ନୂଆଦିଲ୍ଲୀ ୨୬/୦୭: ବଲିଉଡ୍‌ର ସର୍ବକାଳୀନ ଶ୍ରେଷ୍ଠ ସିନେମାଗୁଡ଼ିକ ମଧ୍ୟରେ ‘ମୁଗଲ୍-ଏ-ଆଜମ’ ଅନ୍ୟତମ । ଏହି ଫିଲ୍ମରେ ଦିଲୀପ କୁମାର ଓ ମଧୁବାଲାଙ୍କ ଅଭିନୟ ଆଜି ବି ମନେ ରଖିଛନ୍ତି ସିନେପ୍ରେମୀ । ରୁପେଲି ପରଦାର ସେହି ପ୍ରେମ କାହାଣୀ ପରଦା ବାହାରେ ବି ଧୀରେ ଧୀରେ ଅଙ୍କୁରିତ ହୋଇଥିଲା । ପରଦା ବାହାରେ ରିଲ୍ ଲାଇଫ୍‌ର ସଲିମ ଓ ଅନାରକଲି ଜଣେ ଅପରର ପ୍ରେମରେ ପଡ଼ିଥିଲେ । ଫିଲ୍ମ ରିଲିଜ୍ ହେବା ପରେ ଦିଲୀପ କୁମାର ଓ ମଧୁବାଲାଙ୍କ ସଂପର୍କ ବିଷୟରେ ପ୍ରାୟତଃ ଅନେକ ଲୋକ ଜାଣି ସାରିଥିଲେ । କେବଳ ଯେ ଦୁହେଁ ପରସ୍ପରର ପ୍ରେମରେ ପଡ଼ିଥିଲେ ତାହା ନୁହେଁ, ବରଂ ପ୍ରାୟ ଗୋଟିଏ ଦଶକର ପ୍ରେମ ପରେ ଦୁହେଁ ବିବାହ କରି ସୁଖରେ ସଂସାର କରିବାର ସ୍ୱପ୍ନ ବୁଣିଥିଲେ । ବିଶେଷ କରି ଦିଲୀପ କୁମାରଙ୍କୁ ସ୍ୱାମୀ ରୂପରେ ପାଇବାକୁ ପାଗଳ ପ୍ରାୟ ହୋଇଉଠିଥିଲେ ମଧୁବାଲା । ଦିଲୀପ କୁମାରଙ୍କ ପରିବାର ଲୋକ ବି ମଧୁବାଲାଙ୍କୁ ଗ୍ରହଣ କରିନେଇଥିଲେ । କେବଳ ଥିଲା ସମୟର ଅପେକ୍ଷା । କିନ୍ତୁ ଭାଗ୍ୟର ପରିବାସ ହେଉ ଅଥବା ନିୟତିର ଅନ୍ୟ କିଛି ଇଚ୍ଛା । ବିବାହ କରିବାର ନିଷ୍ପତ୍ତି ନେଇସାରିବା ପରେ ବି ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇପାରିଲେ ନାହିଁ । ସବୁଦିନ ପାଇଁ ଅଧୁରା ରହିଗଲା ଦିଲୀପ କୁମାର ଓ ମଧୁବାଲାଙ୍କ ପ୍ରେମ କାହାଣୀ । ସାମାନ୍ୟ ଗୋଟିଏ ଜିଦ୍ କାରଣରୁ ଦୁହିଁଙ୍କର ଦୀର୍ଘ ବର୍ଷର ସଂପର୍କକୁ ନଷ୍ଟ କରିଦେଇଥିଲା ।

‘ମୁଗଲ୍-ଏ-ଆଜମ’ସୁଟିଂ ହେବା ଆଗରୁ ୧୯୫୧ ମସିହାରେ ଫିଲ୍ମ ‘ତରାନା’ର ସେଟ୍‌ରେ ଜଣେ ଅପରର ପ୍ରେମରେ ପଡ଼ିଥିଲେ ଦିଲୀପ କୁମାର ଓ ମଧୁବାଲା । ଯଦିଓ ସେତେବେଳେ ଏ ନେଇ କେହି କାହା ଆଗରେ କହିନଥିଲେ । ଏହି ଫିଲ୍ମ ପରେ ଏକାଧିକ ସିନେମାରେ ଯୋଡ଼ି ବାନ୍ଧିଛନ୍ତି ସେମାନେ । ସେତେବେଳକୁ ଦୁହିଁଙ୍କ ହୃଦୟରେ ପ୍ରେମର ବୀଣା ଝଙ୍କୃତ ହେଉଥାଏ । ୧୯୬୦ ମସିହାରେ ମୁକ୍ତି ପାଏ ସେମାନଙ୍କ ଅଭିନୀତ ସବୁଠାରୁ ଲୋକପ୍ରିୟ ଫିଲ୍ମ ‘ମୁଗଲ-ଏ- ଆଜମ’ । ଦିଲୀପ କୁମାର ଓ ମଧୁବାଲାଙ୍କ ପ୍ରେମ ଯେ ଶେଷ ମୁହୂର୍ତ୍ତରେ ତାସ୍‌ର ଘର ଭଳି ଭୁଶୁଡ଼ି ପଡ଼ିବ ସେକଥା କେହି ବି ଅନ୍ଦାଜ କରିପାରିନଥିଲେ । ଏପରିକି ଦୁହିଁଙ୍କ ପରିବାର ଲୋକ ବି ଆଗୁଆ ସଙ୍କେତ ପାଇନଥିଲେ ।

ମଧୁବାଲାଙ୍କ ଭାଇ ମଧୁର ଭୂଷଣ ଏକ ସାକ୍ଷାତକାରରେ ଜଣାଇଥିଲେ, ଦିଲୀପ କୁମାର ସେମାନଙ୍କ ବାପାଙ୍କ ପାଖରେ ବାରମ୍ବାର କ୍ଷମା ମାଗିଥିଲେ ବି ମଧୁବାଲା ଓ ଦିଲୀପ କୁମାର ସାରା ଜୀବନ ପାଇଁ ବାନ୍ଧି ହୋଇପାରିଲେ ନାହିଁ । ମଧୁର ଭୂଷଣ ଜଣାଇଥିଲେ, ବି. ଆର୍ ଚୋପ୍ରାଙ୍କ ନୂଆ ଫିଲ୍ମ ‘ନୟା ଦୌର’ ପାଇଁ ସେହି ସମୟରେ ସୁଟିଂ କରୁଥାଆନ୍ତି ମଧୁବାଲା । ଅଚାନକ ସିନେମାର ସୁଟିଂ ସେଟ୍‌ରେ ପରିବର୍ତ୍ତନ କରାଯିବାରୁ ରାଗି ଯାଇଥିଲେ ମଧୁବାଲାଙ୍କ ବାପା । ମଧୁବାଲାଙ୍କୁ ମଧ୍ୟ କଡ଼ା ନିର୍ଦ୍ଦେଶ ଦେଇଥିଲେ ତାଙ୍କ ବାପା, ସେ ଯେପରି ଏହି ଫିଲ୍ମର ସୁଟିଂ ନ କରନ୍ତୁ । ମଧୁବାଲା ବାପାଙ୍କ କଥାକୁ ଅମାନ୍ୟ କରିନଥିଲେ । ମଧୁବାଲା ଆଉ ସେହି ସିନେମାରେ ଅଭିନୟ କରିପାରିବେ ନାହିଁ ବୋଲି ବି.ଆର୍ ଚୋପ୍ରାଙ୍କୁ ଜଣାଇବା ପରେ ତାଙ୍କ ବିରୁଦ୍ଧରେ ଆଇନଗତ ପଦକ୍ଷେପ ନେଇଥିଲେ ବି.ଆର୍ ଚୋପ୍ରା । ସେହି ସମୟରେ ବି.ଆର୍ ଚୋପ୍ରାଙ୍କ ସପକ୍ଷରେ କଥା କହିଥିଲେ ଦିଲୀପ କୁମାର । ଏପରିକି ମଧୁବାଲାଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦେବାକୁ ପଛେଇ ନଥିଲେ ସେ । ଏହି କାରଣରୁ ମଧୁବାଲା ଓ ଦିଲୀପ କୁମାରଙ୍କ ଦୀର୍ଘ ଦଶ ବର୍ଷର ସଂପର୍କରେ ଫାଟ ସୃଷ୍ଟି ହୁଏ ।

ମଧୁର ଭୂଷଣ ଏକଥା ଅନେକ ଥର ଜଣାଇଥିଲେ ଯେ, ମଧୁବାଲା ବାରମ୍ବାର ଦିଲୀପ କୁମାରଙ୍କୁ ଅନୁରୋଧ କରିଥିଲେ ଯେ, ଯେପରି ଭାବେ ହେଉନା କାହିଁକି ଦିଲୀପ ଯେମିତି ମଧୁବାଲାଙ୍କ ବାପାଙ୍କଠାରୁ କ୍ଷମାଭିକ୍ଷା ମାଗିବେ । ମଧୁବାଲାଙ୍କ କଥା ରକ୍ଷା କରି ଦିଲୀପ କୁମାର ମଧୁବାଲାଙ୍କ ବାପାଙ୍କଠାରୁ କ୍ଷମା ମାଗିଥିଲେ ବି ନିଜେ କୌଣସି ପ୍ରକାର ଭୁଲ୍ କରିନାହାନ୍ତି ବୋଲି ଅଡ଼ି ବସିଥିଲେ । ଦିଲୀପ କୁମାର ସ୍ପଷ୍ଟ ଜଣାଇଥିଲେ ସୁଟିଂ ଅଧାରୁ ଛାଡ଼ିଦେବା ନିଷ୍ପତ୍ତି ଆଦୌ ଠିକ୍ ନଥିଲା । ତେଣୁ ବି. ଆର୍ ଚୋପ୍ରାଙ୍କୁ ସମର୍ଥନ କରି ସେ ନୀତିଗତ ଭାବେ କୌଣସି ଭୁଲ୍ କରିନାହାନ୍ତି ବୋଲି ଜଣାଇଥିଲେ । ଏହି ଗୋଟିଏ କାରଣରୁ ହିଁ ଭାଙ୍ଗିଯାଏ ଦିଲୀପ କୁମାର ଓ ମଧୁବାଲାଙ୍କ ଦୀର୍ଘ ୧୦ ବର୍ଷର ପ୍ରେମ । ପରବର୍ତ୍ତୀ ସମୟରେ ଦୀଲିପ ବିବାହ କରନ୍ତି ନିଜଠାରୁ ବୟସରେ ୨୨ ବର୍ଷ ସାନ ସାଇରା ବାନୁଙ୍କୁ । ମଧୁବାଲା ମଧ୍ୟ କିଶୋର କୁମାରଙ୍କୁ ବିବାହ କରନ୍ତି । ତେବେ ଦିଲୀପ କୁମାରଙ୍କ ବୈବାହିକ ଜୀବନ ଦୀର୍ଘସ୍ଥାୟୀ ହୋଇଥିଲା ବେଳେ ଅତି ଅଳ୍ପ ବୟସରେ ମୃତ୍ୟୁ କୋଳରେ ଢଳି ପଡ଼ିଥିଲେ ମଧୁବାଲା ।

ଆହୁରି ପଢ଼ନ୍ତୁ...Rajesh Khanna: ୧୦ ଥର ଛାଡପତ୍ର ମାଗିଥିଲେ ରାଜେଶ ଖାନ୍ନା,ରାଜି ନହୋଇ ସର୍ତ୍ତ ରଖିଥିଲେ ଡିମ୍ପଲ ,ଲିଭ-ଇନ୍-ପାର୍ଟନର କଲେ ଖୁଲାସା..