ତେହେରାନ : ଆମେରିକା ଉପରେ ବଡ଼ ଅଭିଯୋଗ କରିଛି ଇରାନ। ଏଥିରେ କୁହାଯାଇଛି ଯେ, ଆମେରିକା କେବଳ ଆଲୋଚନା ପାଇଁ ଲୋକ ଦେଖାଣିଆ କାମ କରୁଛି। ହେଲେ ଅନ୍ୟପଟେ ଭିତରେ ଭିତରେ ସେ ଏକ ଗୁପ୍ତ ମିଶନ ପ୍ଲାନିଂରେ ଲାଗିଛି , ଯାହା ଅନୁସାରେ ସେ ଇରାନ ଉପରେ ସ୍ଥଳ ଆକ୍ରମଣର ପ୍ରସ୍ତୁତିରେ କରୁଛି। ଏହି କଥା ଇରାନୀ ସଂସଦଙ୍କ ସ୍ପିକର ମହମ୍ମଦ ବାଘେର ଘାଲିବାଫ କହିଛନ୍ତି। ଏହାସହ ସେ ଏହା ମଧ୍ୟ ଚେତାବନୀ ଦେଇଛନ୍ତି ଯେ, ଇରାନର ସେନା ଆମେରିକା ସାମରିକ ବାହିନୀର ଆକ୍ରମଣ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ। ଏହି ଦୋହରା ନୀତି ପାଇଁ ଇରାନୀ ସଂସଦର ସ୍ପିକର ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ମଧ୍ୟ ବର୍ଷିଛନ୍ତି।

ଇରାନ ନ୍ୟୁଜ୍ ଏଜେନ୍ସି ଦ୍ୱାରା ପ୍ରକାଶିତ କମେଣ୍ଟସରେ ,ଘାଲିବାଫ ଟ୍ରମ୍ପଙ୍କ ଇରାନ ସହ ଆଲୋଚନ କରିବାର ଇଚ୍ଛାକୁ ନେଇ ଖୁବ୍ ଶୁଣାଇଛନ୍ତି। ସେ କହିଛନ୍ତି ଶତ୍ରୁ ଖୋଲାଖୋଲି ଆଲୋଚନା ବାର୍ତ୍ତା ପଠାଉଛି ଏବଂ ଗୋପନ ରୂପେ ସ୍ଥଳ ଆକ୍ରମଣର ଯୋଜନା କରୁଛି। ସେ କହିଛନ୍ତି, ଆମ ଲୋକେ ଆମେରିକୀୟ ସୈନିକଙ୍କ ସ୍ଥଳକୁ ଆସିବାକୁ ଅପେକ୍ଷା କରିଛନ୍ତି , ଯାହାକି ସେମାନଙ୍କୁ ଜାଳି ପାରିବେ।

ଇରାନର ବୈଦେଶିକ ମନ୍ତ୍ରୀ ଅବାସ୍ ଅରାଘଚୀ ଲେବାନନରେ ତିନି ଜଣ ସାମ୍ୱାଦିକଙ୍କ ମୃତ୍ୟୁରେ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି। ଏହାସହ ଏହାକୁ କେବଳ ମିଡ଼ିଆ ଜଗତ ପାଇଁ ବଡ଼ କ୍ଷତି ନୁହେଁ , ବରଂ ବିଶ୍ୱଚିନ୍ତା ପାଇଁ ଏକ ଗୁରୁତର ଚେତାବନୀ ସଦୃଶ। ରିପୋର୍ଟ ଅନୁସାରେ , ଜେଜ୍ଜିନ ସହରରେ ଏକ ବିମାନ ଆକ୍ରମଣରେ ଅଲ୍ ମନାର ଟିଭିର ସାମ୍ୱାଦିକ ଅଲି ଶୋଏବ୍ ଓ ଅଲ୍ ମୟାଦିନର ସାମ୍ୱାଦିକ ଫାତିମା ଓ ମହମ୍ମଦ ଫେଟୋନିଙ୍କ ମୃତ୍ୟୁ ହୋଇଛି। ଏହି ଆକ୍ରମଣ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଦ୍ୱାରା କରାଯାଇ ଥିବା କୁହାଯାଉଛି। ସୋସିଆଲ ମିଡ଼ିଆରେ ଜାରି ନିଜର ବିବୃତ୍ତିରେ ଅରାଘଚୀ ଏହି ଆକ୍ରମଣକୁ ଟାର୍ଗେଟ୍ କିଲିଂ ଦର୍ଶାଇଛନ୍ତି। ସେ କହିଛନ୍ତି ଏହା ସତ ସାମ୍ନାକୁ ଆଣୁ ଥିବା ସ୍ୱରକୁ ଚୁପ୍ କରିବାକୁ ଚେଷ୍ଟା କରୁଛି । ଏପଟେ ଇସ୍ରାଏଲର ସେନା ଅଲୀ ଶୋଏବଙ୍କ ମୃତ୍ୟୁକୁ ସ୍ପଷ୍ଟ କରି ଦାବି କରିଛନ୍ତି ଯେ,ସେ ହିଜବୁଲ୍ଲାହର ସଦସ୍ୟ ଥିଲେ ଏବଂ ସାମ୍ୱାଦିକ ରୂପେ କାମ କରୁଥିଲେ।

ଉଲ୍ଲେଖନୀୟ ଯେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହୋର୍ମୁଜ ପ୍ରଣାଳୀ ଖୋଳିବା ପାଇଁ ଇରାନକୁ ଦିଆଯାଇ ଥିବା ସମୟ ସୀମାକୁ ୬ ଅପ୍ରେଲ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି। ରାଷ୍ଟ୍ରପତି ଗୁରୁବାର ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ସେ ଇରାନର ପାୱାର ପ୍ଲାଣ୍ଟ ଉପରେ ବୋମାମାଡ଼କୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିବେ। ଏହି ତାଜା ଘଟଣାକ୍ରମ ଏମିତି ସମୟରେ ସାମ୍ନାକୁ ଆସିଛି , ଯେବେ ଯୁଦ୍ଧ ବିରାମ ବାର୍ତ୍ତାକୁ ନେଇ ଉଭୟ ଦେଶ ଗତିରୋଧର ସ୍ଥିତିରେ ନଜର ଆସୁଛନ୍ତି ତଥା ସେମାନେ ନିଜ ନିଜର ଆଭିମୁଖ୍ୟକୁ କଡ଼ା କରିନେଇଛନ୍ତି।