ତେହରାନ/ୱାଶିଂଟନ ଡିସି,୨୦/୦୫: ଆମେରିକା ଖୁବଶୀଘ୍ର ଇରାନ ଉପରେ ଆକ୍ରମଣ କରିପାରେ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ନେଇ ରିପୋର୍ଟ ସାମ୍ନାକୁ ଆସୁଛି । ଅନ୍ୟପକ୍ଷରେ ଏହା ଉପରେ କଡ଼ା ପ୍ରତିକ୍ରିୟା ରଖିଛି ଇରାନ । ଦେଶର ସେନା ମୁଖପାତ୍ର ମହମ୍ମଦ ଆକ୍ରାମିନିଆ କହିଛନ୍ତି, ଆମେରିକା ଯଦି ହମଲା କରେ, ତେବେ ନୂଆ ତରିକାରେ ଜବାବ ଦିଆଯିବ ।

ଜାୟୋନିଷ୍ଟ ଜାଲରେ ପୁଣି ଫସିବାକୁ ଯଦି ଶତ୍ରୁପକ୍ଷ ବୋକାମି କରେ ଏବଂ ଆମ ଇରାନ ବିରୋଧରେ ନୂଆ ଆକ୍ରମଣ କରେ, ତେବେ ଆମେ ନୂଆ ଯୁଦ୍ଧ ସରଞ୍ଜାମ ଏବଂ ନୂଆ ଉପାୟରେ ଏହା ବିରୋଧରେ ଲଢ଼ିବୁ । ମହମ୍ମଦ ଆକ୍ରାମିନିଆଙ୍କର ଏଭଳି ବୟାନରୁ ଜଣାପଡ଼ୁଛି ଯେ ଆମେରିକା ଭଳି ଇରାନ ମଧ୍ୟ ଯୁଦ୍ଧ ପାଇଁ ବଡ଼ ପ୍ରସ୍ତୁତି କରିଛି । ଯଦି ଉଭୟ ଦେଶ ନିଜ ଜିଦ୍ରେ ଅଟଳ ରହି ପରସ୍ପର ଉପରେ ପୁଣି ଆକ୍ରମଣ କରନ୍ତି, ତେବେ ସ୍ଥିତି ଆହୁରି ଭୟଙ୍କର ହେବ ।

ଅଧିକ ପଢ଼ନ୍ତୁ :-Iran Warns US: ମାର୍କିନ ସେନାର କବରସ୍ଥଳୀ ପାଲଟିବ ଓମାନ ସାଗର, ୟୁଏସର ହୋର୍ମୁଜ ଅବରୋଧ ପରେ ଇରାନ ରକ୍ତସଂହାର ଧମକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ସମାପ୍ତ ପାଇଁ ଆମେରିକା ଏବଂ ଇରାନ ନୂଆ ସର୍ତ୍ତ ଓ ଦାବି ରଖୁଛନ୍ତି । କିନ୍ତୁ ଶାନ୍ତି ଆଲୋଚନା ଆଗକୁ ବଢ଼ାଇବା ଲାଗି ଏଗୁଡ଼ିକ ପର୍ଯ୍ୟାପ୍ତ ହେଉନାହିଁ । ଇରାନ ଏହାର ପରମାଣୁ କାର୍ଯ୍ୟକ୍ରମକୁ ୨୦ ବର୍ଷ ରୋକିଦେଉ ବୋଲି ଆମେରିକା ଚାହୁଁଛି । କିନ୍ତୁ ଇରାନ ପଛକୁ ହଟିବା ସ୍ଥିତିରେ ନାହିଁ । ଏହାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କ୍ଷୁବ୍ଧ ହୋଇଛନ୍ତି । ତେବେ ଆଗାମୀ ଦିନେ ଦୁଇଦିନ ମଧ୍ୟରେ ଆମେରିକାର ସମ୍ଭାବ୍ୟ ଆକ୍ରମଣ ଟଳିଯାଇଛି । କତାର, ସାଉଦି ଏବଂ ୟୁଏଇର ନେତାମାନଙ୍କ ପରାମର୍ଶ ପରେ ଏହା ଟଳିଥିବା ଟ୍ରମ୍ପ୍ କହିଛନ୍ତି ।

ଆକ୍ରାମିନିଆ କହିଛନ୍ତି, ଯୁଦ୍ଧବିରତି ସମୟରେ ଆମେ ନିଜ ସେନା କ୍ଷମତା ମଜଭୁତ କରିଛୁ । ଇରାନର ରଣନୀତିକ ହୋର୍ମୁଜ ଜଳମାର୍ଗ ଉପରେ ନିୟନ୍ତ୍ରଣ ଜାରି ରହିଛି । ଇରାନ ବି ଏହାକୁ ବନ୍ଦ କରିଦେଇଛି । ଏହା ଦେଇ ଯାଉଥିବା ଜାହାଜଗୁଡ଼ିକଠାରୁ ଆମେ ଶୁଳ୍କ ଚାହୁଁଛୁ । ଶତ୍ରୁ ପକ୍ଷ ପାଇଁ ଏକମାତ୍ର ରାସ୍ତା ହେଉଛି ସେମାନେ ଇରାନୀ ରାଷ୍ଟ୍ରର ସମ୍ମାନ କରନ୍ତୁ ଏବଂ ଇସଲାମୀ ଗଣରାଜ୍ୟର ବୈଧ ଅଧିକାର କ୍ଷୁଣ୍ଣ କରିବାକୁ କୌଣସି ପଦକ୍ଷେପ ନ ନିଅନ୍ତୁ ।