ତେହେରାନ : ଇରାନ ଆମେରିକାର ବଡ଼ କ୍ଷତି କରିଥିବାର ଦାବି କରିଛି। ଶନିବାର ଇରାନ କହିଛି, ସେ ଆମେରିକାର ଦୁବାଇ ସ୍ଥିତ ଠିକଣା ଗୁଡ଼ିକୁ ଖୁବ୍ କ୍ଷତି ପହଞ୍ଚାଇଛି। ଇରାନର ସରକାରୀ ନ୍ୟୁଜ୍ ଏଜେନ୍ସି ତସନିମ କହିଛି ସେ ଏଠାରେ ଆମେରିକୀୟ ସେନାର ଠିକଣା ଉପରେ ଆକ୍ରମଣ କରିଛି। ନ୍ୟୁଜ୍ ଏଜେନ୍ସି ମୁତାବିକ ହଜରତ ଖତମ ଅଲ୍ –ଅମ୍ୱିଆର ସେଣ୍ଟ୍ରାଲ ହେଡକ୍ୱାଟରର ଜଣେ ମୁଖପାତ୍ର କହିଛନ୍ତି , ଲୁକାୟିତ ଏହି ଠିକଣା ଗୁଡ଼ିକରେ ୫୦୦ରୁ ଅଧିକ ଆମେରିକୀୟ ସୈନ୍ୟକର୍ମୀ ଥିଲେ। ପ୍ରଥମ ସ୍ଥାନରେ ପାଖାପାଖି ୪୦୦ ଜଣ ସୈନିକ ଓ ଦ୍ୱିତୀୟରେ ୧୦୦ଜଣ ସୈନିକ ଉପସ୍ଥିତ ଥିଲେ। ଅନ୍ୟପଟେ , ଇରାନୀ ରାଷ୍ଟ୍ରପତି ଉପସାଗରୀୟ ଦେଶ ଗୁଡ଼ିକୁ ଚେତାବନୀ ମଧ୍ୟ ଜାରି କରିଛି।

ଡ୍ରୋନ୍ ଓ ମିସାଇଲ ଦ୍ୱାରା ସଠିକ୍ ଆକ୍ରମଣ –

ଆଇଆରଜିସି ଏହି ସ୍ଥାନ ଗୁଡ଼ିକର ଚିହ୍ନଟ କରିଛି। ଏହାପରେ ସଠିକ୍ ମିସାଇଲ ଓ ଡ୍ରୋନ୍ ଆକ୍ରମଣ କରାଯାଇଛି। ଏହି ସବୁ ଆକ୍ରମଣରେ ବହୁ ସଂଖ୍ୟାରେ ସୈନିକ ଆହତ ହୋଇଛନ୍ତି। ତସନୀମ ନ୍ୟୁଜ୍ ଏଜେନ୍ସିର ମୁଖପାତ୍ର ଦାବି କରିଛନ୍ତି ଯେ, ଦୁବାଇରେ ଆମ୍ୱୁଲାନ୍ସ ମୃତ୍ୟୁ ଓ ଆହତ ଆମେରିକୀୟଙ୍କୁ ନେଇ ଯିବାରେ ଘଣ୍ଟା ଘଣ୍ଟା ବ୍ୟସ୍ତ ରହିଛି। ମୁଖପାତ୍ର କହିଛନ୍ତି ଯେ,ଟ୍ରମ୍ପ ଓ ଆମେରିକୀୟ ସେନାର କମାଣ୍ଡରଙ୍କୁ ସଂପୂର୍ଣ୍ଣ ବୁଝି ନେବାର ଥିଲା ଯେ, ଏହି କ୍ଷେତ୍ର ଆମେରିକୀୟ ସୈନିକଙ୍କ ପାଇଁ କବରସ୍ଥାନରେ ପରିବର୍ତ୍ତନ ହୋଇଯିବ। ସେ ଏହା ମଧ୍ୟ କହିଛନ୍ତି , ଆମେରିକା ନିକଟରେ ଏଠାରେ ସରେଣ୍ଡର କରିବା ବ୍ୟତୀତ କୌଣସି ବିକଳ୍ପ ରହିବ ନାହିଁ। ଏହି ମଧ୍ୟରେ , ଇରାନୀ ରାଷ୍ଟ୍ରପତି ମସୁଦ ପେଜେଶକିୟାନ ଗଲ୍ଫ ଦେଶଗୁଡ଼ିକୁ ଆମେରିକା ଓ ଇସ୍ରାଏଲର ସମର୍ଥନ କରିବା ବିରୋଧରେ ଚେତାବନୀ ଦେଇଛି।

ପେଜେଶକିୟାନ ଦେଶ ଗୁଡ଼ିକୁ ପରାମର୍ଶ ଦେଇଛନ୍ତି ଯେ, ଯଦି ସେ ନିଜ ଦେଶରେ ବିକାଶ ଓ ସୁରକ୍ଷା ସୁନିଶ୍ଚିତ କରିବାକୁ ଚାହାନ୍ତି ତ ତାଙ୍କୁ ଆମେରିକା ଓ ଇସ୍ରାଏଲକୁ ନିଜ ଦେଶର ମାଟିର ବ୍ୟବହାର କରି ଇରାନ ଉପରେ ଆକ୍ରମଣ କରିବାର ଅନୁମତି ଦେବା ଉଚିତ ନୁହେଁ। ସେ ଦୋହରାଇଛନ୍ତି ଯେ, ଯଦି ତେହେରାନର ମୌଳିକ ଭିତ୍ତିଭୂମି କିମ୍ୱା ଆର୍ଥିକ କେନ୍ଦ୍ରକୁ ଟାର୍ଗେଟ୍ କରାଯାଏ ତ ଇରାନ , ଆମେରିକା ଓ ଇସ୍ରାଏଲ ସହ କଡ଼ା ପ୍ରତିଶୋଧ ନେବ। ପେଜେଶକିୟାନ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି ଯେ, ଆମେ ଅନେକ ଥର କହିଛୁ ଯେ, ଇରାନ ପ୍ରଥମେ ଆକ୍ରମଣ କରେନାହିଁ। କିନ୍ତୁ ଆମର ଇନଫ୍ରାଷ୍ଟ୍ରକଚର କିମ୍ୱା ଆର୍ଥିକ କେନ୍ଦ୍ରକୁ ଟାର୍ଗେଟ୍ କରାଗଲେ, ଆମେ ମଧ୍ୟ ପଛରେ ରହିବୁ ନାହିଁ।