ନୂଆଦିଲ୍ଲୀ ୧୫/୦୩: ଯୁଦ୍ଧକ୍ଷେତ୍ରରେ ଏକ ନୂଆ ଅସ୍ତ୍ର ଉତାରିଛି ଇରାନ । ଏହା ଭୂପୃଷ୍ଠରୁ ଆକାଶକୁ ମାଡ଼ କରୁଥିବା କ୍ଷେପଣାସ୍ତ୍ର । ଏହା ପୁରୁଣା ‘୩୫୮’ ମିସାଇଲର ଉନ୍ନତ ସଂସ୍କରଣ । ରାଡାର ଉପଯୋଗ ବିନା ଏହା ଶତ୍ରୁର ଡ୍ରୋନ୍କୁ ଖୋଜି ଖସାଇଥାଏ । ସଦ୍ୟ ଯୁଦ୍ଧରେ ‘୩୫୮’ ଅନେକ ଆମେରିକୀୟ ଏମ୍କ୍ୟୁ-୯ ରିପର୍ ଏବଂ ଇସ୍ରାଏଲର ହର୍ମିସ ୯୦୦ ଡ୍ରୋନ୍କୁ ଖସାଇଛି । ଏବେ ‘୩୫୯’ ଯୁଦ୍ଧକ୍ଷେତ୍ରକୁ ଓହ୍ଲାଇବା ଦ୍ୱାରା ମଧ୍ୟପ୍ରାଚ୍ୟରେ ଆମେରିକାର ସମସ୍ତ ଡ୍ରୋନ୍ ପାଇଁ ବିପଦ ବଢ଼ିଛି । ପେଣ୍ଟାଗନ୍ ପାଖରେ ଏହାର କୌଣସି ଜବାବ ନାହିଁ ।
‘୩୫୯’ ମିସାଇଲ କ’ଣ ଓ କ’ଣ କରିଛି?
‘୩୫୯’ ଏକ ଜେଟ୍-ପରିଚାଳିତ ଲୟଟରିଙ୍ଗ ଇଣ୍ଟରସେପ୍ଟ । ଏହାକୁ ଟ୍ରକ୍ରୁ ଲଞ୍ଚ୍ କରାଯାଏ । ଏହା ଆକାଶରେ ଘୂରିବୁଲେ । ନିଜେ ଲକ୍ଷ୍ୟସ୍ଥଳ ଖୋଜେ । ଏହାର ବେଗ ହାରାହାରି ଘଣ୍ଟାପ୍ରତି ୭୪୦ କିମି । ଏହା ଇନ୍ଫ୍ରାରେଡ୍ ସେନ୍ସର ଓ ଏଆଇ ଦ୍ୱାରା ହିଟ୍ ସିଗ୍ନେଚର, ରାଡାର କ୍ରସ୍-ସେକ୍ସନ୍ ଓ ବିଦ୍ୟୁତ୍-ଚୁମ୍ବକୀୟ ସଙ୍କେତରୁ ଲକ୍ଷ୍ୟ ଚିହ୍ନଟ କରେ । ଏହାର ଉଚ୍ଚତା ହାରାହାରି ୮,୫୦୦ ମିଟର । ଏହି ଉଚ୍ଚତାରେ ଏମ୍କ୍ୟୁ-୯ ରିପର୍ ଓ ହର୍ମିସ ୯୦୦ ଉଡ଼େ । ‘୩୫୯’ ଇସ୍ରାଏଲର ହର୍ମିସ ୯୦୦କୁ ଖସାଇଛି । ଏହାର ମୂଲ୍ୟ ମାତ୍ର ୨୦,୦୦୦- ୫୦,୦୦୦ ଡଲାର । ଅନ୍ୟପକ୍ଷେ, ଏମ୍କ୍ୟୁ-୯ ରିପର୍ର ମୂଲ୍ୟ ୩୨ ମିଲିଅନ ଡଲାର ।
‘୩୫୮’ ତୁଳନାରେ ‘୩୫୯’ ବଡ଼ ଓ ଅପେକ୍ଷାକୃତ ଭଲ । ଏହାର ଏୟାରଫ୍ରେମ୍ ବଡ଼, ସେଥିପାଇଁ ଅଧିକ ସମୟ ବାୟୁରେ ରହିପାରେ । ଏହାର ଟର୍ମିନାଲ ବେଗ ଦ୍ରୁତ, ଯାହା କବଳରୁ ରକ୍ଷା ପାଇବା ମୁସ୍କିଲ । ଏହାର ବେଗ ୧୦୦ କିମିରୁ ଅଧିକ । ଏହା ମଧ୍ୟ ରାଡାରକୁ ଆସେ ନାହିଁ ଏବଂ ସ୍ୱୟଂଚାଳିତ ଶିକାର କରେ । ଇରାନ ଏହାକୁ ମୋବାଇଲ ଟ୍ରକ୍ ଲଞ୍ଚର୍ ଦ୍ୱାରା ଡଜନ୍ ସଂଖାରେ ଲଞ୍ଚ କରିପାରେ । ପ୍ରତ୍ୟେକ ମିସାଇଲ ନିଜର କିଲ୍ ଜୋନ୍ କରି ଘୂରିବୁଲେ । ଏହା ଦ୍ୱାରା ଇରାନର ସମଗ୍ର ବାୟୁକ୍ଷେତ୍ରରେ ସ୍ୱୟଂଚାଳିତ ଆଣ୍ଟି-ଡ୍ରୋନ୍ ନେଟ୍ୱର୍କ ସୃଷ୍ଟି ହୁଏ । ଏହାର କୌଣସି କେନ୍ଦ୍ରୀକୃତ ରାଡାର ନ ଥାଏ ।
ଆମେରିକା-ଇସ୍ରାଏଲ ପାଇଁ ବିପଦ କାହିଁକି?
ଆମେରିକାର ବାୟୁ ଶ୍ରେଷ୍ଠତା ଡ୍ରୋନ୍ ଉପରେ ନିର୍ଭର କରେ । ଏମ୍କ୍ୟୁ-୯ ରିପର୍ ଆଇଏସ୍ଆର୍ ଗୁଇନ୍ଦା ଓ ନିରୀକ୍ଷଣ ଲାଗି ଉପଯୋଗ ହୁଏ । କିନ୍ତୁ ‘୩୫୮/୩୫୯’ ଭଳି ଯୁଦ୍ଧାସ୍ତ୍ର ଡ୍ରୋନ୍କୁ ସହଜରେ ଖସାଇପାରେ । ଏହା ପୂର୍ବରୁ ଅପରେଟର୍କୁ କୌଣସି ଚେତାବନୀ ମିଳେ ନାହିଁ ।
ଆହୁରି ପଢ଼ନ୍ତୁ...ହୋର୍ମୁଜ ସମସ୍ୟାକୁ ନେଇ ଟ୍ରମ୍ପଙ୍କ ବିସ୍ଫୋରକ ବୟାନ : ଆମେରିକା ସହ ଅନେକ ଦେଶ ପଠାଇବେ ଯୁଦ୍ଧ ଜାହାଜ
ଇରାନ ଶସ୍ତା ଅସ୍ତ୍ରରେ ଶତ୍ରୁର ମହଙ୍ଗା ଡ୍ରୋନ୍କୁ ନଷ୍ଟ କରୁଛି । ଏହା ଦ୍ୱାରା ଆମେରିକାର ବାୟୁ ନିରୀକ୍ଷଣ ଦୁର୍ବଳ ହେଉଛି । ପେଣ୍ଟାଗନ୍ ପାଖରେ ଏହାର କୌଣସି ସହଜ ବିକଳ୍ପ ନାହିଁ । କାରଣ ଏହି ମିସାଇଲ ରାଡାର ଉପଯୋଗ କରେ ନାହିଁ । ଷ୍ଟିଙ୍ଗର ମିସାଇଲ ଆସିବା ପରେ ବାୟୁ ପ୍ରତିରକ୍ଷାରେ ଏହା ସବୁଠୁ ବଡ଼ ପରିବର୍ତ୍ତନ । ଇରାନ ଜାଣିଜାଣି ଏଭଳି ଯୁଦ୍ଧାସ୍ତ୍ର ନିର୍ମାଣ କରିଛି, କାରଣ ଶତ୍ରୁ ଡ୍ରୋନ୍ ଉପରେ ଅଧିକ ନିର୍ଭରଶୀଳ । ପୂର୍ବରୁ ଏହାର ‘୩୫୮’ ସଫଳ ହୋଇଥିଲା, ଏବେ ‘୩୫୯’ ଆହୁରି ଘାତକ ହୋଇଛି । ଏହା ଦ୍ୱାରା ପାଶ୍ଚାତ୍ୟ ଦେଶମାନଙ୍କର ଡ୍ରୋନ୍ ନିରୀକ୍ଷଣ ସମ୍ପୂର୍ଣ୍ଣ ପ୍ରଭାବହୀନ ହୋଇପାରେ । ଇରାନର ବାୟୁ ପ୍ରତିରକ୍ଷା ଏବେ ମଜଭୁତ ହୋଇଥିବା ଏଥିରୁ ସ୍ପଷ୍ଟ ହୋଇଛି ।