ନୂଆଦିଲ୍ଲୀ, ୨୩।୩: ଆମେରିକା ଏବଂ ଇରାନ ମଧ୍ୟରେ ବଢୁଥିବା ତିକ୍ତତା ଏବେ ମଧ୍ୟପ୍ରାଚ୍ୟର ଅନ୍ୟ ଦେଶମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ବିଶେଷ କରି ଡୋନାଲ୍ଡ ଟ୍ରମ୍ପଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ଉପସାଗରୀୟ ଦେଶ ଅର୍ଥାତ୍ ଗଲ୍ଫ ଦେଶଗୁଡ଼ିକର ନିଦ ହଜାଇ ଦେଇଛି । ଟ୍ରମ୍ପ ଯଦି ଇରାନର ପାୱାର ପ୍ଲାଣ୍ଟ ଉପରେ ଆକ୍ରମଣ କରନ୍ତି, ତେବେ ଏହାର ପରିଣାମ କେବଳ ଇରାନ ନୁହେଁ, ବରଂ ସମଗ୍ର ଆରବ ଜଗତ ପାଇଁ ବିପର୍ଯ୍ୟୟ ଆଣିଦେବ ବୋଲି ଆଶଙ୍କା କରାଯାଉଛି । ଟ୍ରମ୍ପ ପୂର୍ବରୁ ସଙ୍କେତ ଦେଇଛନ୍ତି ଯେ ସେ ଇରାନର ଶକ୍ତି କେନ୍ଦ୍ରଗୁଡ଼ିକୁ ଟାର୍ଗେଟ୍ କରିପାରନ୍ତି । ଏଥିମଧ୍ୟରେ ପ୍ରମୁଖ ହେଉଛି ବୁଶେହର ପରମାଣୁ ପ୍ଲାଣ୍ଟ । ଏହା ତେହେରାନଠାରୁ ୭୫୦ କିମି ଦୂରରେ ଏକ ଗୁରୁତ୍ୱପୂର୍ଣ୍ଣ ନୌସେନା ବେସ୍ ନିକଟରେ ଅବସ୍ଥିତ । ଯଦି ଏହି ପ୍ଲାଣ୍ଟ ଉପରେ ହମଲା ହୁଏ, ତେବେ ସେଥିରୁ ବାହାରିବାକୁ ଥିବା ରେଡିଏସନ୍ ସମଗ୍ର ପର୍ସିଆନ ଗଲ୍ଫ ବା ପାରସ୍ୟ ଉପସାଗରର ଜଳକୁ ବିଷାକ୍ତ କରିଦେବ ।

ସାଉଦି ଆରବ, କତାର, କୁଏତ ଏବଂ ୟୁଏଇ ଭଳି ଦେଶଗୁଡ଼ିକ ଭୂତଳ ଜଳ କିମ୍ବା ନଦୀ ଉପରେ ନୁହେଁ, ବରଂ ସମୁଦ୍ର ଜଳକୁ ମିଠା ପାଣିରେ ପରିଣତ କରୁଥିବା ଡିସାଲିନେସନ୍ ପ୍ଲାଣ୍ଟ (Desalination Plants) ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । କହିରଖୁଛୁ ଯେ, ସମଗ୍ର ବିଶ୍ୱର ସମୁଦ୍ର ଜଳକୁ ମିଠା କରିବା କ୍ଷମତାର ୬୦% କେବଳ ଆରବ ଦ୍ୱୀପରେ ରହିଛି । ପାରସ୍ୟ ଉପସାଗର କୂଳରେ ଥିବା ପ୍ଲାଣ୍ଟଗୁଡ଼ିକ ବିଶ୍ୱର ୩୦% ପିଇବା ପାଣି ପ୍ରସ୍ତୁତ କରନ୍ତି । ଯଦି ପରମାଣୁ ବିକିରଣ ଯୋଗୁଁ ସମୁଦ୍ର ପାଣି ଦୂଷିତ ହୁଏ, ତେବେ ଏହି ପ୍ଲାଣ୍ଟଗୁଡ଼ିକ ବନ୍ଦ ହୋଇଯିବ ଏବଂ କୋଟି କୋଟି ଲୋକ ପିଇବା ପାଣି ପାଇଁ ସମସ୍ୟାର ସମ୍ମୁଖୀନ ହେବେ ।

ଏହା ବି ପଢ଼ନ୍ତୁ...​​​​​​​ ବିମାନବନ୍ଦରରେ ବଡ଼ ଦୁର୍ଘଟଣା: ଟ୍ରକ୍ ସହ ଧକ୍କା ହେଲା ବିମାନ, ୨ ମୃତ

ଅର୍ଥନୀତି ଓ ସୁରକ୍ଷା ଉପରେ ଚଡ଼କ:

ଖାଲି ପାଣି ନୁହେଁ, ଇରାନର ପାଲଟା ଆକ୍ରମଣରେ ଏହି ଦେଶଗୁଡ଼ିକର ତୈଳ ଏବଂ ଗ୍ୟାସ୍ ଭିତ୍ତିଭୂମି ମଧ୍ୟ ଛାରଖାର ହୋଇଯାଇପାରେ । ଆରବ ଦେଶଗୁଡ଼ିକ ଅଭିଯୋଗ କରିଛନ୍ତି ଯେ ଆମେରିକା ସହ ସେମାନଙ୍କର ବନ୍ଧୁତା ଏବଂ ବିପୁଳ ପୁଞ୍ଜିନିବେଶ ସତ୍ତ୍ୱେ, ୱାଶିଂଟନ୍ ସେମାନଙ୍କ ସୁରକ୍ଷା ପ୍ରତି ଆଖିଦୃଶିଆ ପଦକ୍ଷେପ ନେଉନାହିଁ । "ଇରାନ ସ୍ପଷ୍ଟ କରିଛି ଯେ କୌଣସି ଧମକ କାମ ଦେବନାହିଁ । ଯଦି ଆମେରିକା ଶକ୍ତି ପ୍ରୟୋଗ କରେ, ତେବେ ଇରାନର ପାଲଟା ଜବାବ ସମଗ୍ର ବିଶ୍ୱ ଅର୍ଥନୀତିକୁ ଦୋହଲାଇ ଦେବ।"