ତେହରାନ,୧୨।୭: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ବିବାଦ ମଧ୍ୟରେ, ରଣନୀତିକୁ ନେଇ ଇରାନ ମଧ୍ୟରେ ମତଭେଦ ଏବେ ଦେଖାଦେଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିବାଦ ହେଉଛି ହର୍ମୁଜ ପ୍ରଣାଳୀକୁ ନେଇ , ଯାହାକି ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ମଧ୍ୟରୁ ଅନ୍ୟତମ। ଇରାନର ଶକ୍ତିଶାଳୀ ସାମରିକ ବାହିନୀ, ଇସଲାମିକ୍ ରିଭଲ୍ୟୁସନରୀ ଗାର୍ଡ କର୍ପସ (IRGC), ଆମେରିକା ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ହର୍ମୁଜ ଉପରେ ନିୟନ୍ତ୍ରଣ ବଜାୟ ରଖିବା ପାଇଁ ସମର୍ଥନ କରୁଛି। ତେବେ ଅନ୍ୟପକ୍ଷେ ରାଷ୍ଟ୍ରପତି ମାସୁଦ ପେଜେଶକିୟାନଙ୍କ ସରକାର କୂଟନୀତି ମାଧ୍ୟମରେ ଉତ୍ତେଜନା ହ୍ରାସ କରିବାକୁ ଏବଂ ଏକ ଆଲୋଚନାମୂଳକ ସମାଧାନ ବାହାର କରିବାର ପକ୍ଷରେ ରହିଛନ୍ତି।
ସୋଫାନ ସେଣ୍ଟରର ବରିଷ୍ଠ ବିଶ୍ଲେଷକ କେନେଥ କ୍ୟାଟଜମ୍ୟାନଙ୍କ କହିବା ଅନୁସାରେ, ବର୍ତ୍ତମାନର ସ୍ଥିତିରେ ଇରାନର କ୍ଷମତା ତନ୍ତ୍ର ଭିତରେ ଦୁଇଟି ଅଲଗା ଅଲଗା ଚିନ୍ତାଧାରା କାମ କରୁଛନ୍ତି। ତାଙ୍କ ଅନୁସାରେ, ଆଇଆରଜିସିର ଟପ୍ କମାଣ୍ଡ ଓ କଟ୍ଟରପନ୍ଥୀ ଗୋଷ୍ଠୀଙ୍କ ମତରେ ହର୍ମୁଜରେ ନିୟନ୍ତ୍ରଣ ରଖିବା ଇରାନର ସବୁଠାରୁ ବଡ ରଣନୈତିକ ଶକ୍ତି ଓ ଏହା ଜରିଆରେ ଆମେରିକା ଉପରେ ଚାପ ପକାଯାଇପାରେ।
ବିଶ୍ଳେଷକଙ୍କ ମତରେ, IRGCର ଉଦ୍ଦେଶ୍ୟ କେବଳ ହର୍ମୁଜ୍ ଉପରେ ନିଜର କବଜା ବଜାୟ ରଖିବା ନୁହେଁ। ଏହି କଠୋରପନ୍ଥୀ ଗୋଷ୍ଠୀ ନିହତ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ମଧ୍ୟ ଚାହୁଁଛି। ସେମାନେ ବିଶ୍ୱାସ କରନ୍ତି ଯେ ଆମେରିକାକୁ ଏପରି ଜବାବ ଦିଆଯିବା ଉଚିତ ଯାହା ଭବିଷ୍ୟତରେ ଇରାନ ବିରୁଦ୍ଧରେ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ଦୁଇଥର ଚିନ୍ତା କରିବ।
ଅନ୍ୟପକ୍ଷେ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ଏବଂ ସଂସଦ ବାଚସ୍ପତି ମହମ୍ମଦ ବାକର ଗାଲିବାଫଙ୍କ ପରି ବେସାମରିକ ନେତାମାନେ ସାମରିକ ମୁକାବିଲା ବୃଦ୍ଧି କରିବା ଅପେକ୍ଷା ଆଲୋଚନାକୁ ଏକ ଭଲ ବିକଳ୍ପ ଭାବରେ ଦେଖନ୍ତି। ବିଶ୍ଳେଷକମାନେ କହିଛନ୍ତି ଯେ ନିର୍ବାଚିତ ସରକାର ହର୍ମୁଜ୍ ପ୍ରଣାଳୀ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଓମାନ ମଧ୍ୟସ୍ଥତାରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ପୁନର୍ବାର ଆରମ୍ଭ କରିବାକୁ ଚାହାଁନ୍ତି। ବିଶେଷଜ୍ଞଙ୍କ ମତରେ ତେହରାନର ସରକାରଙ୍କୁ ଆଶା ରହିଛି ଯେ, ଓମାନ ଦୁଇ ଦେଶ ଭିତରେ ସମାଧାନ ନେଇ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ। ସରକାରଙ୍କ ଚେଷ୍ଟା ହେଉଛି ଆଲୋଚନା କରିରେ ଏଭଳି ରାସ୍ତା ବାହାର କରନ୍ତୁ, ଯାହାଦ୍ବାରା ଆଞ୍ଚଳିକ ବିପଦ କମ୍ ହୋଇଯିବ ଓ ହର୍ମୁଜକୁ ନୋଇ କୌଣସି ପ୍ରକାର ସହମତିରେ ପହଁଞ୍ଚି ହେବ।