କେନ୍ଦ୍ରାପଡ଼ା/ପଟ୍ଟାମୁଣ୍ଡାଇ ୦୨/୦୩:  ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବିଭୀଷିକା ଦେଖା ଦେଇଥିବା ସମୟରେ ସେଠାରେ ରହି କାମ କରୁଥିବା କେନ୍ଦ୍ରାପଡ଼ା ଜିଲ୍ଲାର ଶ୍ରମିକମାନଙ୍କ ପରିବାର ବ୍ୟତିବ୍ୟସ୍ତ ହୋଇ ପଡ଼ିଛନ୍ତି । ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବ୍ଲକ୍‌ରୁ ପ୍ରାୟ ୫ ହଜାରରୁ ଅଧିକ ଲୋକ ମଧ୍ୟପ୍ରାଚ୍ୟରେ ଫସି ରହିଛନ୍ତି । କିଏ ସ୍ଥାୟୀ ଭାବେ ସେଠାରେ ବ୍ୟବସାୟ କରୁଛନ୍ତି ତ ଆଉ କିଏ ପେଟପାଟଣା ପାଇଁ କାମ କରିବାକୁ ଯାଇଛନ୍ତି । କାମ କରିବାକୁ ଯାଇଥିବା ଶ୍ରମିକମାନଙ୍କ ମଧ୍ୟରୁ ଅଧିକାଂଶ ପାଣି ପାଇପ୍ ମିସ୍ତ୍ରୀ । ପଟ୍ଟାମୁଣ୍ଡାଇ ସହର ବକ୍ତାରପୁରର ବିନୋଦ ବିହାରୀ ମିଶ୍ର ପୁଅକୁ ନେଇ ଏବେ ବ୍ୟସ୍ତ ବିବ୍ରତ ।

ବିନୋଦ କହିଛନ୍ତି କି, ତାଙ୍କ ବଡ଼ ପୁଅ ଶିବଶମ୍ଭୁ ମିଶ୍ର ଇସ୍ରାଏଲର ତେଲ୍ଆଭିଭ୍‌ରେ କାମ କରୁଛନ୍ତି । ସେଠାରେ ପାଣି ପାଇପ୍ ମିସ୍ତ୍ରୀ ଭାବେ ସେ ଅଛନ୍ତି । ଶିବଶମ୍ଭୁଙ୍କ ମା’ ମନୋରମା ମିଶ୍ର ବି ପୁଅ ଚିନ୍ତାରେ ଭାଳି ହେଉଛନ୍ତି । ସେହିଭଳି ପଟ୍ଟାମୁଣ୍ଡାଇ ବ୍ଲକ୍ ଅଧୀନ ବୋଧଗାଁର ବିଜୟ ଦାସ କହିଛନ୍ତି ଯେ ତାଙ୍କ ପୁଅ ବିଶ୍ୱଭାନୁ ଦାସ ବାହାରିନକୁ ୪ ବର୍ଷ ହେଲା କାମ କରିବାକୁ ଯାଇଛନ୍ତି । ସେଠାରେ ସେ ପାଣି ପାଇପ୍ ମିସ୍ତ୍ରୀ ଭାବେ କାମ କରୁଛନ୍ତି ।

ବିଶ୍ୱଭାନୁ ଟେଲିଫୋନ୍ ଯୋଗେ କହିଛନ୍ତି ଯେ ସେ ଏଠାରେ ବାହାରିନ ଏଆଇ ମୁହରକ୍‌ସ୍ଥିତ ଇଲେକ୍ଟ୍ରୋ ମେକାନିକାଲ ସର୍ଭିସେସ୍ ଡବ୍ଲୁଏଲଏଲ(ବେମ୍‌କୋ )ରେ ପାଣି ପାଇପ୍ ମିସ୍ତ୍ରୀ କାମ କରୁଛନ୍ତି । ସେ ରହୁଥିବା ସ୍ଥାନର କିଛି କିଲୋମିଟର ଦୂରରେ ଶନିବାର ରାତିରେ ଘନଘନ ମିସାଇଲ ମାଡ଼ ହୋଇଥିଲା । କମ୍ପାନୀ କର୍ତ୍ତୃପକ୍ଷ ଆମକୁ ଘର ଭିତରେ ରହିବା ପାଇଁ ପରାମର୍ଶ ଦେଇଥିଲେ । ପ୍ରାୟ ୩୦ରୁ ଅଧିକ ଓଡ଼ିଆ ଏହି କମ୍ପାନୀରେ କାମ କରୁଛନ୍ତି । ବିଶ୍ୱଭାନୁଙ୍କ ମା’ ବାସନ୍ତୀ ଓ ପତ୍ନୀ ରଶ୍ମିତା ମଧ୍ୟ ତାଙ୍କୁ ନେଇ ଚିନ୍ତିତ । ତାଙ୍କର ୮ ବର୍ଷ ବୟସର ଏକ ଝିଅ ଅଛି ।

ସେହିପରି ବାସୁଦେବ ମଲିକ ଗଲା ୩ ବର୍ଷ ଧରି ଦୁବାଇରେ ପାଣି ପାଇପ୍ ମିସ୍ତ୍ରୀ ଭାବେ କାମ କରୁଛନ୍ତି । ପରିବାର ଲୋକେ ବ୍ୟଥିତ । କେବଳ ଶିବଶମ୍ଭୁ, ବିଶ୍ୱଭାନୁ ଅବା ବାଦୁଦେବ ନୁହନ୍ତି ଜିଲ୍ଲାର ବହୁ ଯୁବକ ପେଟପାଟଣା ଆଶାରେ ଯାଇ ମଧ୍ୟପ୍ରାଚ୍ୟର ବିଭିନ୍ନ ରାଷ୍ଟ୍ରରେ କାମ କରୁଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର୍ ଆୟାର କହିଛନ୍ତି ଯେ ଯେଉଁ ଭାରତୀୟମାନେ ମଧ୍ୟପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକରେ ରହିଛନ୍ତି, ସେମାନଙ୍କ ସୁରକ୍ଷା ନିମନ୍ତେ କେନ୍ଦ୍ର ସରକାରଙ୍କ ତରଫରୁ ଗାଇଡ୍ଲାଇନ୍ ଜାରି କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାର କେତେଜଣ ସେଠାରେ ଅଛନ୍ତି ସେ ବିଷୟରେ ସେ ଶ୍ରମ ଅଧିକାରୀଙ୍କ ସହ କଥା ହେବେ ।