ସୁକିନ୍ଦା,୧୭/୦୫: ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଖରଡ଼ି ପଞ୍ଚାୟତରେ ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ । ମଣିଷ ବଦଳରେ କାମ କରୁଛି ମେସିନ । ଖରଡ଼ି ପଞ୍ଚାୟତରେ ଖରଡ଼ି ଠାରୁ ନାଉପାଳ ରାସ୍ତାର ଉନ୍ନତିକରଣ ଏବଂ ନାଉପାଲ ସାହି ଖେଳ ପଡିଆର ଉନ୍ନତିକରଣ ଏହି ଦୁଇଟି କାର୍ଯ୍ୟ ପାଇଁ ୨୦୨୨-୨୩ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ମୋଟ ୨୦ ଲକ୍ଷ ଟଙ୍କାର ବ୍ୟୟ ବରାଦ ହୋଇଥିଲା । ଏହି କାର୍ଯ୍ୟ ପାଇଁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଡ଼ାଙ୍ଗି ମୁର୍ମୁଙ୍କ ନାମରେ ବିଭାଗୀୟ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ହେଲେ ଏହି ଦୁଇ ମନରେଗା କାର୍ଯ୍ୟକୁ ସ୍ଥାନୀୟ ସରପଞ୍ଚଙ୍କ ସ୍ୱାମୀ ନିଜେ ମେସିନ ,ଟ୍ରାକ୍ଟର ଲଗାଇ କରୁଥିବାର ନାଉପାଳ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।
କାର୍ଯ୍ୟସ୍ଥଳରେ ସୂଚନା ଫଳକ ଲଗାଇବା ପରିବର୍ତ୍ତେ ଲୋକଙ୍କ ଦୃଷ୍ଟିରୁ ଦୂରେଇ ରଖିବା ପାଇଁ କାର୍ଯ୍ୟସ୍ଥଳର ଏକ କିଲୋମିଟର ଦୂରରେ ଏହି ଫଳକ ନିର୍ମାଣ କରାଯାଇଛି। ଏଷ୍ଟିମେଟ୍ ଅନୁସାରେ କାର୍ଯ୍ୟରତ ଶ୍ରମିକମାନଙ୍କ ବିଶ୍ରାମ ପାଇଁ ଆଶ୍ରୟସ୍ଥଳ,କ୍ରେଚ ଇତ୍ୟାଦି ନିର୍ମାଣର ବ୍ୟବସ୍ଥା ଥିଲେ ହେଁ ଏଭଳି କୌଣସି ନିର୍ମାଣ ଦେଖିବାକୁ ମିଳୁନାହିଁ। ଏପରିକି ଏହି କାର୍ଯ୍ୟରେ ଗ୍ରାମବାସୀଙ୍କୁ ସାମିଲ କରିବା ଓ ମେସିନ ବ୍ୟବହାର ବନ୍ଦ କରିବା ପାଇଁ ଗତ ଜାନୁଆରୀ ମାସ ଶେଷ ସପ୍ତାହରେ ଗ୍ରାମବାସୀମାନେ ତତ୍କାଳୀନ ବିଡ଼ିଓ ରେସମା ଟେଟେ ଓ ସୁକିନ୍ଦା ଥାନା ଅଧିକାରୀଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିଲେ। ହେଲେ ପଞ୍ଚାୟତ ଦାୟିତ୍ଵରେ ଥିବା କନିଷ୍ଠ ଯନ୍ତ୍ରୀ ମେସିନ ବ୍ୟବହାର ନ କରିବାକୁ ବାରଣ କରିଥିଲେ ହେଁ ସରପଞ୍ଚଙ୍କ ସ୍ୱାମୀ ନିଜ କ୍ଷମତାର ଅପବ୍ୟବହାର କରି ଟ୍ରାକ୍ଟର ଓ ମେସିନ ଲଗାଇ କାମ ଜାରି ରଖିଥିଲେ।
ଏଥିସହ ମିଛ ମଷ୍ଟର ରୋଲ ତିଆରି କରି ନିଜ ଆତ୍ମୀୟ ଓ ସମର୍ଥକଙ୍କ ଜବ କାର୍ଡ ନମ୍ବର ପକାଇ ସେମାନଙ୍କ ନାମରେ ଟଙ୍କା ଉଠାଇବାର ଯୋଜନା କରିଛନ୍ତି। ପଞ୍ଚାୟତ ବ୍ୟବସ୍ଥାରେ ଥିବା ଏଭଳି ଅସାଧୁ ପ୍ରକୃତିର ଲୋକ ପ୍ରତିନିଧିମାନଙ୍କ ଯୋଗୁଁ ସରକାରୀ ଯୋଜନାର ସୁଫଳ ସାଧାରଣ ଲୋକ ପାଇ ପାରୁ ନାହାଁନ୍ତି ଓ ମନରେଗା ଭଳି ମହତ୍ତ୍ଵ ପୂର୍ଣ୍ଣ ଯୋଜନା ଲୋକଙ୍କ ହିତରେ ଆସୁନ ଥିବା ଅଭିଯୋଗ ହୋଇଛି। ଖରଡ଼ି ପଞ୍ଚାୟତରେ ମନରେଗା ଯୋଜନାରେ ହେଉଥିବା ଏହି ଅନିୟମିତତା ପ୍ରତି ଜିଲ୍ଲାପାଳ ମହୋଦୟା ଦୃଷ୍ଟି ଦେବା ଓ ନିଜେ ସର ଜାମିନ ତଦନ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।