ନୂଆଦିଲ୍ଲୀ,୨୮।୩: ଜିତିବାର ଜିଦ୍‌ରେ ଅଟଳ ଆମେରିକା। ଏବେ ଇରାନକୁ ନିଜର ସେନା ପଠାଇବା ନେଇ ଯୋଜନା କରୁଛି। ଏସବୁ ଭିତରେ କିନ୍ତୁ ଇରାନର ଇଂରାଜୀ ଖବର କାଗଜ ‘ତେହେରାନ ଟାଇମ୍ସ’ ଟ୍ରମ୍ପଙ୍କୁ କଡ଼ା ଚେତାବନୀ ଦେଇଛି। କହିଛି ଆମେରିକା ଯଦି ତା’ର ସେନାକୁ ଇରାନ ପଠାଏ, ତେବେ ତାଙ୍କ ପାଇଁ ସେହି ସ୍ଥାନ ହିଁ କବରସ୍ଥାନ ପାଲଟି ଯିବ। ‘ତେହେରାନ ଟାଇମ୍ସ’ ପ୍ରଥମ ପୃଷ୍ଠାରେ ଆମେରିକାର ଯବାନଙ୍କ ଫଟୋ ସହ କ୍ୟାପସନ୍‌ରେ ଲେଖିଛି ‘ଓ୍ବେଲକମ୍ ଟୁ ହେଲ୍’ ବା  ‘ନର୍କକୁ ସ୍ୱାଗତ’। ଏହା ସହ ଲେଖାଅଛି, ଏଠାକୁ ଆସିଲେ ଆମେରିକା ସେନାର ଗୋଟିଏ ବି ଜବାନ୍ ବଞ୍ଚିବେନି। ଇରାନ ମାଟିରେ ପାଦ ରଖିବେ, କିନ୍ତୁ ଫେରିବେ କେବଳ କଫିନ୍‌ରେ।’

ଏହି ଏହି ଚେତାବନୀ ସେହି ସମୟରେ ଆସିଛି ଯେତେବେଳେ ଆମେରିକା ଗଣମାଧ୍ୟମ ଶୁକ୍ରବାର କହିଥିଲା ମଧ୍ୟପ୍ରାଚ୍ୟରେ ୧୦,୦୦୦ ଅତିରିକ୍ତ ସୈନ୍ୟ ମୁତୟନ କରିବାକୁ ଆମେରିକା ବିଚାର କରୁଛି। ଏହି ପଦକ୍ଷେପ ଦ୍ୱାରା ୱାଶିଂଟନ୍ ଏବଂ ତେହରାନ ଭିତରେ ଏକ ସମ୍ଭାବ୍ୟ ସାମରିକ ଅଭିଯାନ ପ୍ରସ୍ତୁତି ଚାଲିଥିବା ଆକଳନ ଆହୁରି ବୃଦ୍ଧି ପାଇଛି। ଡୋନାଲ୍ଡ ଟ୍ରମ୍ପ ବାରମ୍ବାର ଦାବି କରିଛନ୍ତି ଯେ, ଇରାନ ତାଙ୍କୁ ଏକ ଚୁକ୍ତିରେ ପହଞ୍ଚିବା ପାଇଁ ବାରମ୍ବାର ଅନୁରୋଧ କରୁଛି, ତଥାପି ଆମେରିକା ଏପରି ନିଷ୍ପତ୍ତି ଉପରେ ବିଚାର କରୁଛି।

ଆମେରିକୀୟ ଖବରକାଗଜ ‘ଦ ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଇରାନରେ ଅତିରିକ୍ତ ସୈନ୍ୟ ଉପସ୍ଥିତିର ଉଦ୍ଦେଶ୍ୟ ଟ୍ରମ୍ପଙ୍କୁ ଅଧିକ ସାମରିକ ବିକଳ୍ପ ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ। ଏହା ଏପରି ଏକ ସମୟରେ ଆସିଛି ଯେତେବେଳେ ଫେବୃଆରୀ ୨୮ ରେ ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ପରଠାରୁ ମଧ୍ୟପ୍ରାଚ୍ୟରେ ସଂଘର୍ଷ ଜାରି ରହିଛି। ନୂତନ ସୈନ୍ୟ ମୁତୟନ ମଧ୍ୟପ୍ରାଚ୍ୟରେ ପୂର୍ବରୁ ନିୟୋଜିତ ଥିବା ହଜାର ହଜାର ପାରାଟ୍ରୁପର ଏବଂ ମାରିନ୍ ସହିତ ଯୋଗଦେବ।

ଆହୁରି ପଢନ୍ତୁ :ଇରାନର ନ୍ୟୁକ୍ଲିଅର ପାଓ୍ବାର ପ୍ଳାଣ୍ଟ ଉପରେ ଆକ୍ରମଣରୁ ବିଗିଡିବାରେ ଲାଗିଛି ସ୍ଥିତି, ବଢୁଛି ବିପଦ : ରୁଷର ଚେତାବନୀ