ନୂଆଦିଲ୍ଲୀ,୦୪/୦୭; ଇରାନର ପୂର୍ବତନ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନେଇଙ୍କ ଅନ୍ତିମ ସଂସ୍କାର ସମାରୋହ ଆରମ୍ଭ ହୋଇଛି । ଏହି ଉପଲକ୍ଷେ ତେହରାନ୍ର ମୋସଲ୍ଲା ପରିସରରେ ଖାମେନେଇ ଏବଂ ତାଙ୍କ ପରିବାରର କିଛି ସଦସ୍ୟଙ୍କ କଫିନକୁ ରଖାଯାଇଥିଲା । ରାଷ୍ଟ୍ରପତି ମସୁଦ ପେଜେଶକିୟାନଙ୍କ ସମେତ ଅନେକ ବରିଷ୍ଠ ନେତା ସେଠାକୁ ଆଜି ଶ୍ରଦ୍ଧାଞ୍ଜଳି ଦେବାକୁ ପହଞ୍ଚିଥିଲେ । ଏହି ସମୟରେ ପେଜେଶକିୟାନ ଶୋକରେ ଅବିଭୂତ ହୋଇ କାନ୍ଦି ପକାଇଥିଲେ । ତାଙ୍କ ସହ ଥିବା ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଘେର ଗଲିବାଫ୍ ଏବଂ ଅନ୍ୟ କିଛି ସାମରିକ ଅଧିକାରୀ ବି ଲୁହକୁ ଅଟକାଇ ପାରିନଥିଲେ । ଭାରତୀୟ ଧର୍ମଗୁରୁଙ୍କର ଏକ ପ୍ରତିନିଧିମଣ୍ଡଳୀ ଖାମେନେଇଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି । ତା’ର ଫଟୋ ଏବଂ ଭିଡିଓକୁ ଭାରତରେ ଥିବା ଇରାନ ଦୂତାବାସ ସେୟାର କରିଛି । ସେହିପରି ପାକିସ୍ତାନ ସେନାମୁଖ୍ୟ ମଧ୍ୟ ଅସିମ ମୁନିର ମଧ୍ୟ ଖାମେନେଇଙ୍କୁ ଅନ୍ତିମ ବିଦାୟ ଦେବାକୁ ତେହରାନ୍ ପହଞ୍ଚିଥିବା ସୂଚନା ମିଳିଛି ।
ତେହେରାନରେ ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲୀ ଖାମେନେଇଙ୍କ ବିଦାୟ ଏବଂ ଅନ୍ତିମ ସଂସ୍କାର ସମୟରେ ଇରାନ ସଂସଦର ବାଚସ୍ପତି ମହମ୍ମଦ ଗାଲିବାଫ ଏବଂ ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି କାନ୍ଦି ପକାଇଥିଲେ। ତେହେରାନରେ ଆୟୋଜିତ ଅନ୍ତିମ ସଂସ୍କାର ସମାରୋହରେ ଏହି ଭାବପ୍ରବଣ ମୁହୂର୍ତ୍ତ କ୍ୟାମେରାରେ କଏଦ ହୋଇଥିଲା । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ତେହେରାନ ରାଜ୍ୟପାଳ ମହମ୍ମଦ ସାଦେଘ ମୋତାମାଦିଆନ କହିଛନ୍ତି, "ଆମେ ସହିଦ ନେତାଙ୍କ ବିଦାୟ ଏବଂ ପ୍ରସ୍ଥାନ ସମାରୋହ ପାଇଁ ସର୍ବୋଚ୍ଚ ସ୍ତରର ସୁରକ୍ଷା ଏବଂ ସୁରକ୍ଷା ସୁନିଶ୍ଚିତ କରିବୁ । "
ବହୁ ଭାରତୀୟ ପ୍ରମୁଖ ବ୍ୟକ୍ତିମାନେ ଇରାନର ସହିଦ ନେତା ଆୟାତୋଲ୍ଲା ଅଲୀ ଖାମେନେଇଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଭାରତରେ ଥିବା ଇରାନୀ ଦୂତାବାସ X ରେ ଏକ ପୋଷ୍ଟରେ କହିଛି । ଦୂତାବାସ ଦ୍ୱାରା ସେୟାର କରାଯାଇଥିବା ଏକ ଫଟୋରେ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (PDP) ଅଧ୍ୟକ୍ଷା ମେହବୁବା ମୁଫତି, କଂଗ୍ରେସ ନେତା ସଲମାନ ଖୁର୍ସିଦ (ଯେକି ଦଳର ବୈଦେଶିକ ବ୍ୟାପାର ବିଭାଗର ମୁଖ୍ୟ) ଏବଂ ଅନ୍ୟ ଅନେକ ବ୍ୟକ୍ତି ସାମିଲ ଥିଲେ । ରୁଷୀୟ ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ରୁଷୀୟ ସୁରକ୍ଷା ପରିଷଦର ଉପ-ସଭାପତି ଦିମିତ୍ରୀ ମେଦଭେଦେବ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ପହଞ୍ଚିଥିଲେ । ଇସ୍ରାଏଲ-ଆମେରିକାର ମିଳିତ ଏୟାରଷ୍ଟ୍ରାଇକରେ ଫେବ୍ରୁଆରୀ ୨୮ରେ ଖାମେନେଇ ଏବଂ ତାଙ୍କ ପରିବାରର କିଛି ସଦସ୍ୟ ପ୍ରାଣ ହରାଇଥିଲେ । ୧୦୦ଟି ଦେଶର ପ୍ରମୁଖ ବ୍ୟକ୍ତିତ୍ୱ ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ ।
ଏହା ବି ପଢନ୍ତୁ...‘କେବଳ ପରମାଣୁ ବୋମା ପାଇଁ ପାକିସ୍ତାନକୁ ମିଳୁଛି ଖାତିର୍, ଯଦି ସେତିକି ନଥାନ୍ତା ବୋଧ ହୁଏ ଆଜି… ପୋଲ୍ ଖୋଲିଦେଲେ ପୂର୍ବତନ କୂଟନୀତିଜ୍ଞ…