ମସ୍କଟ : ମଧ୍ୟ ପ୍ରାଚ୍ୟରୁ ଆସିଥିବା ଖବର ସମସ୍ତଙ୍କୁ ଭୟଭୀତ କରିଛି। ଇସ୍ରାଏଲ ଓ ଆମେରିକା ଇରାନ ଉପରେ ଭୟଙ୍କର ପ୍ରହାର କରିଛନ୍ତି , ଯାହାର ଜବାବରେ ଇରାନ ପୂରା ଉପସାଗରୀୟ ଅଞ୍ଚଳକୁ ଯୁଦ୍ଧର ନିଆଁକୁ ଟାଣି ଆଣିଛି। ଦୁବାଇରୁ ନେଇ ଦୋହା ଯାଏ ମିସାଇଲର ସାଇରନ ଗର୍ଜି ଉଠିଥିଲା , କିନ୍ତୁ ଏହି ଧ୍ୱଂସଲୀଳା ମଧ୍ୟରେ ଓମାନ ଏକ ଏମିତି ଦେଶ , ଯେଉଁଠି ସଂପୂର୍ଣ୍ଣ ଶାନ୍ତି ରହିଛି। ଏମିତି କାହିଁକି ଯେବେ ଇରାନ ନିଜର ଅନ୍ୟ ପଡୋଶୀ ଦେଶକୁ ତ ଟାର୍ଗେଟ୍ କରିଛି , କିନ୍ତୁ ଓମାନ ଆଡ଼କୁ ଗୋଟିଏ ପଥର ବି ଫିଙ୍ଗି ନାହିଁ ? ବିଶେଷଜ୍ଞ ଓମାନକୁ ମିଡ଼ିଲ ଇଷ୍ଟର ସ୍ୱିଜରଲ୍ୟାଣ୍ଡ କହନ୍ତି। ଏହା ପଛରେ କୌଣସି ସଂଯୋଗ ନାହିଁ , ବରଂ ୫୦ ବର୍ଷର ଗଭୀର ଇତିହାସ, ରଣନୀତିକ ବିଚାର ଓ ଭଲ ଡିପ୍ଲୋମେସି ଅଛି। ଓମାନର ତଟସ୍ଥତା ଆଜି ତା ପାଇଁ ସବୁଠୁ ବଡ଼ ସୁରକ୍ଷା ବକଚ ହୋଇ ଯାଇଛି।
ଓମାନ ଓ ଇରାନ ମଧ୍ୟରେ ଏହି ଅତୁଟ ଭରସାର ମୂଳଦୁଆ ୧୯୭୦ର ଦଶକରେ ରଖାଯାଇ ଥିଲା। ଏହି ସମୟରେ ଓମାନର ସୁଲତାନ କାବୁସ ବିନ ସୈଦ ଧଫର ବିଦ୍ରୋହର ସାମ୍ନା କରୁଥିଲେ। ମାର୍କ୍ସବାଦୀ ବିଦ୍ରୋହୀମାନେ ସୁଲଦାନଙ୍କ କ୍ଷମତାକୁ ଦୋହଲାଇ ଦେଇଥିଲେ। ଏହି ସଙ୍କଟ ସମୟରେ ଇରାନର ଶାହ ନିଜର ହଜାର ହଜାର ସେନା ଓମାନର ସାହାଯ୍ୟ ପାଇଁ ପଠାଇ ଥିଲେ। ଇରାନୀ ସୈନିକଙ୍କ ରକ୍ତ ଓମାନର ମାଟିରେ ବିଦ୍ରୋହକୁ ଶାନ୍ତ କରିଥିଲା।
୧୯୭୯ର ଇସଲାମୀ ବିପ୍ଲବ ପରେ ଯେବେ ଇରାନର କ୍ଷମତା ପରିବର୍ତ୍ତନ ହେଲା , ସେତେବେଳେ ମଧ୍ୟ ଓମାନ ନିଜର ପୁରୁଣା ଅନୁଗ୍ରହକୁ ଭୁଲି ନଥିଲା। ଯେଉଁଠି ଅନ୍ୟ ଉପସାଗରୀୟ ଦେଶ ଇରାନର ନୂଆ ସରକାରକୁ ସନ୍ଦେହ ନଜରରେ ଦେଖୁ ଥିଲେ , ଓମାନ କିନ୍ତୁ ବନ୍ଧୁତାର ହାତ ବଢାଇ ଥିଲା। ଏହି କାରଣରୁ ଇରାନର ଟପ୍ ଲିଡରମାନେ ଓମାନକୁ ନିଜର ସବୁଠୁ ପୁରୁଣା ଓ ବିଶ୍ୱସ୍ତ ବନ୍ଧୁ ଭାବେ ମନେକରନ୍ତି।