ବିଶ୍ୱର ସବୁଠାରୁ ଧନୀ ବିଭବଶାଳୀ, ଶକ୍ତିଶାଳୀ ସାମରିକ ବାହିନୀ ଥିôବା ରାଷ୍ଟ୍ର ଆମେରିକା ଇତିହାସରେ ଏପରି କେବେ ଘଟିନଥିଲା । ସାମରିକ କ୍ଷେତ୍ର ପାଇଁ ପ୍ରଯୁଜ୍ୟ ଗୋଟିଏ ଆପ୍ତବାକ୍ୟ ଅଛି- ପ୍ରତ୍ୟେକ ଯୁଦ୍ଧ ଆରମ୍ଭ ହୁଏ ଯୋଜନାବଦ୍ଧ ଭାବରେ ଏବଂ ସମାପ୍ତ ହୁଏ କେତେକ ସ୍ପଷ୍ଟୀକରଣ ମାଧ୍ୟମରେ । ଇରାନ ବିରୁଦ୍ଧରେ ଯୁଦ୍ଧ ଏହାର ଜ୍ୱଳନ୍ତ ଉଦାହରଣ । ଏ ମତ ପ୍ରକାଶ କରିଛନ୍ତି ସେଠାକାର ବିଶ୍ଳେଷକ ଓ ସମାଲୋଚକମାନେ । ଆଉ କହିବାକୁ ଆରମ୍ଭ କରିଛନ୍ତି ଆମେରିକାର ଭିଏତନାମ ଯୁଦ୍ଧ ଅପେକ୍ଷା ଇରାନ ଯୁଦ୍ଧରେ ବହୁତ ବଡ଼ ପରାଜୟ ।
ଆମେରିକା ଓ ଇସ୍ରାଏଲ ମିଳିତ ଆକ୍ରମଣର ଲକ୍ଷ୍ୟ ଥିଲା ସେଠାକାର ଅଧିବାସୀ ଖାମେନେଇଙ୍କ ବିରୁଦ୍ଧରେ ବିଦ୍ରୋହ କରିବେ, ଶାସନ କଳ ଆତ୍ମସମର୍ପଣ କରିବ ଓ ଆମେରିକାର ଦାବି ସମୂହକୁ ମାନିନେବ । ନା ଏସବୁ କିଛି ହେଲା! ଆଉ ଆମେରିକାର ଶକ୍ତିଶାଳୀ ମିଲିଟାରୀକୁ ଏକ ଶିକ୍ଷା ମିଳିଲା ଯେ, କେବଳ ବୋମା ଫିଙ୍ଗି ଫିଙ୍ଗି ତୁମେ ତୁମର ରାଜନୈତିକ ସଫଳତା ହାସଲ କରିପାରିବ ନାହିଁ । ରାଷ୍ଟ୍ରପତି ଟ୍ରମ୍ପ କେବଳ ଜଣେ ରାଷ୍ଟ୍ରପତି, ଯିଏକି ଭିଏତନାମ ଯୁଦ୍ଧକୁ ସମାଲୋଚନା କରୁଥିଲେ । ତାହା ୧୯ବର୍ଷରୁ ଊଦ୍ଧ୍ୱର୍କାଳ ଧରି ଚାଲିଥିଲା । କିନ୍ତୁ ଇରାନ ଯୁଦ୍ଧରେ ଅବଧି ଥିଲା ମାତ୍ର ୩ମାସ । ସେ ଯୁଦ୍ଧରେ ମୃତକଙ୍କ ସଂଖ୍ୟାକୁ ତୁଳନା କରାଯାଇପାରିବ ନାହିଁ ଇରାନ ଯୁଦ୍ଧ ସହିତ । କିନ୍ତୁ ଏହା ସତ୍ୟ ଯେ, ଯୁଦ୍ଧଗୁଡ଼ିକୁ ତୁଳନା କରାଯାଏନାହିଁ କେତେ ଲୋକ ମୃତାହତ ହେଲେ, ବରଂ କରାଯାଏ ତା’ର ଫଳାଫଳକୁ ନେଇ । ଟେକ୍ନୋଲଜିରେ ଶ୍ରେଷ୍ଠତା ଥିବା ସତ୍ତେ୍ୱ, ଷ୍ଟିଲ୍ଥ ବମ୍ବର ଥିବା ସତ୍ତେ୍ୱ, ପିସିସନ କ୍ଷେପଣାସ୍ତ୍ର, ଗାଇଡେଡ୍ ବମ୍ବର ଓ ବିଲିଅନ ଡଲାରର ମିଲିଟାରୀ ହାର୍ଡଓୟାର ଥିବା ସତ୍ତେ୍ୱ ଆମେରିକା ନିଜକୁ ଦୁର୍ବଳ ଅନୁଭବ କଲା ଇରାନ ତୁଳନାରେ । ଏହାକୁ କୁହାଯାଏ ଷ୍ଟ୍ରାଟେଜିକ ଡିଫିଟ୍ ବା ସାମରିକ ପରାଜୟ ।
ଆମେରିକା ଭିଏତନାମକୁ ଭାବିଥିଲା ତାର ଜାତୀୟ ସୁରକ୍ଷା ପ୍ରଦାନକାରୀ ରାଷ୍ଟ୍ର । ତାକୁ ଏକ କମ୍ୟୁନିଷ୍ଟ ରାଷ୍ଟ୍ର ହବାକୁ ଛାଡ଼ି ଦିଆଯାଇପାରିବ ନାହିଁ । ଉତ୍ତର ଭିଏତନାମ ଥିଲା ଚୀନ ଓ ସୋଭିଏତର ସମର୍ଥକ, ଆଉ ଦକ୍ଷିଣ ଭିଏତନାମକୁ ସେମାନଙ୍କ ହାତରେ ଟେକି ଦିଆଯାଇପାରିବ ନାହିଁ । ଆରମ୍ଭ ହୋଇଥିଲା ୨୦୦୩ରେ ଯୁଦ୍ଧ । ଏତେବର୍ଷ ଯୁଦ୍ଧ କରି ଆମେରିକା ପଳାୟନ କଲା । କ’ଣ ଶିକ୍ଷା ମିଳିଲା? ଧ୍ୱଂସାତ୍ମକ କ୍ଷମତା କେବେ ୱିଜଡମ୍ ବା ବୁଦ୍ଧିମତାର ବିକଳ୍ପ ହେଇନପାରେ । ଆଉ ଆମେରିକାର ବିଶ୍ଳେଷକମାନେ ସମାଲୋଚନା କଲେ ଏହି ଯୁଦ୍ଧ ଆମେରିକା ପାଇଁ ଏକ ନାସନାଲ ଡିଷ୍ଟ୍ରେସ୍ ବା ଜାତୀୟ ଯନ୍ତ୍ରଣା । ଜନତାଙ୍କ ରାୟ ବନାମ ବୈଦେଶିକ ନୀତିକୁ ନେଇ ୨୦୧୪ ମସିହାର ହେଇଥିବା ଚିକାଗୋ କାଉନସିଲ ଅଫ୍ ସର୍ଭେର ରିପୋର୍ଟ ହେଲା- ଏହି ଯୁଦ୍ଧ ହେଲା ଆମେରିକା ଇତିହାସର ଏକ ଡାର୍କ ମୋମେଣ୍ଟ ବା ଅନ୍ଧକାରମୟ କ୍ଷଣ । ଶୀତଳ ଯୁଦ୍ଧରେ ହୁଏତ ଆମେରିକାର ସାମରିକ ବିଜୟ ହେଲା, ବିଶ୍ୱର ସୁପର ପାୱାର ଭାବେ ଉଭା ହେଲା, ତା’ର ଶତ୍ରୁ କେହି ରହିଲେନାହିଁ । ମାତ୍ର ଭିଏତନାମ? ଉତ୍ତର ଓ ଦକ୍ଷିଣ ଭିଏତନାମ ମିଶିଗଲେ ଯୁଦ୍ଧ ପରେ ପରେ ଓ ହୋଇଗଲେ କମ୍ୟୁନିଷ୍ଟ । ଆଉ ଇତିହାସର ପଟ୍ଟପରିବର୍ତ୍ତନ ହେଲା- ଆମେରିକା ସହିତ ବନ୍ଧୁତ୍ୱପୂର୍ଣ୍ଣ ସଂପର୍କ ସ୍ଥାପନ କଲା ଭିଏତନାମ, ଯଦିଓ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁର କାରଣ ସାଜିଥିଲା ଆମେରିକା । ଆମେରିକାର ଲକ୍ଷ୍ୟ ହାସଲ ହୋଇପାରିଲାନାହିଁ ଭିଏତନାମରେ । ଏହା ସବୁଠାରୁ ଯନ୍ତ୍ରଣାଦାୟକ ଘଟଣା ଥିଲା ଆମେରିକା ପକ୍ଷରେ । ଆଉ ଇରାନ କ୍ଷେତ୍ରରେ? ଏହାର କଠୋରପନ୍ଥୀଙ୍କୁ ଆହୁରି କଠୋର କରିଦେଲା ଏଇ ଇରାନ ଯୁଦ୍ଧ । ସେମାନଙ୍କୁ ଆହୁରି ଶକ୍ତିଶାଳୀ କରିଦେଲା । ଆହୁରି ଦକ୍ଷତା ଦେଖାଇଲା ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ୍ ବା ଆଇ.ଆର. ଜି.ସି. । ଯୁଦ୍ଧକୁ ସର୍ବୋତ ଭାବରେ ସୁରକ୍ଷା ପ୍ରଦାନ କରିବାର ଶପଥ ନେଲା । ଏହା ଇରାନିଆନ ଆର୍ମଡ ଫୋର୍ସେସ୍ର ସବୁଠାରୁ ଦକ୍ଷ, ପ୍ରଚୁର ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଓ ସ୍ୱାଧୀନ ଭାବରେ କର୍ତ୍ତବ୍ୟରତ ବାହିନୀ । ଆମେରିକାର ଉଚ୍ଚ କ୍ଷମତା ସଂପନ୍ନ ପଦବିରେ ଥାଇ ଟ୍ରମ୍ପଙ୍କୁ ଘେରି ରହିଥିବା ଅଫିସରମାନଙ୍କ ମଧ୍ୟରେ ସୃଷ୍ଟିହୋଇଛି ଫାଟ ଏଇ ଯୁଦ୍ଧକୁ ନେଇ ।
ଟ୍ରମ୍ପ କହୁଥିଲେ ଇରାନର ନ୍ୟୁକ୍ଲିଅର ପ୍ରୋଗ୍ରାମ ସମଗ୍ର ବିଶ୍ୱପାଇଁ ବିପଦ । ଇରାନ ପାଖରେ ଗଚ୍ଛିତ ଥିବା ଏନରିଚଡ ୟରାନିୟମ ଉପରେ ଏଯାବତ୍ କୌଣସି ନିଷ୍ପତ୍ତି ହୋଇପାରିନାହିଁ । ଏହା ଉପରେ ଇରାନ ଅର୍ଥ ଖଟାଇଛି ପ୍ରଚୁର । ଟ୍ରମ୍ପ ନିଜର ସ୍ୱରକୁ ନରମ କରିଛନ୍ତି ଇରାନର କ୍ଷେପଣାସ୍ତ୍ର କ୍ଷମତା ଉପରେ । କହିଛନ୍ତି ସେ ଦେଶରେ କିଛି ବାଲିଷ୍ଟିକ ମିଜାଇଲ ରହୁ, କାରଣ ସାଉଦି ଆରବ, କାତାର ଆଦି ଇରାନର ପଡ଼ୋଶୀ ରାଷ୍ଟ୍ରମାନଙ୍କରେ ଏହି ମିଜାଇଲ ତ କିଛି ପରିମାଣରେ ଅଛି । ଖାଲି ଇରାନ ଏଇ ଯୁଦ୍ଧରେ ଜିତାପଟରେ ନାହିଁ । ସେ ବି ପାଇଛି ପ୍ରଚୁର ଅର୍ଥ । ଅନ୍ୟ ଦେଶମାନଙ୍କରେ ଥିବା ୧୨ ବିଲିଅନ ଡଲାର, ଯାହାକୁ ଫ୍ରିଜ୍ କରିଦେଇଥିଲା ଆମେରିକା, ତାକୁ ମୁକ୍ତ କରାଯିବ ଓ ତାହା ଇରାନର ପ୍ରାପ୍ୟ । ଇରାନର ତୈଳ ନେଟୱାର୍କ ଉପରେ ଲଗାଯାଇଥିବା କଟକଣା ବି ଉଠିଯାଇଛି । ଏହା ପୁନର୍ବାର ତାର ତୈଳ କାରବାର ମୁକ୍ତଭାବରେ କରିପାରିବ । ଆଉ ଇରାନକୁ ମିଳିବ ୩୦୦ ବିଲିଅନ ଡଲାର ତାର ଧ୍ୱଂସ କରାଯାଇଥିବା ଓ କ୍ଷତି ପହଞ୍ଚା ଯାଇଥିବା କୋଠାଗୁଡ଼ିକୁ ପୁନଃନିର୍ମାଣ କରାଯାଇପାରିବ । ଆମେରିକା ଅବରୋଧ କରି ରଖିଥିବା ହର୍ମୁଜ ପ୍ରଣାଳୀରୁ ଅବରୋଧ ହଟିଯାଇଛି ଓ ତୈଳ କାରବାରକୁ ସ୍ୱାଭାବିକ କରାଯାଇଛି । ଏହା ସବୁ ଯୁଦ୍ଧ ପରବର୍ତ୍ତୀ ଇରାନ ପାଇଁ ଅସାମାନ୍ୟ କୃତିତ୍ୱ ନୁହେଁ କି! ଆଉ ଅଧିକ କଥା ହେଲା, ଇରାନ ଯେବେ ଚାହିଁବ ହର୍ମୁଜ ପ୍ରଣାଳୀରେ ତୈଳ ପ୍ରବାହକୁ ହ୍ରାସ ଏବଂ ଆବଶ୍ୟକ ହେଲେ ସଂପୂର୍ଣ୍ଣ ବନ୍ଦ କରିଦେଇପାରିବ । କାରଣ ଏଇ ଜଳପଥ ଦେଇ ବିଶ୍ୱର ୨୦% ତୈଳ କାରବାର ହୁଏ । କୁହାଯାଇପାରେ, ଇରାନ ହେଉଛି ଏହି ଯୁଦ୍ଧ ଇତିହାସରେ ଏକମାତ୍ର ରାଷ୍ଟ୍ର, ଯିଏକି ରୟେଲଟି ପୁରସ୍କାର ପାଉଛି ଯୁଦ୍ଧ ପରେ ।
କିନ୍ତୁ ହ୍ୱାଇଟ ହାଉସ୍ କହୁଛି ଯୁଦ୍ଧରେ ଆମେ ଜିତିଛୁ । ଅବଶ୍ୟ ଜିତିବାକୁ ଟ୍ରମ୍ପ ଯେପରି ଚିତ୍ରଣ କରୁଛନ୍ତି ଏହା ତାଙ୍କ ପାଇଁ ଅବଶ୍ୟ ବିଜୟ । କାରଣ ଲକ୍ଷ୍ୟହୀନ ଭାବରେ ଇସ୍ରାଏଲ ପ୍ରରୋଚନାରେ ସେ ଯୁଦ୍ଧ ଆରମ୍ଭ କରିଥିଲେ ଓ ଇରାନର ରାଷ୍ଟ୍ରମୁଖ୍ୟ ଖାମେନେଇ ଓ ଅନେକ ମୁଖ୍ୟଙ୍କୁ ହତ୍ୟା କରିଥିଲେ । କିନ୍ତୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଏଥିରେ ଆଦୌ ସନ୍ତୁଷ୍ଟ ନୁହଁନ୍ତି । ସେ ଚାହୁଁଥିଲେ ଇରାନର ସବୁ ମୁଖ୍ୟ ବ୍ୟକ୍ତିତ୍ୱଙ୍କୁ ହଟାଇଦବା ପାଇଁ ଇରାନକୁ ନେତାହୀନ କରିଦବା ପାଇଁ । ନ୍ୟୁୟର୍କ ଟାଇମ୍ସ ପ୍ରକାଶ କରିଛି ଏଥିପାଇଁ ନେତାନ୍ୟାହୁ ଓ ଟ୍ରମ୍ପଙ୍କ ମଧ୍ୟରେ ବିରାଟ ଫାଟ ସୃଷ୍ଟି ହୋଇଯାଇଛି । ପ୍ରଥମ ଦଫା ଶାନ୍ତି ଆଲୋଚନା ପାଇଁ ପାକିସ୍ତାନ ଆସିଥିବା ଇରାନର ମଧ୍ୟସ୍ଥତାକାରୀ ବିଦେଶ ମନ୍ତ୍ରୀ ଆବାସ ଆରାଗାଚି ଓ ପାର୍ଲାମେଣ୍ଟର ବାଚସ୍ପତି ମହମ୍ମଦ ବାଗେର ଗାଲିବାବଙ୍କୁ ହତ୍ୟା କରିବାପାଇଁ ଇସ୍ରାଏଲ ଯୋଜନା କରିଥିଲା ଓ ଏହା ଜାଣି ପାକିସ୍ତାନ, କାତାର ଆଦି ଦେଶକୁ ଆମେରିକା ସତର୍କ ରହି ଏଇ ଦୁହିଁଙ୍କୁ ସୁରକ୍ଷା ପ୍ରଦାନ କରିବାପାଇଁ ପରାମର୍ଶ ଦେଇଥିଲା । ଏହା ପ୍ରଥମ ଥର ପାଇଁ ଆମେରିକା ସ୍ୱୀକାର କରିଥିବା କଥା ନ୍ୟୁୟର୍କ ଟାଇମ୍ସରେ ପ୍ରକାଶ ପାଇଛି । କେବଳ ସେତିକି ନୁହେଁ, ଆମେରିକାର ଗୁଇନ୍ଦା ସଂସ୍ଥା ଜାଣିପାରିଥିଲା ଏସବୁ ଘଟଣା, ଯେବେ ଇସ୍ରାଏଲ ବୋମା ମାଡ଼ କରି ଇରାନର ମଧ୍ୟମପନ୍ଥୀ ନେତା ଅଲି ଲାରିଜାନିଙ୍କୁ ହତ୍ୟା କରିଥିଲା । ଆମେରିକା ତାଙ୍କ ସହିତ କଥାବାର୍ତ୍ତା କରିବାକୁ ଚାହୁଁଥିବା କଥା ଇସ୍ରାଏଲ ଜାଣି ଏଭଳି କାଣ୍ଡ ଘଟାଇଥିଲା । ଏହା ବି ପ୍ରକାଶ ପାଇଛି ।
ତେଣୁ ଟ୍ରମ୍ପ, ନେତାନ୍ୟାହୁଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିବାକୁ ଆରମ୍ଭ କରିଥିଲେ । ସେତେବେଳକୁ ଟ୍ରମ୍ପଙ୍କ ଲୋକପ୍ରିୟତା ଦିନକୁ ଦିନ ହ୍ରାସ ପାଇବାକୁ ଲାଗିଥିଲା । ଆମେରିକାର ଜାଳେଣି ଗ୍ୟାସ, ପେଟ୍ରୋଲ ଦାମ୍ ବୃଦ୍ଧି ପାଇଚାଲିଥିଲା । ନିତ୍ୟବ୍ୟବହାର୍ଯ୍ୟ ଜିନିଷପତ୍ରର ମୂଲ୍ୟ ବୃଦ୍ଧି ଘଟିଥିଲା ଓ ନିବେଶକମାନେ ଆମେରିକା ଉପରୁ ଆସ୍ଥା ହରାଇବାକୁ ଆରମ୍ଭ କରିଥିଲେ । ଯୁଦ୍ଧ ବନ୍ଦ କରିବାକୁ ଅତି ପ୍ରବଳ ଭାବରେ ଆମେରିକା ମଧ୍ୟସ୍ଥ ରାଷ୍ଟ୍ରଙ୍କ ଉପରେ ଚାପ ପକାଇବାକୁ ଆରମ୍ଭ କରିଥିଲା, କିନ୍ତୁ ନେତାନ୍ୟାହୁ ଆଦୌ ଚାହୁଁନଥିଲେ । ସେ ନିଜ ଜବ୍କୁ ସଂପୂର୍ଣ୍ଣ କରିବାକୁ ଚାହୁଁଥିଲେ । ଟ୍ରମ୍ପ ତାଙ୍କ ଉପରେ ବିରକ୍ତ ହେବା ପରିପ୍ରେକ୍ଷୀରେ ସେ ପ୍ରକାଶ କରିଛନ୍ତି- ଇସ୍ରାଏଲ ଆଉ ଆମେରିକା ଉପରେ ନିର୍ଭର କରିବନାହିଁ । ଆମେ ଦାରିଦ୍ର ନୋହୁଁ ଯେ, ଆମେରିକାର ଅର୍ଥ ଉପରେ ନିର୍ଭର କରିବୁ । ଆମର ସୁରକ୍ଷା ପାଇଁ ଯୁଦ୍ଧାସ୍ତ୍ର ଆମେ ନିର୍ମାଣ କରିବୁ । ଆମେ ବେଶ୍ ଧନୀ ରାଷ୍ଟ୍ର । ଏହା ଏଇ ବର୍ଷଠୁଁ ଆରମ୍ଭ କରିବୁ ।
ଏବେ ଟ୍ରମ୍ପ ପଡ଼ିଛନ୍ତି ଅଡୁଆରେ । ଯୁଦ୍ଧ ସମୟରେ ସାଉଦି ଆରବ ମନା କରିଦେଲା ତାର ଏୟାରପେସକୁ ଆମେରିକା ବ୍ୟବହାର କରିପାରିବ ନାହିଁ ଇରାନ ବିରୁଦ୍ଧରେ । ଟ୍ରମ୍ପ ସାଉଦି ଆରବର କ୍ରାଉନପ୍ରିନ୍ସ ଏମ୍. ବି.ଏସ୍. ବା ମହମ୍ମଦ ବିନ୍ ସଲମନଙ୍କୁ ଉପହାସ କରିବାକୁ ଲାଗିଲେ ବାରମ୍ବାର । ଇରାନ ବାରମ୍ବାର ଗଲ୍ଫ ଦେଶମାନଙ୍କରେ ଥିବା ଆମେରିକାର ଏୟାରବେସ୍ଗୁଡ଼ିକୁ ବାରମ୍ବାର ବୋମା ମାଡ଼ କରି ଧ୍ୱଂସ କରିବା ସତ୍ତେ୍ୱ ବି ସେ ଦେଶସବୁ ଆମେରିକା ବିରୁଦ୍ଧରେ କଠୋର ହେଇଗଲେ, କାରଣ ସେମାନେ ଚାହୁଁନଥିଲେ ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ । ଏବେ ସଲମନ ଆମେରିକାକୁ ସେଠାରୁ ଘାଟି ଉଠାଇନବାକୁ ନିର୍ଦ୍ଦେଶ ଦେଇଛନ୍ତି, କାରଣ ଇରାନର ମିଜାଇଲ ଷ୍ଟ୍ରାଇକରେ ତା’ର ଅନେକ ଅଏଲ ରିଫାଇନେରୀ, ଅଏଲ ଡିପୋ ବି ଜଳିଯାଇଥିଲା । ଏମିତି ଘଟିଛି ସବୁ ଗଲ୍ଫ ଦେଶଗୁଡ଼ିକରେ । ସାଉଦି ଆରବରେ ଥିବା ୨୩୦୦ ଟ୍ରୁପକୁ ଆମେରିକା ଫେରାଇ ଆଣିବ । ୧୯୯୦ରୁ ସେମାନେ ରହୁଥିଲେ ସେଠାରେ ସୁରକ୍ଷା ଦବାକୁ ସାଉଦି ଆରବକୁ । କି ସୁରକ୍ଷା ସେମାନେ ଦେଇପାରିଲେ? ଆରବ ଯୁକ୍ତରାଷ୍ଟ୍ର ବା ୟୁଏଇ’ରେ ଅଛନ୍ତି ଆମେରିକାର ୩୫୦୦ ଟ୍ରୁପ, ବାହାରିନରେ ୯ହଜାର ଟ୍ରୁପ୍, କୁଏତରେ ୧୩ହଜାର ୫୦୦ ଟ୍ରୁପ, କାତାରରେ ୧୦ହଜାର ଟ୍ରୁପ । ୯୬୦୦ରୁ ୧୨୮୦୦ କି.ମି. ଦୂରେ ଥାଇ କି ସୁରକ୍ଷା ଦେଇପାରିବ ଆମେରିକା! ଏମାନଙ୍କୁ ଫେରାଇଆଣି ଘାଟିଗୁଡ଼ିକୁ ଛାଡ଼ିଦବ କି ଆମେରିକା?
ଏହାଫଳରେ ଗଲ୍ଫ ଦେଶଗୁଡ଼ିକ ଉପରୁ ଆମେରିକା କର୍ତ୍ତୃତ୍ୱ ହରାଇବ । ଏହି ଦେଶଗୁଡ଼ିକର ଆସ୍ଥା ତୁଟିଆସିଛି ଆମେରିକା ଉପରେ । ଏହା ଟ୍ରମ୍ପଙ୍କୁ ଏକ ଶକ୍ତ ଧକ୍କା କହିଲେ ଅତ୍ୟୁକ୍ତି ହେବନାହିଁ । ଯଦିଓ ସାଉଦି ଆରବ ରୋକଠୋକ୍ ଆମେରିକାକୁ ଘାଟି ଛାଡ଼ିଦବାକୁ କହିଛି, ଏପରିକି ମୁତୟନ ଥିବା ଏୟାର ଡିଫେନ୍ସ ସିଷ୍ଟମ, ଫାଇଟର ଜେଟ୍ ଆଦି ସବୁକୁ । ତା’ ସହିତ ସେହି ଦେଶଗୁଡ଼ିକର ତୈଳ ରପ୍ତାନି ୪୦% ହ୍ରାସ ହେଇଗଲା ଯୁଦ୍ଧ ଯୋଗୁଁ ଓ ହର୍ମୁଜ ପ୍ରଣାଳୀକୁ ଇରାନ ଅବରୋଧ କରିବା ମାଧ୍ୟମରେ । ସେଇ ଦେଶଗୁଡ଼ିକର ଅର୍ଥବ୍ୟବସ୍ଥା ନିର୍ଭର କରେ ବିଶେଷ ଭାବରେ ଏଇ ତୈଳ ରପ୍ତାନି ଉପରେ । କେବଳ ସାଉଦି ଆରବର କ୍ଷତି ହୋଇଛି ୧୩୦ ବିଲିୟନ ଡଲାର । ସେ ଆଉ ଏହାର ପୁନରାବୃତ୍ତି ଚାହେଁନି ।
ଆମେରିକା ଏବେ ପାଳନ କରୁଛି ତା’ର ୨୫୦ ବର୍ଷର ପ୍ରତିଷ୍ଠା ଦିବସ । ଆମେରିକାର କାର୍ଣ୍ଣେଜ ମେଲନ ବିଶ୍ୱବିଦ୍ୟାଳୟ ଓ ୱାଶିଂଟନ ବିଶ୍ୱବିଦ୍ୟାଳୟର ଦୁଇଜଣ ପ୍ରଫେସର ପୃଥକ୍ ଭାବରେ ଦୁଇଟି ପ୍ରବନ୍ଧରେ ଯେଉଁ ତଥ୍ୟ ପ୍ରଦାନ କରିଛନ୍ତି ତାହା ଆଶ୍ଚର୍ଯ୍ୟ ଲାଗେ । ଏହି ସବୁଠାରୁ ଧନୀ ରାଷ୍ଟ୍ରରେ ୧୦% ଲୋକଙ୍କ ପାଖରେ ଅଛି ଆମେରିକାର ୯୦% ସଂପତ୍ତି ଓ ନିମ୍ନରେ ଥିବା ୫୦%ଙ୍କ ପାଖରେ ଅଛି ମାତ୍ର ୩% ସଂପତ୍ତି । ଆଉ ଟ୍ରମ୍ପ ତାଙ୍କର ଏଇମାତ୍ର ଦେଢ଼ବର୍ଷର ରାଷ୍ଟ୍ରପତି ଥିବା କାଳରେ ସଂପତ୍ତିକୁ ୨.୨ ବିଲିଅନ ଡଲାର ବୃଦ୍ଧି କରାଇଛନ୍ତି, ଯାହା ତାଙ୍କର ବିଗତ ୭୯ବର୍ଷ ମଧ୍ୟରେ କେବେ ସମ୍ଭବ ହୋଇନଥିଲା । ଏହା ହେଉଛି ଆମେରିକାର ବାସ୍ତବତା ।