ନୂଆଦିଲ୍ଲୀ, ୫।୩: ହିନ୍ଦ ମହାସାଗରରେ ଶାନ୍ତି ଭଙ୍ଗ କରିଛି ଆମେରିକା। ଭାରତୀୟ ନୌସେନାର ଅତିଥି ଭାବେ ଆସିଥିବା ଇରାନର ଯୁଦ୍ଧପୋତ 'IRIS Dena' ଉପରେ ଆମେରିକା ପକ୍ଷରୁ ହୋଇଥିବା ଭୟଙ୍କର ଆକ୍ରମଣ ଏବେ ବିଶ୍ୱ ରାଜନୀତିରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏହି ଘଟଣାରେ ୮୭ ଜଣ ଇରାନୀ ନୌସୈନିକଙ୍କ ପ୍ରାଣହାନି ଘଟିଥିବା ବେଳେ ଇରାନ ଏହାର କଡ଼ା ଜବାବ ଦେବାକୁ ଆମେରିକାକୁ ଚେତାବନୀ ଦେଇଛି । ବୁଧବାର ଶ୍ରୀଲଙ୍କା ଉପକୂଳ ନିକଟରେ ଆମେରିକାର ଏକ ବୁଡ଼ାଜାହାଜରୁ ଇରାନୀ ଯୁଦ୍ଧପୋତ ଉପରକୁ ଟର୍ପିଡୋ ମାଡ଼ କରାଯାଇଥିଲା । ଶ୍ରୀଲଙ୍କା ନୌସେନା ଏବଂ ବାୟୁସେନା ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ୮୭ଟି ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୩୦ ରୁ ୩୨ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି । ଏହି ଜାହାଜଟି ଭାରତ ଦ୍ୱାରା ଆୟୋଜିତ ବହୁରାଷ୍ଟ୍ରୀୟ ନୌସେନା ଅଭ୍ୟାସ ‘ମିଲାନ୍’ରେ ଭାଗ ନେଇ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି ।  

ଏହା ବି ପଢ଼ନ୍ତୁ... ​​​​​​​ଭାରତରେ ଫିନଲ୍ୟାଣ୍ଡ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ, ଜୟଶଙ୍କରଙ୍କୁ ଭେଟିଲେ ଆଲେକ୍ସଜାଣ୍ଡାର ଷ୍ଟବ୍

ଇରାନର କଡ଼ା ଚେତାବନୀ: "ଆମେରିକା ଅନୁତାପ କରିବ"

ଇରାନର ବୈଦେଶିକ ମନ୍ତ୍ରୀ ସୟଦ ଅବ୍ବାସ ଆରାଗଚି ସୋସିଆଲ ମିଡିଆ ଏକ୍ସ ମାଧ୍ୟମରେ ଆମେରିକାକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ସେ କହିଛନ୍ତି, "ଆମେରିକା ନିଜ କୂଳଠାରୁ ୨୦୦୦ ମାଇଲ୍ ଦୂରରେ ଏହି ଜୁଲୁମ କରିଛି । ଭାରତର ଅତିଥି ଭାବେ ଆସିଥିବା ଏକ ଜାହାଜକୁ କୌଣସି ଚେତାବନୀ ନଦେଇ ଆକ୍ରମଣ କରାଯାଇଛି । ମୋ କଥା ମନେ ରଖନ୍ତୁ, ଆମେରିକା ନିଜର ଏହି କାର୍ଯ୍ୟ ପାଇଁ ବହୁତ ଅନୁତାପ କରିବ।" ଅନ୍ୟପଟେ ଆମେରିକାର ପ୍ରତିରକ୍ଷା ସଚିବ ପେଣ୍ଟାଗନରେ ଏହି ଆକ୍ରମଣକୁ ସ୍ୱୀକାର କରିଛନ୍ତି । ରଏଟର୍ସର ରିପୋର୍ଟ ଅନୁଯାୟୀ, ଆମେରିକା କହିଛି ଯେ ସେମାନେ ଏହି ଯୁଦ୍ଧପୋତକୁ ଟର୍ପିଡୋ ସାହାଯ୍ୟରେ ବୁଡ଼ାଇ ଦେଇଛନ୍ତି । ଆମେରିକୀୟ ଅଧିକାରୀ ଏହାକୁ ଏକ 'ଶାନ୍ତ ମୃତ୍ୟୁ' ବୋଲି ବର୍ଣ୍ଣନା କରିଛନ୍ତି । ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ବିଜିତା ହେରାଥ୍ ଏହି ଘଟଣା ସମ୍ପର୍କରେ ସଂସଦକୁ ସୂଚନା ଦେଇଛନ୍ତି । ଜାହାଜରୁ ଜରୁରୀକାଳୀନ ସଙ୍କେତ ପାଇବା ପରେ ଶ୍ରୀଲଙ୍କା ନୌସେନା ତୁରନ୍ତ ସର୍ଚ୍ଚ ଏବଂ ରେସ୍କ୍ୟୁ ଅପରେସନ ଆରମ୍ଭ କରିଥିଲା ।