ନୂଆଦିଲ୍ଲୀ, ୦୯/୦୨ : ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର। ଏବେ ଭୋକ କି ଶୋଷ ଲାଗିଲେ ଆପଣଙ୍କୁ ନିଜ ସିଟ୍ ରୁ ଉଠି ଯିବାକୁ ପଡ଼ିବନି। କାରଣ ଆଇଆରସିଟିସି ଆରମ୍ଭ କରିଛି ଇ-ପ୍ୟାଣ୍ଟ୍ରି। ଏବେ ଟ୍ରେନ୍ ଯାତ୍ରା ପୂର୍ବରୁ ଅନଲାଇନ୍ ରେ କରିପାରିବେ ଖାଦ୍ୟପେୟ ବୁକିଂ। ଆପଣଙ୍କ ସିଟ୍ ପାଖରେ ପହଞ୍ଚିଯିବ ଗରମା ଗରମ ଖାଦ୍ୟ। ପୂର୍ବରୁ ଏହି ସୁବିଧା କେବଳ ପ୍ରିମିୟମ୍ ଟ୍ରେନ୍ ରେ ଥିଲା। ଏହି ସୁବିଧା ଏବେ ୨୫ ମେଲ୍ ଏକ୍ସପ୍ରେସ୍ ଟ୍ରେନ୍ ରେ ମିଳିବ। ଏହାଦ୍ଵାରା ରେଳ ଯାତ୍ରୀଙ୍କ ଯାତ୍ରା ଆହୁରି ସୁଖଦ ଏବଂ ଆରାମଦାୟକ ହେବ। ଯାତ୍ରୀଙ୍କ ଫିଡବ୍ୟାକ୍ ଏବଂ ଆବଶ୍ୟକତାକୁ ଦେଖି ପରବର୍ତ୍ତୀ ସମୟରେ ଏହି ସର୍ଭିସ୍ କୁ ଆହୁରି ବଢାଯିବ।
ଇ-ପ୍ୟାଣ୍ଟ୍ରି ସର୍ଭିସ୍ ଆଇଆରସିଟିସିର ଟିକଟ ବୁକିଂ ୱେବସାଇଟ୍ ଏବଂ ଆପ୍ ସହ ଜଡ଼ିତ ଅଛି। ଯେଉଁ ଯାତ୍ରୀଙ୍କ ଟିକଟ କନଫର୍ମ ଅଛି କିମ୍ଵା ଆରଏସି ଲାଗିଛି ସେହି ଯାତ୍ରୀମାନେ ଏହାର ସୁବିଧା ଉଠାଇ ପାରିବେ। ଟିକଟ ବୁକ୍ କରିବା ସମୟରେ କିମ୍ଵା ପରେ ବୁକ୍ ଟିକଟ ହିଷ୍ଟ୍ରୀ ସେକ୍ସନକୁ ଯାଇ ଷ୍ଟାଣ୍ଡାର୍ଡ ମିଲ୍ କିମ୍ଵା ରେଳ ନୀର ଅର୍ଡର କରିପାରିବେ। ଇ-ପ୍ୟାଣ୍ଟ୍ରି ସର୍ଭିସ୍ ପ୍ରଥମେ ବିବେକ ଏକ୍ସପ୍ରେସ୍ ରେ ଆରମ୍ଭ କରାଯାଇଥିଲା। ଏହି ଟ୍ରେନ୍ ସବୁଠୁ ଅଧିକ ଦୂର ଯାଏଁ ଚାଲେ। ଭଲ ପ୍ରତିକ୍ରିୟା ମିଳିବା ପରେ ଏବେ ଏହି ସର୍ଭିସ୍ ୨୫ ମେଲ୍ ଏବଂ ଏକ୍ସପ୍ରେସ୍ ଟ୍ରେନ୍ ରେ ଆରମ୍ଭ କରାଯାଇଛି।
ସୂଚନାନୁଯାୟୀ, ସ୍ଵତନ୍ତ୍ର ସେନାନୀ ଏକ୍ସପ୍ରେସ୍, ସ୍ଵର୍ଣ୍ଣଜୟନ୍ତୀ ଏକ୍ସପ୍ରେସ୍, କର୍ଣ୍ଣାଟକ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ୍, ମଙ୍ଗଲା ଦ୍ଵୀପ ଏକ୍ସପ୍ରେସ୍, କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍, ପୁଷ୍ପକ ଏକ୍ସପ୍ରେସ୍ ପଶ୍ଚିମ ଏକ୍ସପ୍ରେସ୍, ନେତ୍ରାବତୀ ଏକ୍ସପ୍ରେସ୍, ଗ୍ରାଣ୍ଡ ଟ୍ୟାଙ୍କ ଏକ୍ସପ୍ରେସ୍, ପୂର୍ବା ଏକ୍ସପ୍ରେସ୍, ଲିଛୱି ଏକ୍ସପ୍ରେସ୍, ଆଜାଦ ହିନ୍ଦ ଏକ୍ସପ୍ରେସ୍, ମାଲୱା ଏକ୍ସପ୍ରେସ୍, ଅହମଦାବାଦ-ବରୌନୀ ଏକ୍ସପ୍ରେସ୍, ପୁରୁଷୋତ୍ତମ ଏକ୍ସପ୍ରେସ୍ ଇତ୍ୟାଦି ଟ୍ରେନ୍ ରେ ଇ-ପ୍ୟାଣ୍ଟ୍ରି ସର୍ଭିସ୍ ଆରମ୍ଭ ହୋଇଛି।
ଏହି ଖବରଟିକୁ ପଢନ୍ତୁ- ଆଧାର କାର୍ଡ ହଜିଯାଇଛି କି ? ୨ ମିିନିଟ୍ରେ ଏହି ଆପ୍ରେ ଡାଉନ୍ଲୋଡ କରନ୍ତୁ ନୂଆ, ବିନା ଡକ୍ୟୁମେଣ୍ଟରେ ହୋଇଯିବ କାମ