ନୂଆଦିଲ୍ଲୀ – ଇରାନରେ ବିରୋଧୀ ବିକ୍ଷୋଭ ଓ ସରକାର ବିରୋଧୀ ଆନ୍ଦୋଳନ ଖୁବ୍ ଜୋରରେ ଚାଲିଛି। ଆଉ ଏହାରି ମଧ୍ୟରେ ଆମେରିକା ତାର ଏକ ଶକ୍ତିଶାଳୀ ପରମାଣୁ ଚାଳିତ ବିମାନବାହୀ ଜାହାଜକୁ ମଧ୍ୟପ୍ରାଚ୍ୟ ଅଭିମୁଖେ ପଠାଇ ସାରିଛି। ଏହି ଜାହାଜର ନାଁ USS Abraham Lincoln (CVN-72), ଯାହା ଦକ୍ଷିଣ ଚୀନ ସାଗରରୁ ଦ୍ରୁତ ଗତିରେ ମଧ୍ୟପ୍ରାଚ୍ୟ ଅଞ୍ଚଳକୁ (ଯେଉଁଠାରେ ଇରାନ ଅନ୍ତର୍ଭୁକ୍ତ) ଯାତ୍ରା ଆରମ୍ଭ କରିଛି। ଉକ୍ତ ବିମାନବାହୀ ଜାହାଜ ଯୁକ୍ତରାଷ୍ଟ୍ର ଆମେରିକା ନୌବାହିନୀର ସବୁଠାରୁ ବଡ଼ ଓ ଶକ୍ତିଶାଳୀ ଯୁଦ୍ଧଜାହାଜ ମଧ୍ୟରୁ ଗୋଟିଏ। ଏହା ପରମାଣୁ ଶକ୍ତି ଚାଳିତ । ଏହାର ମୋଟ କ୍ୟାରିୟର ଷ୍ଟ୍ରାଇକ ଗ୍ରୁପ୍ (Carrier Strike Group-3)ରେ ଅନେକ ଗାଇଡେଡ୍-ମିସାଇଲ ଡେଷ୍ଟ୍ରୟର୍, କ୍ରୁଜର୍ ଓ ଆକ୍ରମଣକାରୀ ସବମେରିନ୍ ରହିଛି। ଏହି ଗ୍ରୁପ୍ ଏୟାର ସୁରକ୍ଷା, ସବମେରିନ୍ ବିରୋଧୀ ଓ ସ୍ଥଳଭୂମି ଆକ୍ରମଣ କ୍ଷମତା ସଂପନ୍ନ ।
ଏହାସହ ମଧ୍ୟ ପଢନ୍ତୁ : ସଲମାନ ନୁହେଁ, ଶାହରୁଖ ହେଉଛନ୍ତି ଦେଶଦ୍ରୋହୀ : ଭୁଲ୍ରେ ନେଇଥିଲି ଭାଇଜାନଙ୍କ ନାଁ କହିଲେ ୟୁପିର ଏହି ମନ୍ତ୍ରୀ
ୟୁଏସର ପେଣ୍ଟାଗନ୍ ଓ ନ୍ୟୁଜ୍ ନେସନ୍ ରିପୋର୍ଟ ଅନୁଯାୟୀ, ଗତ ବୁଧବାର ଆମେରିକୀୟ ଏୟାରକ୍ରା୍ଟ କ୍ୟାରିୟର ଷ୍ଟ୍ରାଇକ୍ ଗ୍ରୁପ୍ ବାହାରି ସାରିଛନ୍ତି ,ସେଠାରେ ପହଞ୍ଚିବାରେ ପାଖାପାଖି ସପ୍ତାହେ ସମୟ ଲାଗିପାରେ। ଯେତେବେଳେ ଇରାନରେ ମହଙ୍ଗା , ବେରୋଜଗାରୀ ଓ ଖରାପ ଆର୍ଥିକ ସ୍ଥିତିକୁ ନେଇ ଲୋକେ ବଡ଼ ସ୍ତରରେ ବିରୋଧ ପ୍ରଦର୍ଶନ କରୁଛନ୍ତି , ଆମେରିକା ଏହି ସମୟରେ ଏହି ପଦକ୍ଷେପ ନେଇଛି। ଆମେରିକାର ଟ୍ରମ୍ପ ପ୍ରଶାସନ ବାରମ୍ୱାର ତେହରାନ ଉପରେ ଚାପ ସୃଷ୍ଟି କରୁଛି।
ଆମେରିକାର ଏହି କାର୍ଯ୍ୟ ଇରାନରେ ଚାଲିଥିବା ବିକ୍ଷୋଭକୁ ଦମନ କରିବା ଏବଂ ସରକାରୀ ହସ୍ତକ୍ଷେପ ବିରୁଦ୍ଧରେ ଯୁକ୍ତରାଷ୍ଟ୍ରର ସମ୍ଭାବ୍ୟ ସମର୍ଥନର ସଂକେତ ଦେଉଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ ଇରାନ ସରକାରକୁ ସତର୍କ କରିଥିଲେ ଯେ, ବିକ୍ଷୋଭକାରୀଙ୍କୁ ହତ୍ୟା କରିବା ବନ୍ଦ କରିବାକୁ ପଡ଼ିବ, ନହେଲେ ଯୁକ୍ତରାଷ୍ଟ୍ର ହସ୍ତକ୍ଷେପ କରିବ। ଇରାନ ପକ୍ଷରୁ ବିମାନ ଯାତ୍ରା ପାଇଁ ଆକାଶକୁ ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇ ଥିଲା, ଯାହାକି ଉତ୍ତେଜନାକୁ ବଢ଼ାଇଛି। କିଛି ଆମେରିକୀୟ ସୈନ୍ୟ କାତାରର ଏକ ବଡ଼ ବେସରୁ ଅପସାରଣ କରାଯାଇଛି।
ଏହି ବିମାନବାହୀ ଜାହାଜର ଗତିବିଧି ସ୍ୟାଟେଲାଇଟ୍ ଚିତ୍ରରେ ଦେଖାଯାଇଛି, ଯାହା ଫିଲିପାଇନ୍ସ ନିକଟରେ ଦେଖାଯାଇ ଥିଲା ଏବଂ ଏହା ଭାରତ ମହାସାଗର ଦେଇ ଆଗକୁ ବଢ଼ୁଛି। ଏହି ଘଟଣା ଗତ ବର୍ଷ ଇରାନର ପରମାଣୁ ସ୍ଥଳଗୁଡ଼ିକ ଉପରେ ଆମେରିକାର ଆକ୍ରମଣ ପରେ ସୃଷ୍ଟ ଉତ୍ତେଜନାର ଏକ ନୂଆ ଅଧ୍ୟାୟ ହୋଇପାରେ।
ବର୍ତ୍ତମାନ ପର୍ଯ୍ୟନ୍ତ ଆମେରିକାର ନୌବାହିନୀ ପକ୍ଷରୁ ଏହି ବିଷୟରେ ସରକାରୀ ସ୍ତରୀୟ ବିବୃତ୍ତି ଦିଆଯାଇ ନାହିଁ, କିନ୍ତୁ ଏହା ଇରାନ ସରକାରକୁ ଚେତାବନୀ ସ୍ୱରୂପ ଦେଖାଯାଉଛି। ପରିସ୍ଥିତି ଦ୍ରୁତ ଗତିରେ ବଦଳୁଛି ଏବଂ ଏହା ମଧ୍ୟପ୍ରାଚ୍ୟରେ ଏକ ବଡ଼ ସଂଘର୍ଷର ସମ୍ଭାବନାକୁ ବଢ଼ାଇଛି।