ଯେଉଁ ଦେଶ ଆତଙ୍କବାଦୀ କାର୍ଯ୍ୟକଳାପ ଗୁଡ଼ିକୁ ସୁବିଧା ଦେବ , ତାଙ୍କର ବିମାନ ବନ୍ଦର , ହୋଟେଲ ଓ ଏମିତି କି ନେତୃତ୍ୱକୁ ମଧ୍ୟ ଟାର୍ଗେଟ୍ କରାଯାଇ ପାରେ।
ଏହାପୂର୍ବରୁ ଆମେରକା ରାଷ୍ଟ୍ରପତି ଟ୍ରମ୍ପ ଶୁକ୍ରବାର ପୁଣି ଥରେ ଇରାନକୁ ଚେତାବନୀ ଦେଇ କହିଛନ୍ତି ,ଘଣ୍ଟା କଣ୍ଟା ଟିକ୍ ଟିକ୍ କରୁଛି। ଏହି ଅବରୋଧ ସେପର୍ଯ୍ୟନ୍ତ ଆହୁରି ଜୋରଦାର ହେବ , ଯେପର୍ଯ୍ୟନ୍ତ କୌଣସି ଏମିତି ଚୁକ୍ତି ନହୋଇଛି ,ଯାହା ଆମେରିକା ଓ ଏହାର ସହଯୋଗୀଙ୍କ ପାଇଁ ଫଳପ୍ରଦ ହେବ। ଟ୍ରମ୍ପ ନିଜର ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ କହିଛନ୍ତି ସମୟ ତାଙ୍କ ପକ୍ଷରେ ନାହିଁ। ଏହି ଅବରୋଧ ସଂପୂର୍ଣ୍ଣ ରୂପେ ଅଭେଦ୍ୟ ଓ ମଜବୁତ୍ ଏବଂ ଏବେ ଏଠାରୁ ସ୍ଥିତି ଆହୁରି ମଧ୍ୟ ଖରାପ ହୋଇ ଚାଲିବ। କୌଣସି ବି ଚୁକ୍ତି ସେତେବେଳେ କରାଯିବ, ଯେବେ ସେ ଆମେରିକା , ଏହାର ସହଯୋଗୀ ଓ ଅନ୍ୟ ଦୁନିଆ ପାଇଁ ଉଚିତ୍ ଓ ହିତକାରୀ ହେବ।
ଆହୁରି ମଧ୍ୟ ପଢନ୍ତୁ : ହୋର୍ମୁଜ୍ ପରେ ଏବେ ମଲାକାରେ ପଡ଼ିବ ଟୋଲ୍, ଭାରତରେ ମହଙ୍ଗା ହୋଇପାରେ ଗ୍ୟାସ ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ !