ଭୁବନେଶ୍ୱର,୧୯/୧୨: କେରଳରୁ ସୁଦୂର ଇରାନ୍ ଓ ତାଜିକିସ୍ତାନକୁ ଲମ୍ବିଥିବା ଅନ୍ତର୍ଜତୀୟ କିଡ୍ନୀ ରାକେଟ୍ ଖୋଳତାଡ଼ ବେଳେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ)କୁ ଓଡ଼ିଶାର ସମ୍ପୃକ୍ତି (ଲିଙ୍କ) ମିଳିଛି । ଚଳିତବର୍ଷ ଓଡ଼ିଶାରୁ ୨ଜଣ ବ୍ୟକ୍ତିଙ୍କୁ ତାଜିକିସ୍ତାନ ଚାଲାଣ କରାଯାଇଥିଲା । ସେଠାରେ ୨ଜଣଙ୍କ କିଡ୍ନୀକୁ ଧନୀକ ଶ୍ରେଣୀୟ ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଥିଲା । ଏହି ପ୍ରତ୍ୟାରୋପଣ ସମ୍ପର୍କରେ ଅଧିକ ତଥ୍ୟ ଗୋଟାଇବାକୁ ଏନ୍ଆଇଏ ଟିମ୍ ଖୁବ୍ଶୀଘ୍ର ଓଡ଼ିଶା ଆସିପାରେ ।
ଗତବର୍ଷ ମେ’ ୨୯ରେ କେରଳରେ ଏକ ଆନ୍ତର୍ଜତୀୟ କିଡ୍ନୀ ରାକେଟ୍ ରହସ୍ୟ ଉନ୍ମୋଚିତ ହୋଇଥିଲା । ସେଠାକାର କିଛି ଗରିବ ଲୋକଙ୍କୁ ମୋଟା ଅଙ୍କର ଅର୍ଥ ଦେଇ ଇରାନ୍କୁ ନିଆଯାଉଥିଲା । ସେଠାକାର କିଛି ବଛା ବଛା ହସ୍ପିଟାଲରେ ସେମାନଙ୍କ ଶରୀରରୁ କିଡ୍ନୀ କାଢ଼ି ନିଆଯାଉଥିଲା । ଇରାନ୍ର ଏକ ଫ୍ଲାଟ୍ରେ ୨୦ ଦିନ ପାଇଁ ବିଶ୍ରାମ କରିବା ପରେ ପୀଡ଼ିତମାନେ ବିମାନ ଯୋଗେ ଭାରତକୁ ଫେରୁଥିଲେ । ଏହି ରାକେଟ୍ରେ ସମ୍ପୃକ୍ତ ଦଲାଲମାନେ ଗରିବ ଲୋକଙ୍କ କିଡ୍ନୀକୁ ଧନୀକ ଶ୍ରେଣୀୟ ରୋଗୀମାନଙ୍କୁ ବିକି କୋଟି କୋଟି ଟଙ୍କା କମାଉଥିଲେ । ମାମଲାରେ ନେଡୁମ୍ବାସେରୀ ଥାନା ପୁଲିସ ୩ଜଣଙ୍କୁ ଗିରଫ କରିଥିଲା । ଏହି ରାକେଟ୍ରେ ବାହ୍ୟ ଦେଶର ସମ୍ପୃକ୍ତି ଥିବାରୁ ଏନଆଇଏ ଟିମ୍ ତଦନ୍ତଭାର ନେଇଥିଲା । ନଭେମ୍ବର ୭ ତାରିଖରେ କୋଚିରୁ ମଧୁ ଜୟକୁମାର ନାମକ କାର୍ପଟଦାରକୁ ଏନ୍ଆଇଏ କାବୁ କରିଥିଲା । ତାକୁ ପଚରାଉଚରା ବେଳେ ରାକେଟ୍ରେ ଚେର କେବଳ ଇରାନ ନୁହେଁ, ବରଂ ତାଜିକିସ୍ତାନକୁ ମଧ୍ୟ ଲମ୍ବିଥିବା ଜଣାପଡ଼ିଛି । ରାକେଟରୁ ମିଳୁଥିବା ବିଦେଶୀ ମୁଦ୍ରାକୁ ‘ଷ୍ଟେମା କ୍ଲବ’ ଜରିଆରେ ବିଟ୍ କଏନ ଓ ୟୁଏସଡିଟିରେ ରୂପାନ୍ତରଣ କରି ପକେଟ୍ରେ ପୁରାଉଥିଲା ମଧୁ ।
ଗତ ୧୫ ତାରିଖରୁ ମଧୁକୁ ରିମାଣ୍ଡରେ ନେଇ ଏନ୍ଆଇଏ ଟିମ୍ ଜେରା କରୁଛି । ସେଥିରୁ ଜଣାପଡ଼ିଛି ଯେ ତା’ ରାକେଟ୍ରେ ଫସିଥିବା ୨୭ଜଣ ଭାରତୀୟଙ୍କ କିଡ୍ନୀ ପ୍ରତ୍ୟାରୋପଣ ଇରାନ୍ରେ କରାଯାଇଛି । ଏମିତିକି ୧୧ଜଣ ପୀଡ଼ିତ ନିଜ କିଡ୍ନୀ ହରାଇଛନ୍ତି । କେବଳ ସେତିକି ନୁହେଁ, ୨ଜଣ ଓଡ଼ିଆ ବ୍ୟକ୍ତି ମଧ୍ୟ ଏହି କିଡ୍ନୀ ରାକେଟ୍ରେ ଫସିଛନ୍ତି । ସେମାନଙ୍କୁ ତାଜିକିସ୍ତାନ ନିଆଯାଇ ସେଠାକାର ଏକ ହସ୍ପିଟାଲରେ କିଡ୍ନୀ କଢ଼ାଯାଇଛି । ଓଡ଼ିଆ ଯୁବକଦ୍ୱୟ କେମିତି ଓ କେବେ ମଧୁ ରାକେଟ୍ରେ ଫସିଥିଲେ? ସେହି ଦିଗରେ ଏନ୍ଆଇଏ ଟିମ୍ ତଦନ୍ତ ଆଗେଇଛି । ମଧୁ ଓ ତା’ ସମ୍ପର୍କୀୟମାନଙ୍କ ବ୍ୟାଙ୍କ ଆକାଉଣ୍ଟ ସମେତ ମୋବାଇଲରୁ ମିଳିଥିବା ତଥ୍ୟକୁ ଗୁରୁତ୍ୱ ଦିଆଯାଉଛି ।