ନୂଆଦିଲ୍ଲୀ ୧୫/୦୮: ପାଦରେ ସବୁ ବେଳେ ଯନ୍ତ୍ରଣା ରହୁଛି କି? ଯଦି ରହୁଛି ଏହାକୁ କେବଳ ଥକ୍କାପଣ ଭାବି ଅଣଦେଖା କରନ୍ତୁନି । ଏହା ହୁଏତ ଭିଟାମିନ୍‌-କେ ଅଭାବର ଲକ୍ଷଣ ହୋଇଥାଇପାରେ । ଏମିତି କେତେକ ଲକ୍ଷଣ ରହିଛି, ଯାହା ଭିଟାମିନ୍‌-କେ’ର ଅଭାବରୁ ଦେଖା ଦେଇଥାଏ । ଯାହାର ଅଭାବକୁ ଦୂର କରିବା ଦ୍ୱାରା ହିଁ ସମସ୍ୟା ଆପେ ଆପେ କମିଚାଲେ । ସାରାଦିନ କାମ କରିବା ପରେ ଥକ୍କାପଣ ଯୋଗୁ ଯନ୍ତ୍ରଣା ଅନୁଭବ ହୋଇଥାଏ, ଯାହାକୁ ଆମେ ସାଧାରଣ ଭାବି ଅଣଦେଖା କରି ଦେଇଥାଉ । କିନ୍ତୁ କେବେ ଭାବିଛନ୍ତି କି ଏହା କୌଣସି ଗୁରୁତର ସମସ୍ୟା ହୋଇଥାଇପାରେ । ଚାଲନ୍ତୁ ଦେଖିବା ଏମିତି କେତେକ ଲକ୍ଷଣ ଯାହା ଜଣାଇଥାଏ ଯେ ଆପଣଙ୍କ ଶରୀରରେ ଭିଟାମିନ୍‌-କେ’ର ଅଭାବ ରହିଛି । ଯେପରିକି…

ସାମାନ୍ୟ ଆଘାତରେ ଅଧିକ ରକ୍ତ :

ସ୍ରାବ ଯଦି କୌଣସି ବ୍ୟକ୍ତିଠାରେ ସାମାନ୍ୟ ଆଘାତ ଲାଗିବା ପରେ ମାତ୍ରାଧିକ ରକ୍ତ ବାହାରୁଥାଏ, ତେବେ ଏହା ଭିଟାମିନ୍‌-କେ’ ଅଭାବର ସବୁଠାରୁ ବଡ଼ ଲକ୍ଷଣ । କାରଣ ଏହି ଭିଟାମିନ୍‌ ରକ୍ତକୁ ଗାଢା କରିବାରେ ସହାୟତା କରିଥାଏ । ଏହାର ଅଭାବରୁ ରକ୍ତ ପତଳା ହେବା ସହ ସାମାନ୍ୟ ଆଘାତରେ ମାତ୍ରାଧିକ ରକ୍ତ ବାହାରିଥାଏ ।

ମାଢି ଓ ନାକରୁ ରକ୍ତ ବାହାରିବା :

ବିନା କାରଣରେ ମାଢି ଓ ନାକରୁ ରକ୍ତ ବାହାରିବା ହେଉଛି ଭିଟାମିନ୍‌-କେ’ ଅଭାବର ଲକ୍ଷଣ । ଏହି ଭିଟାମିନ୍‌ର ଅଭାବ ଯୋଗୁ ଶରୀରରେ ରକ୍ତ ପତଳା ହୋଇପଡେ । 

ଶରୀରରେ ନୀଳ ଓ ବାଇଗଣୀ ଚିହ୍ନ ଦେଖାଦେବା :

ଯଦି ବିନା ଆଘାତରେ ଶରୀରରେ ନୀଳ ଓ ବାଇଗଣୀ ଚିହ୍ନ ଦେଖା ଦେଉଛି, ତେବେ ଏହା ଭିଟାମିନ୍‌-କେ’ ଅଭାବର ଲକ୍ଷଣ । ଏହି ଚିହ୍ନ ସେତେବେଳେ ଆସିଥାଏ, ଯେତେବେଳେ ରକ୍ତ ଛୋଟ ଛୋଟ ଶିରାପ୍ରଶିରାରେ ପ୍ରବାହିତ ହୋଇଥାଏ ।

ହାଡ଼ରେ ଯନ୍ତ୍ରଣା ଓ ଦୁର୍ବଳ ହେବା :

ଭିଟାମିନ୍‌-କେ’ ହାଡ଼କୁ ମଜଭୁତ କରୁଥିବା ପ୍ରୋଟିନ୍‌କୁ ସକ୍ରିୟ ଭାବେ ସହଯୋଗ କରିଥାଏ । ଏହାର ଅଭାବରେ ହାଡ଼ ଦୁର୍ବଳ ହେବା ସହ ଗଣ୍ଠି ଓ ପାଦରେ ଯନ୍ତ୍ରଣା ଅନୁଭବ ହୋଇଥାଏ ।

ପରିସ୍ରାରେ ରକ୍ତ ପଡିବା :

ଝାଡା କିମ୍ବା ପରିସ୍ରାରେ ରକ୍ତ ପଡିଲେ ତୁରନ୍ତ ଡାକ୍ତର ପରାମର୍ଶ କରାଇ ନିଅନ୍ତୁ । ଏହା ଭିଟାମିନ୍‌କେ ଅଭାବରୁ ହୋଇଥାଏ । କାରଣ ବ୍ୟକ୍ତିର ଅଜଣତାରେ ଶରୀର ଭିତରେ କୌଣସି ଅଙ୍ଗରୁ ଅଚାନକ ରକ୍ତ ବାହାରିଥାଏ । ଉପରୋକ୍ତ କୌଣସି ଲକ୍ଷଣ ଅନୁଭବ ହେଉଥିଲେ, ଡାକ୍ତରଙ୍କ ସହ ପରାମର୍ଶ କରି ଭିଟାମିନ-କେ’ ପରୀକ୍ଷା କରାଇ ନିଅନ୍ତୁ । ଡାଏଟ୍‌ରେ ଏହି ଅଭାବକୁ ଦୂର କରିବା ପାଇଁ ସବୁଜ ପନିପରିବା, ବ୍ରୋକୋଲୀ, ସୋୟାବିନ୍‌ ଓ ଅଣ୍ଡା ପରି ଖାଦ୍ୟକୁ ସାମିଲ୍‌ କରନ୍ତୁ ।