ଅନେକ ସମୟରେ ପିଲାମାନେ ରାତିରେ ଶୋଇଥିବା ବେଳେ ଦାନ୍ତ କଡମଡ କରିଥାନ୍ତି । ଏହାକୁ ପ୍ରାୟ ଅଭିଭାବକ ସାଧାରଣ ଭାବିଥାନ୍ତି । ପେଟରେ କୃମି ହେଲେ ଏମିତି ହୁଏ ବୋଲି କୁହାଯାଇଥାଏ । ଏହି ଦାନ୍ତ କଡ଼ମଡ଼କୁ ଡାକ୍ତରୀ ଭାଷାରେ ଟ୍ରୁଥ୍ ବ୍ରକ୍ସିଜିମ୍ କୁହାଯାଏ । ଏହି ସମସ୍ୟା କେବଳ ପିଲାମାନଙ୍କଠାରେ ଦେଖା ଦେଇନଥାଏ । ଅନେକ ବୟସ୍କଙ୍କଠାରେ ମଧ୍ୟ ଦେଖାଦିଏ ।

ଟ୍ରୁଥ୍ ବ୍ରକ୍ସିଜିମ୍ କ'ଣ?

ଟ୍ରୁଥ୍ ବ୍ରକ୍ସିଜିମ୍ ବା ଦାନ୍ତ କଡ଼ମଡ଼ ସମସ୍ୟା ପିଲାମାନଙ୍କଠାରେ ପ୍ରାୟ ଦେଖା ଦେଉଥିବା ବେଳେ ବଡ଼ମାନଙ୍କଠାରେ ଖୁବ୍ କମ୍ ଦେଖାଦେଇଥାଏ । ପିଲାମାନଙ୍କର ନୂଆ ଦାନ୍ତ ଉଠିବା ସମୟରେ ମାଢିମୂଳ ଶୁଳେଇ ହେଉଥିବାରୁ ସେମାନେ ଏପରି କରିଥାନ୍ତି । ପିଲାମାନେ ଦୁଇ କଡ଼କୁ ଜାକି ଦୁଇ ମାଢିକୁ ଘଷିଥାନ୍ତି । ଏପରି କରିବା ଦ୍ୱାରା ସେମାନଙ୍କୁ ଆରାମ ଲାଗିଥାଏ । ଏହାକୁ ଟିଥ୍ ଗ୍ରାଇଣ୍ଡିଂ ବା ଟ୍ରୁଥ୍ ବ୍ରକ୍ସିଜିମ୍ କୁହାଯାଏ । ଏହି ସମସ୍ୟା କେବଳ ଦାନ୍ତ ଉଠିବା ସମୟରେ ନୁହେଁ, ବରଂ ପିଲାଙ୍କ ପେଟରେ କୃମି ହେଲେ ମଧ୍ୟ ସେମାନେ ଶୋଇପାରି ନଥାନ୍ତି । ଫଳରେ ଏପରି ସମସ୍ୟା ସୃଷ୍ଟି ହୋଇଥାଏ ।

କିଛି ବୟସ୍କ ଲୋକଙ୍କଠାରେ ମଧ୍ୟ ଟ୍ରୁଥ୍ ବ୍ରକ୍ସିଜିମ୍ ଦେଖା ଦେଇଥାଏ । ଯେଉଁମାନଙ୍କଠାରେ ଟିଏମ୍ଜେ ବା ଟେମ୍ପୋରୋମାଣ୍ଡିବୁଲାର୍ ଡିସ୍ଅର୍ଡର ରହିଥାଏ, ସେମାନଙ୍କଠାରେ ଏପରି ସମସ୍ୟା ଦେଖିବାକୁ ମିଳିଥାଏ । କାନ ପାଖରେ ସ୍କଲ୍ପ ସହ ମାଢିର ଜଏଣ୍ଟ ହୋଇଥାଏ । ସେହି ମାଢିରେ ଦାନ୍ତ ଉଠିଥାଏ । ଏହି ଜଏଣ୍ଟରେ ଯନ୍ତ୍ରଣା ଥିଲେ, ବ୍ୟକ୍ତି ଯନ୍ତ୍ରଣାକୁ ଦୂର କରିବା ପାଇଁ ବ୍ରକ୍ସିଜିମ୍ କରିଥାନ୍ତି । ଯନ୍ତ୍ରଣା ଯୋଗୁ ଠିକ୍ ଭାବେ ନିଦ ହୋଇ ନଥାଏ, ତାଙ୍କର ଧାରଣ ରହିଥାଏ ଯେ ବ୍ରକ୍ସିଜିମ୍ କରିବା ଦ୍ୱାରା ନିଦ ହୋଇଯିବ । ଏହା କେବଳ ଏକ ଅଭ୍ୟାସ, ଯାହାକୁ ସାଇକୋ ସୋମାଟିକ୍ ମଧ୍ୟ କୁହାଯାଏ । ଏହାବ୍ୟତୀତ ମାନସିକ ଚିନ୍ତା ଅଧିକ ରହିଲେ ମଧ୍ୟ ଏପରି ହୋଇଥାଏ । କିନ୍ତୁ ବ୍ୟକ୍ତି ନିଜେ ଜାଣିପାରି ନଥାନ୍ତି । ସକା ମାଢି ଫୁଲିବା ସହ ଦରଜ ହୋଇଯାଇଥାଏ । ଡାକ୍ତରଙ୍କ ପାଖକୁ ଯିବା ପରେ ବ୍ରକ୍ସିଜିମ୍ ଆକଳନ କରାଯାଇଥାଏ ।

ଚିକିତ୍ସା

ବ୍ରକ୍ସିଜିମ୍ ଦ୍ୱାରା ଦାନ୍ତର ଏନାମେଲ୍ ଘୋରି ହେବା ସହ କାନ ଜଏଣ୍ଟ ପାଖରେ ଯନ୍ତ୍ରଣା ହୋଇଥାଏ । ଏହାର ଚିକିତ୍ସା ମଧ୍ୟ ରହିଛି । ୨/୩ ବର୍ଷର ପିଲାଙ୍କ ପାଇଁ ଏହା ସାଧାରଣ । କଡ଼ଦାନ୍ତ ଉଠିବା ପୂର୍ବରୁ ପିଲାମାନେ ଏପରି କରିଥାନ୍ତି । ପିଲାଠାରେ କାରଣ ଖୋଜିବା ପରେ ହିଁ ଚିକିତ୍ସା କରାଯାଇଥାଏ ।