ନୂଆଦିଲ୍ଲୀ, ୨୩/୦୬ : ଇରାନ-ଇସ୍ରାଏଲ୍ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି। ତେଜିଲା ବିଶ୍ଵଯୁଦ୍ଧ ଭୟ। ବନ୍ଦ ହୋଇପାରେ ମଧ୍ୟପ୍ରାଚ୍ୟରୁ ତେଲ ଆମଦାନି। ବିଶ୍ୱ ତେଲ ଯୋଗାଣର ପ୍ରମୁଖ ରୁଟ୍ ବନ୍ଦ କରିଦେବ ଇରାନ। ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ ବନ୍ଦ ଲାଗି ଇରାନ ସଂସଦରେ ଅନୁମୋଦନ। ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦର ମଞ୍ଜୁରିକୁ ଅପେକ୍ଷା। ଏହି ସାମୁଦ୍ରିକ ପଥ ବନ୍ଦ ହୋଇଗଲେ ହୋଇପାରିବନି ତେଲ ଯୋଗାଣ। ସୃଷ୍ଟି ହେବ ଘୋର ତୈଳ ସଙ୍କଟ। ବିଶ୍ଵ ବଜାରରେ ବଢିବ ଅଶୋଧିତ ତୈଳ ଦର। ଏବେ ଚିନ୍ତାରେ ସାରା ବିଶ୍ଵ। ପ୍ରଭାବିତ ହୋଇପାରେ ଭାରତ।
ବିଶ୍ୱ ତେଲ ଯୋଗାଣର ପ୍ରମୁଖ ରୁଟ୍ ହେଉଛି ଷ୍ଟ୍ରେଟ୍ ଅଫ୍ ହୋର୍ମଜ। ଏହି ସାମୁଦ୍ରିକ ପଥ ଦେଇ ବିଶ୍ୱର ୨୦% ତୈଳ ଏବଂ ଗ୍ୟାସ୍ ପରିବହନ ହୋଇଥାଏ। ଏହି ରୁଟ୍ ବନ୍ଦ ହୋଇଗଲେ ବିଶ୍ଵରେ ଘୋର୍ ତୈଳ ସଙ୍କଟ ଦେଖାଦେବ। ସେହିପରି ଭାରତ ଉପରେ ବି ଏହାର ପ୍ରଭାବ ପଡ଼ିପାରେ। କାରଣ ଭାରତ ଏହାର ତେଲ ଆବଶ୍ୟକତାର ୯୦% ଆମଦାନିରୁ ପୂରଣ କରିଥାଏ। ମଧ୍ୟପ୍ରାଚ୍ୟରୁ ଭାରତ ୪୦% ତେଲ ଆଣିଥାଏ। ଭାରତ ମଗାଉଥିବା ଦୈନିକ ୫.୫ ନିୟୁତ ବ୍ୟାରେଲ ମଧ୍ୟରୁ ଷ୍ଟ୍ରେଟ୍ ଅଫ୍ ହୋର୍ମଜ ଦେଇ ୨ ନିୟୁତ ବ୍ୟାରେଲ ତେଲ ଆସିଥାଏ। ଏହି ରୁଟ୍ ବନ୍ଦ ହୋଇଗଲେ ଭାରତକୁ ତୈଳ ଯୋଗାଣ ବନ୍ଦ ହୋଇପାରେ।
ତେବେ ସ୍ଥିତିକୁ ଦେଖି ଏବେ ବିକଳ୍ପ ପନ୍ଥା ଆପଣେଇଛି ଭାରତ। ଏବେ ମଧ୍ୟପ୍ରାଚ୍ୟ ପରିବର୍ତ୍ତେ ଘରୋଇ ବଜାର ରୁଷ, ଆମେରିକା ଏବଂ ବ୍ରାଜିଲରୁ ଅଧିକ ତେଲ ଆମଦାନି କରୁଛି ଭାରତ। ରୁଷ ତେଲ ଅପେକ୍ଷାକୃତ ଶସ୍ତାରେ ମିଳୁଛି । ତେଣୁ ୨୦୨୨ ଫେବ୍ରୁଆରୀରୁ ରୁଷ ଠାରୁ ତେଲ କିଣା ବଢ଼ାଇଥିଲା ଭାରତ। ରୁଷରୁ ଏବେ ଦୈନିକ ୨.୨ ନିୟୁତ ବ୍ୟାରେଲ୍ ତେଲ ଆସୁଛି। ଜୁନ ମାସରେ ଭାରତୀୟ ତୈଳ ବିଶୋଧନକାରୀ କମ୍ପାନି ଗୁଡ଼ିକ ଦୈନିକ ଭିତ୍ତିରେ ରୁଷରୁ ପ୍ରାୟ ୨-୨.୨ ନିୟୁତ ବ୍ୟାରେଲ ଅଶୋଧିତ ତେଳ ମଗାଇଛନ୍ତି । ଯାହା ଗତ ୨ ବର୍ଷ ତୁଳନାରେ ସବୁଠୁ ଅଧିକ। ସେହିଭଳି ଜୁନ ମାସରେ ଆମେରିକାରୁ ଦୈନିକ ତେଲ ଆମଦାନି ୪.୩୯ ଲକ୍ଷ ବ୍ୟାରେଲକୁ ବୃଦ୍ଧି ହୋଇଛି ।
ମଧ୍ୟପ୍ରାଚ୍ୟ ସଙ୍କଟ ଯୋଗୁ ଏବେ ତେଲ ଆମଦାନି ଉପରେ କୌଣସି ପ୍ରଭାବ ପଡ଼ିନି। ହେଲେ ଇରାନ ଷ୍ଟ୍ରେଟ ଅଫ୍ ହୋର୍ମୁଜକୁ ବନ୍ଦ କରିଦେଲେ ଆଗାମୀ ଦିନରେ ତୈଳ ଯୋଗାଣ ବିଶେଷ ପ୍ରଭାବିତ ହୋଇପାରେ। ସେପଟେ ଇରାନ ଏବଂ ଇସ୍ରାଏଲ ଯୁଦ୍ଧ ପରେ ବିଶ୍ୱ ବଜାରରେ ଅଶୋଧିତ ତେଲ ଦର ୧୦% ବୃଦ୍ଧି ହୋଇ ବ୍ୟାରେଲ ପିଛା ୭୭ ଡଲାର ଛୁଇଁଛି । ଷ୍ଟ୍ରେଟ ଅଫ୍ ହୋର୍ମୁଜ ବନ୍ଦ ହେଲେ ଏହା ୯୦ ଡଲାର ଛୁଇଁପାରେ ବୋଲି ଗୋଲ୍ଡ ମ୍ୟାନ ସ୍ୟାଚ୍ ଆକଳନ କରିଛି ।