ନୂଆଦିଲ୍ଲୀ,୧୧/୦୭; ପରମାଣୁ କାର୍ଯ୍ୟକ୍ରମ ରୋକିବା ଲକ୍ଷ୍ୟରେ ଇରାନ ଉପରେ ଆକ୍ରମଣ କରିଥିଲା ଆମେରିକା । ଏଥିରୁ ସେତେ ବଡ଼ ସଫଳତା ମିଳିପାରି ନାହିଁ । ୬୦% ପର୍ଯ୍ୟନ୍ତ ସମୃଦ୍ଧ ୟୁରାନିୟମକୁ ସାଇତି ରଖିଛି ଇରାନ । ସ୍ଥିତି ଏବେ ବି ଅସମାହିତ । ଆମେରିକା ନିଜ ଲକ୍ଷ୍ୟ ହାସଲ କରିଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବାହାସ୍ଫୋଟ ମାରୁଥିଲେ ହେଁ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ । ଇରାନ ଦିନକୁ ଦିନ ଜିଦ୍‌ଖୋର ହୋଇ ହୋର୍ମୁଜ ପ୍ରଣାଳୀକୁ ବଡ଼ ଅସ୍ତ୍ର ଭାବେ ବ୍ୟବହାର କରୁଛି । ଆମେରିକା ଭାବୁଥିଲା ଇରାନ ଯଦି ପରମାଣୁ ଅସ୍ତ୍ର ବନାଇବାରେ ସମର୍ଥ ହୁଏ, ତେବେ ଏହା କାହାରିକୁ ମାନିବ ନାହିଁ । ମନମୁଖି ତଥା ଦାୟିତ୍ୱହୀନ ହୋଇ ସାରା ବିଶ୍ୱରେ ଆତଙ୍କ ଖେଳାଇବ । ଅଦ୍ୟାବଧି ଇରାନ ଏହାର ଅଣୁ ଅସ୍ତ୍ର ୧୦୦% ବନାଇବାରେ ସମର୍ଥ ହୋଇନାହିଁ ସତ । କିନ୍ତୁ ଏହା ହୋର୍ମୁଜକୁ ପ୍ରମୁଖ ଅସ୍ତ୍ର କରି ଏକପ୍ରକାର ଆତଙ୍କ ଖେଳାଉଛି ।

ଏହାଯୋଗୁ ତୈଳ ବଜାରରେ ଅସ୍ଥିରତା ଦେଖାଦେଇଛି । ପେଟ୍ରୋଲ, ଡିଜେଲ ମହଙ୍ଗା ହେବା ସହିତ ଓ ଗ୍ୟାସ ସଙ୍କଟ ଉପୁଜିଛି । ଯୁଦ୍ଧ ପୂର୍ବରୁ ହୋର୍ମୁଜ ପ୍ରଣାଳୀକୁ ନେଇ ସେତେ ଆଲୋଚନା ହେଉ ନ ଥିଲା । କିନ୍ତୁ ଏବେ ଏହା ଉପରେ ସାରା ବିଶ୍ୱର ନଜର । ଇରାନ ହୋର୍ମୁଜ ପ୍ରଣାଳୀ ଉପରେ ନିଜ ନିୟନ୍ତ୍ରଣକୁ ଏକ ଗୁରୁତ୍ୱପୂର୍ଣ୍ଣ ରଣନୀତିକ ସମ୍ପତ୍ତି ଭାବେ ଦେଖୁଛି । ଏହି ସାମୁଦ୍ରିକ ଜଳମାର୍ଗ ଏବେ ତା’ର ପରମାଣୁ କାର୍ଯ୍ୟକ୍ରମ ଅପେକ୍ଷା ଅଧିକ ପ୍ରାଥମିକତା ପାଇଛି । ବିଶେଷଜ୍ଞଙ୍କ ଯୁକ୍ତି ହୋର୍ମୁଜ ଉପରେ ନିୟନ୍ତ୍ରଣ ଇରାନ ପାଇଁ ଏକ "ସୁବର୍ଣ୍ଣ ଅସ୍ତ୍ର’ ପାଲଟିଛି, ଯାହା ପାଇଁ ଏହା ଆମେରିକା ସହ ନୂଆ ବିପଦ ଉଠାଇବାକୁ ବି ପ୍ରସ୍ତୁତ ଅଛି । ତେହରାନର ଅନୁମତି ବିନା ପ୍ରଣାଳୀ ଦେଇ ଯାତାୟାତ କରୁଥିବା ଜାହାଜଗୁଡ଼ିକ ଉପରେ ଚଳିତ ସପ୍ତାହରେ ଗୁଳିମାଡ଼ ହୋଇଥିଲା । ଏହାଯୋଗୁ ମଧ୍ୟବର୍ତ୍ତିକାଳୀନ ଶାନ୍ତି ଚୁକ୍ତି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଶ୍ୱର ୨୫% ଶକ୍ତି ଯୋଗାଣ ସୁନିଶ୍ଚିତ କରୁଥିବା ହୋର୍ମୁଜକୁ ବନ୍ଦ କରିବାରୁ ଇରାନୀ ନେତାମାନେ ବର୍ଷ ବର୍ଷ ଧରି ଦୂରେଇ ରହିଥିଲେ । ବର୍ତ୍ତମାନ ସେମାନେ ଏହାକୁ ସବୁଠାରୁ ଶକ୍ତିଶାଳୀ କାର୍ଡ ଏବଂ ୱାଶିଂଟନ ଯୁଦ୍ଧ ସମାପ୍ତ କରିବାର ମୁଖ୍ୟ ଅସ୍ତ୍ର ଭାବେ ଦେଖୁଛନ୍ତି ।

ଏହା ବି ପଢନ୍ତୁ...Donald Trump: 'ମୁଁ ନିର୍ଦ୍ଦେଶ ଦେଇ ସାରିଛି '; ଯଦି ମୋର ହତ୍ୟା ହୁଏ ତେବେ ଇରାନ୍ରେ ଧ୍ୱଂସଲୀଳା ହେବ କହିଲେ ଟ୍ରମ୍ପ

ଇରାନ "କେବଳ ୬୦ ଦିନ ପାଇଁ ବିନା କୌଣସି ଶୁଳ୍କରେ ବାଣିଜ୍ୟିକ ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତକୁ ଅନୁମତି’ ଦେବା ନେଇ ଚୁକ୍ତି ପତ୍ରରେ କୁହାଯାଇଥିଲା । କିନ୍ତୁ ଏହି ସର୍ତ୍ତ ଇରାନ ସପକ୍ଷରେ ଯାଇଥିବା ଏହାର ସମାଲୋଚକମାନେ ଯୁକ୍ତି ବାଢ଼ିଛନ୍ତି । ଆମେରିକା ଏବଂ ଉପସାଗରୀୟ ଦେଶଗୁଡ଼ିକ ଏହି ବ୍ୟାଖ୍ୟାକୁ ଅଗ୍ରାହ୍ୟ କରିଦେଇଛନ୍ତି । କେବଳ ଦୁଇମାସ ନୁହେଁ, ବରଂ ଇରାନ ଏଠାରେ ଆଦୌ ଶୁଳ୍କ ଲାଗୁ କରିପାରିବ ନାହିଁ ବୋଲି ସେମାନେ କହିଛନ୍ତି । ଇରାନ ବର୍ତ୍ତମାନ ହୋର୍ମୁଜ ପ୍ରସଙ୍ଗରେ ପଛଘୁଞ୍ଚା ଦେବାକୁ ପ୍ରସ୍ତୁତ ନାହିଁ । ଯଦି ଏହା ପଛଘୁଞ୍ଚା ଦିଏ, ତେବେ ଟ୍ରମ୍ପ୍ ପୁଣି ପରମାଣୁ ଫାଇଲ୍କୁ ଖୋଲିଦେବେ ଏବଂ ଇରାନର ପାରମ୍ପରିକ କ୍ଷେପଣାସ୍ତ୍ର ଭଣ୍ଡାର ସମେତ ଅନ୍ୟାନ୍ୟ କ୍ଷେତ୍ରରେ ନିଜର ଦାବିକୁ ଆହୁରି ତୀବ୍ର କରିଦେବେ । ବର୍ତ୍ତମାନ ହୋର୍ମୁଜ ଅବରୋଧର ମୂଲ୍ୟ ଅତ୍ୟଧିକ ବଢ଼ିଯାଇଛି । ତାହାର ଫାଇଦା ନେଇ ଇରାନ ଏବେ ପରମାଣୁ ପ୍ରସଙ୍ଗ ଅପେକ୍ଷା ହୋର୍ମୁଜ ଉପରେ ଏହାର ଧ୍ୟାନ କେନ୍ଦ୍ରୀଭୂତ କରିଛି ।