ମୁମ୍ୱାଇ : ବିବାଦୀୟ ଆଇଆରଏସ ଅଧିକାରୀ ସମୀର ୱାଙ୍ଖଡେଙ୍କ ସହ ଜଡ଼ିତ ବିବାଦୀୟ କାର୍ଡେଲିଆ କ୍ରୁଜ୍ ଡ୍ରଗ୍ଧ ମାମଲା ଏକ ନୂଆ ମୋଡ଼ ନେଇଛି। ସୋମବାର ବମ୍ବେ ହାଇକୋର୍ଟରେ ଏକ ଶୁଣାଣି ବେଳେ ୱାଙ୍ଖଡେ ସ୍ପଷ୍ଟ ଭାବରେ କହିଥିଲେ ଯେ, ସେ ଗ୍ଲୋବାଲ ସୁପରଷ୍ଟାର ଶାହରୁଖ ଖାନଙ୍କ ଠାରୁ କେବେ ଲାଞ୍ଚ ମାଗି ନାହାଁନ୍ତି କିମ୍ବା ଗ୍ରହଣ କରି ନାହାଁନ୍ତି। ଉକ୍ତ ମାମଲାରେ କୋର୍ଟ ସିବିଆଇକୁ ମଧ୍ୟ କଠିନ ପ୍ରଶ୍ନ ପଚାରିଛି,ଯେଉଁଥି ପାଇଁ ଏହି ମାମଲା ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛି।
ସୋମବାର ଶୁଣାଣି ବେଳେ, ସମୀର ୱାଙ୍ଖଡେ କୋର୍ଟ ସମ୍ମୁଖରେ କହିଥିଲେ ଯେ, ଲାଞ୍ଚ ମାଗିବା କିମ୍ବା ଗ୍ରହଣ କରିବାରେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ। ତାଙ୍କ ଓକିଲ, ଆବାଦ ପୋଣ୍ଡା, ଯୁକ୍ତି ଦେଇଥିଲେ ଯେ , ସିବିଆଇର ନିଜସ୍ୱ ମାମଲାରେ ମଧ୍ୟ ପ୍ରକାଶ ପାଇଛି ଯେ, ଅନ୍ୟ କେହି ଲାଞ୍ଚ ନେଇ ଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ଏହି ମାମଲାରେ ଏପର୍ଯ୍ୟନ୍ତ ଚାର୍ଜସିଟ୍ ଦାଖଲ ହୋଇ ନାହିଁ, ଯାହାକି ଅଭିଯୋଗର ଗମ୍ଭୀରତା ଉପରେ ପ୍ରଶ୍ନ ଉଠାଇଛି। ୱାଙ୍ଖଡେ ନିଜକୁ ସମ୍ପୂର୍ଣ୍ଣ ରୂପେ ନିର୍ଦ୍ଦୋଷ ଦର୍ଶାଇ ଏଫଆଇଆରକୁ ଖାରଜ କରିବାର ଦାବିକୁ ପୁନର୍ବାର ଦୋହରାଇ ଥିଲେ।
ଉଲ୍ଲେଖନୀୟ ଯେ, ଏହି ସମ୍ପୂର୍ଣ୍ଣ ମାମଲା ଅକ୍ଟୋବର ୨୦୨୧ ର କର୍ଡେଲିଆ କ୍ରୁଜ୍ ଡ୍ରଗ୍ଧ ମାମଲା ସହିତ ଜଡିତ। ସେହି ସମୟରେ, ୱାଙ୍ଖଡେ ନାର୍କୋଟିକୁ କଣ୍ଟ୍ରୋଲ୍ ବ୍ୟୁରୋ (NCB) ରେ ଡେପୁଟେସନରେ ଥିଲେ। ସେହି ସମୟରେ, ଅନେକ ବଲିଉଡ୍ ସେଲିବ୍ରିଟିଙ୍କ ବିରୁଦ୍ଧରେ ଡ୍ରଗ୍ଧ ସମ୍ୱନ୍ଧୀୟ ମାମଲା ରୁଜୁ ହୋଇ ଥିଲା। କ୍ରୁଜ୍ ଉପରେ ଚଢାଉ ସମୟରେ, କିଛି ଲୋକଙ୍କ ଠାରୁ ଡ୍ରଗ୍ଧ ମିଳିଥିବା ଦାବି କରାଯାଇ ଥିଲା, ଯାହା ଫଳରେ ଏହି ମାମଲା ସମଗ୍ର ଦେଶରେ ଚର୍ଚ୍ଚାକୁ ଆସିଥିଲା।
ଏହି ମାମଲାରେ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ମଧ୍ୟ ସାମ୍ନାକୁ ଆସି ଥିଲେ। ଯଦିଓ ତାଙ୍କ ଠାରୁ କୌଣସି ଡ୍ରଗ୍ସ ମିଳି ନଥିଲା, କିନ୍ତୁ ସେହି ଲୋକଙ୍କ ସହ ଥିଲେ, ଯାହାଙ୍କ ପାଖରୁ ଡ୍ରଗ୍ସ ଜବତ କରାଯାଇ ଥିଲା ବୋଲି ଜଣାପଡି ଥିଲା। ପରେ, ତାଙ୍କ ମୋବାଇଲ୍ ଫୋନ୍ ଯାଞ୍ଚରେ ପୁରୁଣା ଚ୍ୟାଟ୍ସ ମିଳିଲା, ଯେଉଁଥିରେ ଡ୍ରଗ୍ଧ ବ୍ୟବହାର ବିଷୟରେ ଆଲୋଚନା ହୋଇଥିବା କୁହାଯାଇ ଥିଲା। ଏହାକୁ ଆଧାର କରି, NCB ତାଙ୍କୁ ଅଭିଯୁକ୍ତ ଭାବେ ଗିରଫ କରିଥିଲା ।
ସିବିଆଇ ତଦନ୍ତରେ ଅଭିଯୋଗ ହୋଇଥିଲା ଯେ, ୱାଙ୍ଖଡେ ଓ ଆଉ ଚାରି ଜଣ ବ୍ୟକ୍ତି ଶାହରୁଖ ଖାନଙ୍କ ଠାରୁ ୨୫ କୋଟି ଟଙ୍କା ଲାଞ୍ଚ ମାଗିଥିଲେ। ଏହି ରକମ ତାଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କୁ ମାମଲାରେ ଜଡିତ ହେବାରୁ ରକ୍ଷା କରିବା ପାଇଁ ମଗାଯାଇଥିଲା। ଏହି ଅଭିଯୋଗ ଏବେ ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି। ହେଲେ ସମୀର ୱାଙ୍ଖଡେ ଏହି ଅଭିଯୋଗଗୁଡ଼ିକୁ ବାରମ୍ୱାର ଖଣ୍ଡନ କରି ଆସୁଛନ୍ତି ଏବଂ ଏହାକୁ ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି।