ନୂଆଦିଲ୍ଲୀ,୨୮/୦୩; ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧୦ ଦିନିଆ ଯୁଦ୍ଧବିରତି ଲଗାଇଛନ୍ତି । ଇରାନ ଏନର୍ଜି ପ୍ଲାଣ୍ଟ ଉପରେ ଆକ୍ରମଣ ହେବନି ବୋଲି କହିଛନ୍ତି । ଆଲୋଚନା ସକରାତ୍ମକ ଥିବା କହି ଆସୁଛନ୍ତି ହେଲେ ମଧ୍ୟପ୍ରାଚ୍ୟ ଯୁଦ୍ଧ ନିଆଁ ଥମୁନି । ଇସ୍ରାଏଲ ଇରାନ ବିରୋଧରେ ସାମିରିକ ଅଭିଯାନ ବୃଦ୍ଧି କରିବାକୁ ଧମକ ଦେବାର କିଛି ଘଣ୍ଟା ପରେ ଇସ୍ରାଏଲ ସେନା ଇରାନ ପରମାଣୁ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିଥିଲେ । ଏହାର କଡ଼ା ଜବାବ ଦେଇଛି ଇରାନ । ସାଉଦି ଆରବର ଆମେରିକାର ପ୍ରିନ୍ସ ସୁଲତାନ ବାୟୁସେନା ଘାଟି ଉପରେ ଏକ ବଡ଼ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଛି ତେହେରାନ । ଯେଉଁଥିରେ ୧୦ ଜଣ ଆମେରିକୀୟ ସୈନିକ ଆହତ ହୋଇଛନ୍ତି । ଅନେକ ବିମାନ କ୍ଷତିଗ୍ରସ୍ତ ହୋଇଛି । ଏହି ଘଟଣା ବାବଦରେ ଦୁଇଜଣ ଆମେରିକୀୟ ଅଧିକାରୀ ନାମ ଗୋପନ ରଖି ସର୍ତ୍ତରେ ଘଟଣା ନିଶ୍ଚିତ କରିଛନ୍ତି ।
ମିସାଇଲ ମାଡରେ ବିମାନର କ୍ଷତି ହୋଇଥିବା ସାଟେଲାଇଟ୍ ଚିତ୍ରରେ ଦେଖିବାକୁ ମିଳିଛି । ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ପ୍ରଥମେ ଏହି ଆକ୍ରମଣ ବିଷୟରେ ରିପୋର୍ଟ କରିଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଧ୍ୱଂସ କରଯାଇଥିବା କହିବାର ଗୋଟିଏ ଦିନ ପରେ ଏହି ଆକ୍ରମଣ ହୋଇଛି । ଆମେରିକା ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ମଧ୍ୟ ଦାବି କରିଛନ୍ତି ଯେ, ଇତିହାସରେ କେବେ ବି କୌଣସି ଦେଶର ସାମରିକ ବାହିନୀକୁ ଏତେ ଶୀଘ୍ର ଏବଂ ଏତେ ପ୍ରଭାବଶାଳୀ ଭାବେ ନିରପେକ୍ଷ କରାଯାଇ ନାହିଁ । ପୂର୍ବରୁ ଇରାନର ପରମାଣୁ ସଂଗଠନ ଅନୁଯାୟୀ ଆରାକରେ ଥିବା ଶାହିଦ ଖୋଣ୍ଡାବ ଭାରୀ ଜଳ କମ୍ପ୍ଲେକ୍ସ ଏବଂ ଯାଜହ ପ୍ରଦେଶର ଆର୍ଦାକାନ ୟେଲୋକେକ୍ ଉତ୍ପାଦନ ପ୍ଲାଣ୍ଟକୁ ଟାର୍ଗେଟ କରାଯାଇଥିଲା । ପ୍ରିନ୍ସ ସୁଲତାନ ବାୟୁ ସେନା ଘାଟି ଇରାନର ପ୍ରଥମ ଆକ୍ରମଣ ନୁହେଁ । ପୂର୍ବରୁ ମାର୍ଚ୍ଚ ୧ରେ ସମାନ ଘାଟି ଉପରେ ହୋଇଥିବା ଆକ୍ରମଣରେ ୨୬ ବର୍ଷୀୟ ସାର୍ଜେଣ୍ଟ ବେଞ୍ଜାମିନ୍ ଏନ ପେନିଂଟନ୍ ଆହତ ହୋଇଥିଲେ । କିଛି ଦିନ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଯୁଦ୍ଧରେ ମୃତ ୧୩ ଜଣ ଆମେରିକୀୟ ସେନାଙ୍କ ମଧ୍ୟରେ ଜଣେ ।
ଏହା ବି ପଢନ୍ତୁ...ଇରାନୀ ମିସାଇଲରେ ‘ଥ୍ୟାଙ୍କ୍ ୟୁ ଇଣ୍ଡିଆ’ ବାର୍ତ୍ତା, ଭାରତୀୟଙ୍କୁ ଜଣାଇଲା ଧନ୍ୟବାଦ
ସାଉଦି ଆରବ ଦାବି କରିଛି ଯେ, ଇରାନ ପକ୍ଷରୁ ରାଜଧାନୀ ରିୟାଦକୁ ଲକ୍ଷ୍ୟ କରି ନିକ୍ଷେପ କରାଯାଇଥିବା ଏକ କ୍ଷେପଣାସ୍ତ୍ରକୁ ଅଟକାଇ ନଷ୍ଟ କରିଦିଆଯାଇଛି । ଯାହା ଫଳରେ ବଡ଼ ଧରଣର କ୍ଷତି ଏଡାଇ ହୋଇଯାଇଛି । ତେବେ ଇରାନ ଆକ୍ରମଣ ଯୋଗୁ ସାମଗ୍ରିକ ଭାବରେ, ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି ଏବଂ ଏହି ସଂଘର୍ଷ ଶୀଘ୍ର ଶେଷ ହେବାର ସମ୍ଭାବନା କମ୍ ଦେଖାଯାଉଛି ।