ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର କୁଶିନଗର ଜିଲ୍ଲା ପୁଣି ଥରେ ଆତଙ୍କୀ କାର୍ଯ୍ୟକଳାପ ସହ ଜଡ଼ିତ ମାମଲାକୁ ନେଇ ଚର୍ଚ୍ଚାକୁ ଆସିଛି। ରିଜୱାନଙ୍କ ଦ୍ୱିତୀୟ ଥର ଗିରଫଦାରୀ ଗୋଟେପଟେ ଯେଉଁଠି ସୁରକ୍ଷା ଏଜେନ୍ସି ଗୁଡ଼ିକୁ ସତର୍କ କରି ଦେଇ ଥିବା ବେଳେ , ଅନ୍ୟପଟେ କୁଶୀନଗରର ପରିଚୟକୁ ମଳିନ କରି ଦେଇଛି। ଏ ସେହି ରିଜୱାନ, ଯାହାଙ୍କୁ ପ୍ରଥମ ଥର ଜାନୁଆରୀ, ୨୦୧୬ରେ ଏଟିଏସ୍ ଆତଙ୍କୀ କାର୍ଯ୍ୟକଳାପରେ ସଂପୃକ୍ତି ଥିବା ଅଭିଯୋଗରେ ଗିରଫ କରାଯାଇ ଥିଲା। ସେହି ସମୟର ଯାଞ୍ଚରେ ସାମ୍ନାକୁ ଆସିଥିଲା ଯେ, ରିଜୱାନ ଇଣ୍ଟରନେଟ୍ ଓ ସୋସିଆଲ ମିଡ଼ିଆ ମାଧ୍ୟମରେ କଟ୍ଟରପନ୍ଥୀ ସାମଗ୍ରୀରେ ପ୍ରଭାବିତ ହୋଇଥିଲେ। ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ସେ ଏମିତି ଗ୍ରୁପ୍ର ସଂପର୍କରେ ଆସିଥିଲେ , ଯେଉଁଠି ଉତ୍ତେଜିତ ବିଚାରଧାରାକୁ ପ୍ରାଧ୍ୟାନ ଦିଆଯାଉ ଥିଲା। ଏହି ମାମଲା ସେହି ସମୟରେ ଯୁବବର୍ଗଙ୍କର ଅନଲାଇନ୍ କଟ୍ଟରପନ୍ଥର ଏକ ପ୍ରମୁଖ ଉଦାହରଣ ସାଜି ସାମ୍ନାକୁ ଆସିଥିଲା।

ଘଟଣା ଥିଲା ଏମିତି ...

୨୦୧୪ ମସିହା । କୁଶୀନଗରର ଏକ ଇଣ୍ଟର କଲେଜରେ ରିଜୱାନଙ୍କ ଏକାଦଶ ଶ୍ରେଣୀରେ ଆଡମିଶନ ହୋଇଥିଲା। ପାଠପଢା ବେଳେ ତାଙ୍କର ସାକ୍ଷାତ୍ ସେହି ଲୋକଙ୍କ ସହ ହୋଇଥିଲା, ଯେଉଁମାନେ ଦେଶବିରୋଧୀ କାର୍ଯ୍ୟରେ ଲିପ୍ତ ଥିଲେ। ପରେ ରିଜୱାନ ସୋସିଆଲ ମିଡ଼ିଆ ମାଧ୍ୟରେ ଆତଙ୍କୀ କାର୍ଯ୍ୟକଳାପରେ ସଂପୃକ୍ତ ହୋଇଗଲେ। ଏହାପରେ ୨୦୧୬ ମସିହାରେ ରିଜୱାନଙ୍କ ଗିରଫ ପରେ ତତ୍କାଳୀନ ପୁଲିସ କ୍ୟାପଟେନ ଅତୁଲ ଶର୍ମାଙ୍କ ନେତୃତ୍ୱରେ ମାମଲାର ଯାଞ୍ଚ କରୁଥିବା ସ୍ୱତନ୍ତ୍ର ଟିମ୍‌କୁ ରିଜୱାନଙ୍କ ସହ ଜଡ଼ିତ କିଛି ପ୍ରମୁଖ ସୁରାକ୍ ମଧ୍ୟ ହାତରେ ଲାଗି ଥିଲା। ରିଜୱାନଙ୍କ ବଗଦାଦୀ ସହ ସିଧାସଳଖ ଅନେକ ପ୍ରମୁଖ ଲିଙ୍କ୍ ଥିବା ସଙ୍କେତ ମଧ୍ୟ ମିଳି ଥିଲା।

ଗିରଫ ପରେ ୨୦୧୭ ମସିହାରୁ ୨୦୨୩ ଯାଏ ସେ ମୁମ୍ୱାଇର ଜେଲରେ ବନ୍ଦୀ ଥିଲେ। ଏହି ସମୟରେ ତାଙ୍କର କାର୍ଯ୍ୟକଳାପ ଓ ବ୍ୟବହାର ଉପରେ ସୁରକ୍ଷା ଏଜେନ୍ସି ଗୁଡ଼ିକର ନଜର ରହି ଥିଲା। ଆଶା କରାଯାଉ ଥିବା ଯେ, ଦୀର୍ଘ ଦିନ ଧରି ସେ ଜେଲରେ ରହିବା ପରେ ସମାଜର ମୁଖ୍ୟ ଧାରାକୁ ଫେରିବେ ଏବଂ ସାଧାରଣ ଜୀବନଯାପନ କରିବେ। ମୁମ୍ୱାଇର ଜେଲରୁ ବାହାରିବା ପରେ ପ୍ରାରମ୍ଭିକ ଭାବେ ସବୁକିଛି ସାଧାରଣ ନଜର ଆସିଲା, କିନ୍ତୁ ଗତ ଶନିବାର ବିଳମ୍ୱିତ ରାତିରେ ତାଙ୍କର ଗିରଫଦାରୀ ଏହି ସଙ୍କେତ ଦେଲା ଯେ, ସେ ଜେଲରୁ ବାହାରିବା ପରେ ପୁରୁଣା ରାସ୍ତାକୁ ଫେରି ଆସି ଥିଲେ। ତାଙ୍କର ଦ୍ୱିତୀୟ ଥର ଗିରଫଦାରୀ ସୁରକ୍ଷା ଏଜେନ୍ସି ଗୁଡ଼ିକ ସହ ସ୍ଥାନୀୟ ଲୋକଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରି ଦେଇ ଥିଲା। ଏବେ ଏଜେନ୍ସି ଗୁଡ଼ିକ ଏହା ଜାଣିବାରେ ଲାଗିଛନ୍ତି ଯେ, ଜେଲରୁ ବାହାରିବା ପରେ ସେ କେଉଁ କେଉଁ ଲୋକଙ୍କ ସଂପର୍କରେ ଥିଲେ ଏବଂ କେମିତି ପୁନର୍ବାର ସନ୍ଦିଗ୍ଧ କାର୍ଯ୍ୟକଳାପ ଗୁଡ଼ିକରେ ସଂପୃକ୍ତି ହୋଇ ଥିଲେ।

ରିଜୱାନଙ୍କ ଦ୍ୱିତୀୟ ଥର ଗିରଫଦାରୀ ପରେ ପୁଣିଥରେ ତାଙ୍କର ପୁରୁଣା ନେଟୱର୍କ ଓ ଦେଶର ବିଭିନ୍ନ ସହର ଗୁଡ଼ିକ ସହ ଜଡ଼ିତ କନେକ୍ସନ ଯାଞ୍ଚ ଘେରକୁ ଆସି ଯାଇଛି। ୨୦୧୬ ମସିହାରେ ପ୍ରଥମ ଥର ଗିରଫ ବେଳେ ସାମ୍ନାକୁ ଆସିଥିବା ତଥ୍ୟ ସୁରକ୍ଷା ଏଜେନ୍ସିକୁ ଆଶ୍ଚର୍ଯ୍ୟ କରି ଥିଲା। ସେହି ସମୟରେ ଯାଞ୍ଚରେ ଗୋଆ , ହାଇଦ୍ରାବାଦ ଓ ଚେନ୍ନାଇ ସହ ଜଡ଼ିତ ଲିଙ୍କ୍ କଥା ସାମ୍ନାକୁ ଆସିଥିଲା।

ଆହୁରି ମଧ୍ୟ ପଢନ୍ତୁ : ପିତାଙ୍କୁ ପୁଅର ସ୍ୱତନ୍ତ୍ର ସମ୍ମାନ , କାର୍ଯ୍ୟର ଶେଷ ଦିନର ଭିଡ଼ିଓ କରିଦେବ ଭାବପ୍ରବଣ