ନୂଆଦିଲ୍ଲୀ,୭।୭:  ମଧ୍ୟ ପ୍ରାଚ୍ୟରେ ଥମୁନି ଯୁଦ୍ଧ। ଗୋଟିଏ ସରିଲେ, ଆରମ୍ଭ ହେଉଛି ଆଉ ଏକ ଲଢେଇ। ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ଯଦିଓ ଥମିଛି, କିନ୍ତୁ ଇସ୍ରାଏଲ ସେନାର ଲଢେଇ ଥମିନି। ଇରାନର ମିତ୍ର ରାଷ୍ଟ୍ର ଉପରେ ଇସ୍ରାଏଲର ଆକ୍ରମଣ। ସୋମବାର ଭୋରରୁ ୟେମେନରେ ଥିବା ହୁତି ବିଦ୍ରୋହୀଙ୍କ ଆଡ୍ଡା  ଉପରକୁ ଆଇଡିଏଫ୍ କରିଛି ଏୟାର ଷ୍ଟ୍ରାଇକ୍।  ହୁତି ବିଦ୍ରୋହୀଙ୍କ କବଜାରେ ଥିବା ବନ୍ଦର ଓ ଆଡ୍ଡା ଉପରେ ହୋଇଛି ଆକ୍ରମଣ। ହୁତି ବିଦ୍ରୋହୀ ମଧ୍ୟ ପାଲଟା ଆକ୍ରମଣରେ ଇସ୍ରାଏଲ ଉପରେ କରିଛି ମିସାଇଲ ମାଡ଼।  

ହୁତି ବିଦ୍ରୋହୀଙ୍କ କବଜାରେ ଥିବା ପ୍ରମୁଖ ବନ୍ଦର ହୁଦେଦାହ, ରସ ଇସା ଏବଂ  ସାଲିଫ୍ ଉପରେ  ଇସ୍ରାଏଲ କରିଛି ଏୟାରଷ୍ଟ୍ରାଇକ୍। ଏହା ମଧ୍ୟରେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ କାଟଜ ଶତ୍ରୁଙ୍କୁ ଦେଇଛନ୍ତି ଚରମ ଚେତାବନୀ। ସେ କହିଛନ୍ତି ୟେମେନର ସ୍ଥିତି ତେହରାନ ଭଳି ହେବ। ଏବେ ଯିଏବି ଇସ୍ରାଏଲର କ୍ଷତି କରିବାକୁ ଚେଷ୍ଟା କରିବ ତାକୁ କଡା ଜବାବ୍ ଦିଆଯିବ। ଯିଏ ଆମ ଉପରକୁ ହାତ ଉଠାଇବ, ତା’ର ହାତ କାଟି ଦିଆଯିବ। ହୁତିଙ୍କୁ ନିଜର ନିନ୍ଦନୀୟ କାର୍ଯ୍ୟର ପରିଣାମ ଭୋଗିବାକୁ ପଡିବ। ଇସ୍ରାଏଲ ସେନା କହିଛି ସେ ‘ଗାଲାକ୍ସି ଲିଡର’ ଜାହାଜ ଉପରେ ଆକ୍ରମଣ କରିଛି। ଏହା ଉପରେ ହୁତିମାନେ ୨୦୨୩ ରେ କବଜା କରିଥିଲେ। ଯେତେବେଳେ ଇସ୍ରାଏଲ-ହମାସ ସଂଘର୍ଷ ବିରୋଧରେ ଲୋହିତ ସାଗରରେ ଆକ୍ରମଣ ଆରମ୍ଭ କରିଥିଲା। ‘ଗାଲାକ୍ସି ଲିଡର’ ହେଉଛି ଇସ୍ରାଏଲର ଜଣେ ଅରବପତି ବ୍ୟବସାୟିଙ୍କ କମର୍ସିଆଲ ଜାହାଜ।

ସେପଟେ ହୁତି ବିଦ୍ରୋହୀ ମଧ୍ୟ ଇସ୍ରାଏଲ ଆକ୍ରମଣ ନେଇ ସ୍ପଷ୍ଟ କରିଛନ୍ତି।  ତେବେ କେତେ କ’ଣ କ୍ଷୟକ୍ଷତି ହୋଇଛି ସେ ନେଇ ସୂଚନା ଦେଇ ନାହିଁ। ହୁତିମାନେ ମଧ୍ୟ ପାଲଟା ଜବାବରେ ଇସ୍ରାଏଲ ଉପରକୁ ମିସାଇଜ୍ ମାଡ଼ କରିଛନ୍ତି। ଇସ୍ରାଏଲ ସେନା କହିଛି ସେ ମିସାଇଲକୁ ରୋକିବାର ଚେଷ୍ଟା କରିଥିଲା, କିନ୍ତୁ ତାହା ଟାର୍ଗେଟରେ ପହଁଞ୍ଚିଥିଲା। ତେବେ ଏହି ଆକ୍ରମଣର କାହାର କିଛି କ୍ଷତି ହୋଇନି। ଯଦି ସାମର୍ଥ୍ୟ ଦୃଷ୍ଟିରୁ ଦେଖାଯାଏ ତେବେ ହୁତି ବିଦ୍ରୋହୀଙ୍କ ତୁଳନାରେ ଇସ୍ରାଏଲର ସ୍ଥିତି ଖୁବ୍ ସୁଦୃଢ। ହୁତି ବିଦ୍ରୋହୀଙ୍କ ପାଖରେ ଦୂରଗାମୀ ମିଶାଇଲ ଓ ଡ୍ରୋନ୍ ରହିଛି ତେବେ, ତାହାର ସଂଖ୍ୟା କମ୍। ଯାହାକି ଇସ୍ରାଏଲ ଉପରେ ଛୋଟମୋଟ ଆକ୍ରମଣ କରିପାରେ। ଯଦିଓ କିଛି ମିସାଇଲ ରହିଛି ତେବେ ତାହାର ସଂଖ୍ୟା ସୀମିତ ଓ ପୁରୁଣା ଟେକ୍ନୋଲୋଜିର। ଇସ୍ରାଏଲ ବିରୋଧରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଲଢେଇ କରିବାରେ ହୁତି ବିଦ୍ରୋହୀ ସେତେ ସକ୍ଷମ ହେବେନି। ହୁତି ବିଦ୍ରୋହୀ ହେଉଛନ୍ତି ୟେମେନରେ ଇରାନ ସମର୍ଥିତ ସଶସ୍ତ୍ର ଗୋଷ୍ଠୀ। ଯିଏକି ଉତ୍ତର ଓ ପଶ୍ଚିମ ୟେମେନ୍‌ର ଏକ ବଡ଼ ଅଂଶ ଉପରେ ନିଜର ନିୟନ୍ତ୍ରଣ ରଖିଛି। ୨୦୨୩ ଇସ୍ରାଏଲ-ହମାସ ଯୁଦ୍ଧ ଆରମ୍ଭ ହେବାପରେ ହୁତି ବିଦ୍ରୋହୀ ଇସ୍ରାଏଲ ଉପରେ ମିସାଇଲ ଓ ଡ୍ରୋନ୍ ମାଡ଼ କରିଥିଲେ। ହେଲେ ଏବେ ପ୍ରଶ୍ନ ଉଠୁଛି ଯେ, କ’ଣ ତାଙ୍କ ପାଖରେ ଇସ୍ରାଏଲ ଭଳି ଶକ୍ତିଶାଳୀ ଦେଶର ସାମନାକୁ କରିବାକୁ ପର୍ଯ୍ୟାପ୍ତ ଅସ୍ତ୍ର ଅଛି ? କାରଣ ହୁତି ବିଦ୍ରୋହୀର ପ୍ରମୁଖ ଅସ୍ତ୍ର ଭଣ୍ଡାର ମୁଖ୍ୟ ଭାବରେ ଇରାନରୁ ମିଳୁଥିବା ସମର୍ଥନ ଉପରେ ନିର୍ଭର କରେ। ଆଉ କିଛି ଅସ୍ତ୍ର ଉତ୍ତର କୋରିଆ ଓ ରୁଷ ଭଳି ଦେଶରୁ ମଧ୍ୟ ନେଇଥାଏ।