ନୂଆଦିଲ୍ଲୀ, ୫।୩: ସୁଦୃଢ଼ ହେବ ଭାରତ ଓ ଫିନଲ୍ୟାଣ୍ଡ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ । ଉଭୟ ଦେଶ ସମ୍ପର୍କକୁ ନୂଆ ଶିଖରକୁ ନେବା ପାଇଁ ଫିନଲ୍ୟାଣ୍ଡ ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର ଷ୍ଟବ୍ ଏବେ ଭାରତ ଗସ୍ତରେ ଅଛନ୍ତି । ଗୁରୁବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ରାଷ୍ଟ୍ରପତି ଷ୍ଟବ୍ଙ୍କୁ ସାକ୍ଷାତ କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ରାଷ୍ଟ୍ରପତି ଷ୍ଟବ୍ ଭାରତରେ ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଥିଲା । ବିଦେଶ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଭି. କେ. ସିଂହ ତାଙ୍କୁ ସ୍ୱାଗତ କରିବା ସହ ରାଷ୍ଟ୍ରପତିଙ୍କୁ 'ଗାର୍ଡ ଅଫ୍ ଅନର' ପ୍ରଦାନ କରାଯାଇଥିଲା ।
କ’ଣ ଥିଲା ଆଲୋଚନାର ବିଷୟବସ୍ତୁ ?
ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସୋସିଆଲ ମିଡିଆ ମାଧ୍ୟମରେ ଏହି ସାକ୍ଷାତକାର ବିଷୟରେ ସୂଚନା ଦେଇଛନ୍ତି । ତାଙ୍କ କହିବା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ରାଷ୍ଟ୍ରପତି ଷ୍ଟବ୍ଙ୍କ ଆଗାମୀ ବୈଠକ ଭାରତ-ଫିନଲ୍ୟାଣ୍ଡ ବନ୍ଧୁତାକୁ ଆହୁରି ସୁଦୃଢ଼ କରିବ । ଚଳିତ ବର୍ଷର 'ରାଇସିନା ଡାଏଲଗ୍ ୨୦୨୬'ରେ ଫିନଲ୍ୟାଣ୍ଡ ରାଷ୍ଟ୍ରପତି ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଭାବେ ଯୋଗ ଦେଉଛନ୍ତି । ବିଶ୍ୱର ଭୂ-ରାଜନୀତି ଏବଂ ଅର୍ଥନୀତି ଉପରେ ତାଙ୍କର ଅଭିଭାଷଣକୁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, "ଭାରତ ଏବଂ ଫିନଲ୍ୟାଣ୍ଡ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ଆଧାରିତ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ବଜାୟ ରଖିଛନ୍ତି । ଏହି ଗସ୍ତ ଆମର ଭାଗିଦାରୀକୁ ଏକ ନୂତନ ଶକ୍ତି ପ୍ରଦାନ କରିବ ।"
ଗସ୍ତର ତାତ୍ପର୍ଯ୍ୟ:
ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଏହି ପ୍ରତିନିଧି ଦଳରେ ଫିନଲ୍ୟାଣ୍ଡର ବହୁ ବରିଷ୍ଠ ମନ୍ତ୍ରୀ, ଅଧିକାରୀ ଏବଂ ବ୍ୟବସାୟିକ ନେତୃବୃନ୍ଦ ସାମିଲ ଅଛନ୍ତି । ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବାଣିଜ୍ୟ ଏବଂ ନିବେଶ କ୍ଷେତ୍ରରେ ସହଯୋଗ ବୃଦ୍ଧି, ପ୍ରଯୁକ୍ତିବିଦ୍ୟା ଏବଂ ନୂତନ ଜ୍ଞାନକୌଶଳର ଆଦାନପ୍ରଦାନ, ବିଶ୍ୱସ୍ତରୀୟ ଆହ୍ୱାନଗୁଡ଼ିକର ମିଳିତ ମୁକାବିଲା ।