ନୂଆଦିଲ୍ଲୀ, ୨।୩: ପଶ୍ଚିମ ଏସିଆର ସଂଘର୍ଷ ଏବେ ବିଶ୍ୱବ୍ୟାପୀ ରୂପ ନେବାରେ ଲାଗିଛି । ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣର ଜବାବ ଦେବାକୁ ଯାଇ ଇରାନ ଏବେ ୟୁରୋପୀୟ ଶକ୍ତିମାନଙ୍କୁ ଟାର୍ଗେଟ୍ କରିବା ଆରମ୍ଭ କରିଛି । ସାଇପ୍ରସରେ ଥିବା ବ୍ରିଟିଶ୍ ସାମରିକ ଘାଟି (RAF Akrotiri) ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE) ରେ ଥିବା ଫ୍ରେଞ୍ଚ୍ ନୌସେନା ବେସ୍ ଉପରେ ଇରାନର ମାରାତ୍ମକ ଡ୍ରୋନ୍ ମାଡ଼ ହୋଇଥିବା ସୂଚନା ମିଳିଛି । RAF Akrotiri ରେ ଡ୍ରୋନ୍ ମାଡ଼: ସାଇପ୍ରସରେ ଥିବା ବ୍ରିଟେନର ଗୁରୁତ୍ୱପୂର୍ଣ୍ଣ ସାମରିକ ଘାଟି ଉପରେ ସୋମବାର ମଧ୍ୟରାତ୍ରିରେ ଡ୍ରୋନ୍ ଆକ୍ରମଣ ହୋଇଛି । ବ୍ରିଟିଶ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ଖବରକୁ ନିଶ୍ଚିତ କରିବା ସହ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ସର୍ବୋଚ୍ଚ ସ୍ତରକୁ ବଢ଼ାଇ ଦେଇଛି ।
ଏହା ବି ପଢ଼ନ୍ତୁ... ବେରୁଟ୍ରେ ଖଣ୍ଡପ୍ରଳୟ: ଏୟାରଷ୍ଟ୍ରାଇକ୍ରେ ୩୧ ମୃତ, ରକ୍ତର ପ୍ରତିଶୋଧ ନେଉଛି ଇସ୍ରାଏଲ ସେନା !
ଏହି ଆକ୍ରମଣରେ ବେସ୍ର କିଛି ସାମାନ୍ୟ କ୍ଷତି ହୋଇଥିବା ବେଳେ କୌଣସି ପ୍ରାଣହାନିର ସୂଚନା ମିଳିନାହିଁ । ସମସ୍ତ କର୍ମଚାରୀଙ୍କୁ ଘର ଭିତରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବ୍ରିଟିଶ୍ ପ୍ରଧାନମନ୍ତ୍ରୀ କିର ଷ୍ଟାରମର୍ କହିଛନ୍ତି ଯେ, ଇରାନର ମିସାଇଲ୍ ଆକ୍ରମଣକୁ ରୋକିବା ପାଇଁ ବ୍ରିଟେନ ନିଜର ବେସ୍ଗୁଡ଼ିକ ବ୍ୟବହାର କରିବାକୁ ଆମେରିକାକୁ ଅନୁମତି ଦେଇଛି । ଆବୁଧାବିରେ ଫ୍ରେଞ୍ଚ୍ ବେସ୍ ‘କ୍ୟାମ୍ପ ଡେ ଲା ପ୍ୟାକ୍ସ’ ଟାର୍ଗେଟ୍: ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ କ୍ୟାଥରିନ୍ ଭୋଟ୍ରିନ୍ ନିଶ୍ଚିତ କରିଛନ୍ତି ଯେ, ଆବୁଧାବି ବନ୍ଦର ନିକଟରେ ଥିବା ଫ୍ରେଞ୍ଚ୍ ନୌସେନା ବେସ୍ର ଏକ ହ୍ୟାଙ୍ଗର (Hangar) ଉପରେ ଡ୍ରୋନ୍ ମାଡ଼ ହୋଇଛି । ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ ଏହି ଘଟଣା ପରେ ଏକ ଜରୁରୀକାଳୀନ ସୁରକ୍ଷା ବୈଠକ ଡକାଇଛନ୍ତି । ଫ୍ରାନ୍ସ ଏବେ ଆମେରିକା, ଜର୍ମାନୀ ଏବଂ ବ୍ରିଟେନ ସହ ମିଶି ଇରାନର ଆକ୍ରମଣକୁ ପ୍ରତିହତ କରିବାକୁ ପ୍ରସ୍ତୁତ ବୋଲି ସୂଚନା ଦେଇଛି । ଇରାନର ଏହି ପାଲଟା ଆକ୍ରମଣ ଯୋଗୁଁ ୟୁଏଇ (UAE), କତାର, ବାହାରିନ, ଜର୍ଡାନ ଏବଂ କୁଏତ ଭଳି ଦେଶଗୁଡ଼ିକ ଏବେ ଭୟଙ୍କର ସଙ୍କଟ ଦେଇ ଗତି କରୁଛନ୍ତି । ଏହି ସବୁ ଦେଶରେ ଆମେରିକାର ସାମରିକ ଘାଟି ରହିଛି, ଯାହାକୁ ଇରାନ ଟାର୍ଗେଟ୍ କରୁଛି ।