ନୂଆଦିଲ୍ଲୀ,୧୯/୧୧; ଦକ୍ଷିଣ ଲେବାନନ୍ରେ ଇସ୍ରାଏଲ୍ ବଡ଼ ଏୟାରଷ୍ଟ୍ରାଇକ୍ କରିଛି । ପୁଣି ଖପେ ପାଲେଷ୍ଟାନୀୟଙ୍କ ଉପରେ ଆକ୍ରମଣ କରିଛି । ସିଦୋନରେ ପାଲେଷ୍ଟାଇନ୍ ଶରଣାର୍ଥୀଙ୍କ କ୍ୟାମ୍ପ ଉପରକୁ ଡ୍ରୋନ୍ ହମ୍‌ଲା ହୋଇଛି । ଯୁଦ୍ଧବିରାମ ପରେ ଲେବାନନ୍ ଉପରେ ଏହା ସବୁଠୁ ଘାତକ ଆକ୍ରମଣ । ଏଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣକୁ ନେଇ ଇସ୍ରାଏଲ କହିଛି ଶରଣାର୍ଥୀ କ୍ୟାମ୍ପ ନୁହେଁ ଏହା ଆତଙ୍କବାଦୀଙ୍କ କ୍ୟାମ୍ପ । ଅଭିଯୋଗକୁ ଖଣ୍ଡନ କରିବା ସହ ଏହାକୁ ଜଘନ୍ୟ ଅପରାଧ ବୋଲି କହିଛି ହମାସ୍ ।

ସ୍ଥାନୀୟ ଗଣମାଧ୍ୟମ ଏବଂ ସରକାରୀ ଅଧିକାରୀଙ୍କ ଅନୁଯାୟୀ, ଇସ୍ରାଏଲ ମଙ୍ଗଳବାର ଦକ୍ଷିଣ ଲେବାନନରେ ଏକ ପାଲେଷ୍ଟାଇନୀ ଶରଣାର୍ଥୀ ଶିବିର ଉପରେ ଜୋରଦାର ଏୟାରଷ୍ଟ୍ରାଇକ୍ କରିଛ । ଏପର୍ଯ୍ୟନ୍ତ ଆକ୍ରମଣରେ ୧୩ଜଣଙ୍କର ମୃତ୍ୟୁ ହୋଇଛି । ଏବଂ ଅନେକ ଆହତ ହୋଇଛନ୍ତି ।  ଇସ୍ରାଏଲ-ହିଜବୁଲ୍ଲା ଯୁଦ୍ଧରେ ଏକ ବର୍ଷ ପୂର୍ବରୁ ଯୁଦ୍ଧବିରତି ହୋଇଛି । ଯୁଦ୍ଧବିରାମ ପରେ ଏହା ଲେବାନନ ଉପରେ ସବୁଠାରୁ ମାରାତ୍ମକ ଆକ୍ରମଣ ବୋଲି କୁହାଯାଉଛି । ଏହି ଆକ୍ରମଣ ସେହି ଶିବିର ଉପରେ ହୋଇଥିଲା ଯେଉଁଠାରେ ହମାସ୍ ତାଲିମ ନେଉଥିଲା । ଇସ୍ରାଏଲୀ ସେନା କହିଛି ଯେ, ଇସ୍ରାଏଲ ଏବଂ ଏହାର ସେନା ଉପରେ ଆକ୍ରମଣ କରିବା ପାଇଁ ଶିବିରରେ ପ୍ରସ୍ତୁତି ଚାଲିଛି । ଇସ୍ରାଏଲୀ ସେନା ହମାସ ବିରୁଦ୍ଧରେ ଏହି କାର୍ଯ୍ୟାନୁଷ୍ଠାନ ଜାରି ରଖିବ, ହମାସ ଯେଉଁଠାରେ ସକ୍ରିୟ ଥାଉ ନା କାହିଁକି ।

ହମାସ୍‌ ଆକ୍ରମଣ ପରେ ଇସ୍ରାଏଲ ପ୍ରତିଶୋଧ- ୭ ଅକ୍ଟୋବର, ୨୦୨୩ରେ ହମାସ୍‌ ଦକ୍ଷିଣ ଇସ୍ରାଏଲ ଉପରେ ଆକ୍ରମଣର ନେତୃତ୍ୱ ନେଇଥିଲା । ଯେଉଁଥିରେ ପ୍ରାୟ ୧୨୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା । ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଏହି ଆକ୍ରମଣ ପରେ ଇସ୍ରାଏଲ ଗାଜା ଷ୍ଟ୍ରିପ୍ ଉପରେ ଆକ୍ରମଣ କରିଥିଲା, ଯେଉଁଥିରେ ହଜାର ହଜାର ପାଲେଷ୍ଟାଇନୀଙ୍କ ମୃତ୍ୟୁ ହୋଇଥିଲା । ଇସ୍ରାଏଲ-ହମାସ ଯୁଦ୍ଧ ଆରମ୍ଭ ହେବାର ଗୋଟିଏ ଦିନ ପରେ, ହିଜବୁଲ୍ଲା ସୀମାରେ ଇସ୍ରାଏଲୀର ବିଭିନ୍ନ ସ୍ଥାନ ଉପରେ ରକେଟ୍‌ ମାଡ଼ କରିବା ଆରମ୍ଭ କରିଥିଲା । ଇସ୍ରାଏଲ ଲେବାନନରେ ଗୁଳିବର୍ଷା ଏବଂ ଏୟାରଷ୍ଟ୍ରାଇକ କରି ଜବାବ ଦେଇଥିଲା, ଯାହା ଫଳରେ ଉଭୟ ପକ୍ଷ ମଧ୍ୟରେ ଏକ ବଡ଼ ସଂଘର୍ଷ ହୋଇଥିଲା । ଯାହା ୨୦୨୪ ସେପ୍ଟେମ୍ବର ଶେଷ ଭାଗରେ ଏକ ପୂର୍ଣ୍ଣ-ସ୍ତରର ଯୁଦ୍ଧରେ ପରିଣତ ହୋଇଥିଲା ।

​​​​​​​ଲେବାନନରେ ଶହ ଶହ ସାଧାରଣ ନାଗରିକଙ୍କ ମୃତ୍ୟୁ- ଗତ ଚାରି ଦଶନ୍ଧି ଧରି ହିଜବୁଲ୍ଲା ସହିତ ଜଡିତ ଅନେକ ସଂଘର୍ଷରେ ଲେବାନନରେ ଶହ ଶହ ସାଧାରଣ ନାଗରିକଙ୍କ ସମେତ ୪,୦୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ପ୍ରାୟ ୧୧ ବିଲିୟନ ଆମେରିକୀୟ ଡଲାର କ୍ଷତି ହୋଇଛି । ଇସ୍ରାଏଲରେ ୧୨୭ ଜଣଙ୍କର ମୃତ୍ୟୁ ହୋଇଛି, ଯେଉଁଥିରେ ୮୦ ଜଣ ସୈନିକ ମଧ୍ୟ ଅଛନ୍ତି । ଇସ୍ରାଏଲ ଲେବାନନରେ ଅନେକ ଏୟାରଷ୍ଟ୍ରାଇକ କରିଛି । ଲେବାନନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଅନୁଯାୟୀ, ଯୁଦ୍ଧବିରତି ପରଠାରୁ ଇସ୍ରାଏଲୀ ସାମରିକ କାର୍ଯ୍ୟାନୁଷ୍ଠାନରେ ୨୭୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ପ୍ରାୟ ୮୫୦ ଜଣ ଆହତ ହୋଇଛନ୍ତି ।