ଇସଲାମାବାଦ : ଇସଲାମାବାଦରେ ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପାକ୍‌ ବୈଦେଶିକ ମନ୍ତ୍ରୀ। ଏଠାରେ ଆୟୋଜିତ ଏକ କୂଟନୈତିକ କାର୍ଯ୍ୟକ୍ରମରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇଶାକ ଡାର , ମିଶରୀୟ ବୈଦେଶିକ ମନ୍ତ୍ରୀଙ୍କୁ ସ୍ୱାଗତ କରୁଥିଲେ। ଏହି ସମୟରେ ତଳେ ଖସି ପଡ଼ି ଯାଇଥିବା ଖବର ସାମ୍ନାକୁ ଆସିଛି। ତେବେ ଏହି ଘଟଣାରେ ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଜଣାପଡ଼ିଛି।

ନବଭାରତ ଟାଇମ୍ସ ଡଟ୍ କମ୍‌ରେ ପ୍ରକାଶିତ ସୂଚନା ଅନୁସାରେ , ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆୟୋଜିତ ଏକ କୂଟନୈତିକ ସମ୍ମିଳନୀ ଅବସରରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଇଶାକ ଡାର୍, ମିଶରର ବୈଦେଶିକ ମନ୍ତ୍ରୀ ବଦ୍ର ଅବଦେଲାତିଙ୍କୁ ସ୍ୱାଗତ କରିବା ସମୟରେ ହଠାତ୍ ଗୋଡ଼ ଖସି ଯିବାରୁ ତଳେ ପଡ଼ିଯାଇ ଥିଲେ।

ଆହୁରି ମଧ୍ୟ ପଢନ୍ତୁ : ଗୋଟେପଟେ ଆଲୋଚନା ପାଇଁ କହୁଥିବା ବେଳେ ଆଉ ଗୋଟେପଟେ ସ୍ଥଳ ଆକ୍ରମଣ ପାଇଁ ଆମେରିକାର ଷଡ଼ଯନ୍ତ୍ର ... ଜୋରଦାର ବର୍ଷିଲା ଇରାନ

ମଧ୍ୟ-ପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ହ୍ରାସ କରିବା ପାଇଁ ପାକିସ୍ତାନ, ସାଉଦି ଆରବ, ତୁର୍କୀ ଏବଂ ମିଶର ମଧ୍ୟରେ ଏକ ଚତୁର୍ଦ୍ଦେଶୀୟ ବୈଠକ ଆୟୋଜିତ ହୋଇଥିଲା। ଏହି ଅବସରରେ ବୈଦେଶିକ ମନ୍ତ୍ରୀ ଇଶାକ ଡାର୍ ବୈଦେଶିକ ମନ୍ତ୍ରାଳୟ କାର୍ଯ୍ୟାଳୟ ପରିସରରେ ମିଶରୀୟ ବୈଦେଶିକ ମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ରେଡ୍ କାର୍ପେଟ୍ ଉପରେ ଚାଲୁଥିବା ବେଳେ ହଠାତ୍ ଭାରସାମ୍ୟ ହରାଇଥିଲେ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ମନ୍ତ୍ରୀ ପଡ଼ିଯିବା ମାତ୍ରେ ନିକଟରେ ଥିବା ସୁରକ୍ଷା କର୍ମୀ ଏବଂ ଅଧିକାରୀମାନେ ତୁରନ୍ତ ତାଙ୍କୁ ଧରି ପକାଇଥିଲେ। କିଛି ସେକେଣ୍ଡ ମଧ୍ୟରେ ସେ ସମ୍ଭାଳି ଯାଇ ପୁଣି ଛିଡ଼ା ହୋଇଥିଲେ। ସୌଭାଗ୍ୟବଶତଃ, ଏହି ଘଟଣାରେ ତାଙ୍କୁ କୌଣସି ଆଘାତ ଲାଗିନାହିଁ ଏବଂ ସେ ନିଜର ସମସ୍ତ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ସ୍ୱାଭାବିକ ଭାବେ ଯୋଗ ଦେଇଥିଲେ।

ଏହି ଛୋଟ ଦୁର୍ଘଟଣା ପରେ ମଧ୍ୟ ଦୁଇ ଦେଶର ମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ସଫଳତାର ସହ ଶେଷ ହୋଇଛି। ଆଲୋଚନା ସମୟରେ ବିଶେଷ କରି ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ହ୍ରାସ କରିବା। ବାଣିଜ୍ୟ, ନିବେଶ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି। ଗାଜାରେ ଚାଲିଥିବା ସଙ୍କଟ ସମୟରେ ମିଶରର ଭୂମିକାକୁ ପାକିସ୍ତାନ ପ୍ରଶଂସା କରିଥିବା ଆଦି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯାଇଛି।