ନୂଆଦିଲ୍ଲୀ,୧୫।୧୨: ଇସ୍ରାଏଲ ପୁଣିଥରେ ନିରୀହ ପାଲେଷ୍ଟାନୀୟ ଲୋକଙ୍କ ଉପରେ କରିଛି ଘାତକ ଆକ୍ରମଣ। ଇସ୍ରାଏଲୀ ସେନା ଗାଜା ସିଟିର ଏକ ସ୍କୁଲ ଉପରେ କରିଛି ଏୟାର ଷ୍ଟ୍ରାଇକ୍। ଫଳରେ ଅତି କମ୍ରେ ଜଣେ ମହିଳା ଓ ତାଙ୍କ ଶିଶୁଙ୍କ ସହ ୧୭ ଜଣଙ୍କର ମୃତ୍ୟୁ ହୋଇଛି। ଅଲ୍-ଅହିଲି ବାପଟିଷ୍ଟ ହସ୍ପିଟାଲର କହିବା ଅନୁସାରେ, ମାଜଦା ଭାସିଲା ସ୍କୁଲ ଉପରେ ହୋଇଥିବା ଆକ୍ରମଣରେ ଅନ୍ୟ ୧୨ ଜଣ ଆହତ ହୋଇଛନ୍ତି। ଇସ୍ରାଏଲର କହିବା ଅନୁସାରେ, ଶରଣାର୍ଥୀଙ୍କ ମଧ୍ୟରେ ହମାସ ଆତଙ୍କୀ ଲୁଚି ରହିଥିଲେ।
ସେପେଟ ପାଲେଷ୍ଟାଇନ୍ ପ୍ରଶାସନ କହିଛି, ସ୍କୁଲରେ ଶରଣ ନେଇଥିବା ଲୋକ କେହି ହମାସର ନୁହନ୍ତି।ଯାହାଙ୍କ ଉପରେ ଏୟାରଷ୍ଟ୍ରାଇକ୍ ହୋଇଛି ସେମାନେ ସବୁ ସାଧାରଣ ଲୋକେ ଥିଲେ । ଜଣେ ବିସ୍ଥାପିତ ମହିଳା କହିଛନ୍ତି, ଆମର ଆଖି ଆଗରେ ଏହି ଆକ୍ରମଣ ହୋଇଛି। ଆକ୍ରମଣରେ ବହୁ ଲୋକ ଜଳିଗଲେ। ଆଉ କିଛି ଲୋକଙ୍କ ମୃତଦେହ କ୍ଷତବିକ୍ଷକ ଅବସ୍ଥାରେ ପଡିଛି। କିଛି ଲୋକ ଧ୍ବଂସାବଶେଷ ତଳେ ଚାପି ହୋଇ ରହିଛନ୍ତି।
ଇସ୍ରାଏଲ ପକ୍ଷରୁ ସ୍କୁଲ ଉପରେ ଆକ୍ରମଣ ସହ ମଧ୍ୟ ଗାଜାପଟିରେ ନଗରପାଳିକାରେ ଚାଲିଥିବା ବୈଠକରେ ମଧ୍ୟ ଆକ୍ରମଣ କରିଛି। କେନ୍ଦ୍ରୀୟ ସହର ଦୀର ଅଲ୍-ବଲାହର ନଗର ପାଳିକା ପରିସରରେ ଚାଲିଥିବା ବୈଠକ ରେ ଏହି ଆକ୍ରମଣରେ ଅତିକମ୍ରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ସେଭଳି ଅନେକ ଆହତ ହୋଇଛନ୍ତି।