ନୂଆଦିଲ୍ଲୀ,୧୨।୩: ଇରାନ ଏବଂ ଇସ୍ରାଏଲ-ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ଏପରି ଏକ ସ୍ଥିତିରେ ପହଞ୍ଚିଛି ଯେଉଁଠାରୁ ଯୁଦ୍ଧ ବନ୍ଦ ହେବାର ପଥ ବନ୍ଦ ହୋଇଯାଇଥିବା ପରି ମନେ ହେଉଛି। ଇରାନ ସଂସଦର ବାଚସ୍ପତି ଏମବି ଗାଲିବଫର ପୁଣି ଥରେ ଏକ ଆକ୍ରମଣାତ୍ମକ ଧମକ ଦେଇଛନ୍ତି, ଯାହା ବିଶ୍ୱକୁ ଚକିତ କରିଛି। ସେ ସ୍ପଷ୍ଟ ଭାବରେ ଚେତାବନୀ ଦେଇଛନ୍ତି ଯେ ଇରାନର କ୍ଷେତ୍ରୀୟ ସାର୍ବଭୌମତ୍ୱ କିମ୍ବା ଏହାର ରଣନୈତିକ ଗୁରୁତ୍ୱପୂର୍ଣ୍ଣ ଦ୍ୱୀପ ଉପରେ ଯେକୌଣସି ଆକ୍ରମଣର ପରିଣାମ ଭୟଙ୍କର ହେବ। ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଏହି ଅଞ୍ଚଳରେ ବିମାନ ଆକ୍ରମଣ ଏବଂ ସାମରିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି।
ଗାଲିବଫର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ନିଜ ପ୍ରସଙ୍ଗକୁ ଆହୁରି କଡା କରି ଲେଖିଛନ୍ତି ‘ବତନ ୟା ମୌତ’ ବା ଜନ୍ମଭୂମି କିମ୍ବା ମୃତ୍ୟୁ। ସେ ଚେତାବନୀ ଦେଇଛନ୍ତି ଇରାନ ଦ୍ୱୀପର ମାଟି ଉପରେ କୌଣସି ଆକ୍ରମଣ ଇରାନର ସବୁ ସଂଯମକୁ ଭାଙ୍ଗିଦେବ। ସେ ସିଧା ସଳଖ ଭାବରେ କହିଛନ୍ତି,ଆମେ ସବୁ ସଂଯମତା ତ୍ୟାଗ କରିଦେବୁ ଓ ଆକ୍ରମଣକାରୀଙ୍କ ରକ୍ତରେ ପର୍ସିଆନ୍ ଉପସାଗରକୁ ଲାଲ କରିଦେବୁ। ଗାଲିବଫର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କୁ ବ୍ୟକ୍ତିଗତ ଭାବରେ ଚେତାବନୀ ଦେଇଛନ୍ତି ଏହି କ୍ଷେତ୍ରରେ ଆମେରିକୀୟ ସୈନିକଙ୍କ ରକ୍ତ ବୋହିବା ପାଇଁ ଟ୍ରମ୍ପ ଦାୟୀ ରହିବେ।
ଏହି ଧମକ ଏପରି ସମୟରେ ଆସିଛି ଯେତେବେଳେ ଇସ୍ରାଏଲ ଏବଂ ଆମେରିକା ଇରାନ ବିରୁଦ୍ଧରେ ବିମାନ ଆକ୍ରମଣ ଜାରି ରଖିଛନ୍ତି। ଇରାନ ଭୟ କରୁଛି ଯେ ଏହାର ଗୁରୁତ୍ୱପୂର୍ଣ୍ଣ ଶକ୍ତି-ସମୃଦ୍ଧ ଦ୍ୱୀପପୁଞ୍ଜ, ଯେପରିକି ଖାର୍ଗ ଦ୍ୱୀପ କିମ୍ବା ଅନ୍ୟାନ୍ୟ ଉପସାଗରୀୟ ଦ୍ୱୀପକୁ କବଜା କିମ୍ବା ଧ୍ୱଂସ କରିବାକୁ ଚେଷ୍ଟା କରାଯାଇପାରେ। ଗାଲିବଫର ଜୋର ଦେଇ କହିଛନ୍ତି ଯେ ଏହି ଦ୍ୱୀପ ଉପରେ ଆକ୍ରମଣ ଇରାନ ପାଇଁ ଏକ ‘ରେଡ୍ ଲାଇନ୍’ , ଯଦି ଏହା ଅତିକ୍ରମ କରାଯାଏ, ତେବେ ଇରାନ ବିନା ପ୍ରତିଶୋଧରେ ଜବାବ ଦେବ। ଅନ୍ୟପକ୍ଷେ ଇରାନର ନୂତନ ସୁପ୍ରିମ ଲିଡର ମୁଜତାବା ଖାନେନେଇଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି। ସେ କହିଛନ୍ତି,ପ୍ରତ୍ୟେକଟି ମୃତ୍ୟୁର ପ୍ରତିଶୋଧ ନିଆଯିବ। ତାଛଡା ମୁଜତାବା ସମୁଦ୍ରରେ ବିସ୍ଫୋରକ ରଖିଥିବା ରିପୋର୍ଟ ମଧ୍ୟ ଆମେରିକାରେ ଉତ୍ତେଜନା ସୃଷ୍ଟି କରିଛି।