ନୂଆଦିଲ୍ଲୀ : ଇସ୍ରାଏଲ ଓ ଲେବାନନର ସଙ୍ଗଠନ ହିଜବୁଲ୍ଲା ମଧ୍ୟରେ ଗତ୧୪ ମାସ ଧରି ଚାଲି ଥିବା ସଂଘର୍ଷରେ ଲାଗିପାରେ ବିରାମ। ଏହାକୁ ଏବେ ଜୋରଦାର ଆଶା ବଢିଛି। ଏମିତି କୁହାଯାଉଛି କି, ଇସ୍ରାଏଲର ସୁରକ୍ଷା କ୍ୟାବିନେଟ୍ , ଆମେରିକା ଦ୍ୱାରା ପ୍ରସ୍ତାବିତ ଯୁଦ୍ଧ ବିରାମ ଯୋଜନାକୁ ନେଇ ଆଲୋଚନା କରିଛି। ଯେଉଁଥିରେ ଇରାନର ପ୍ରକ୍ସି ସଙ୍ଗଠନ ହିଜବୁଲ୍ଲା ସହ ସଂଘର୍ଷକୁ ବନ୍ଦ କରିବାକୁ ରୂପରେଖ ସ୍ଥିର କରିଛି। ଉକ୍ତ ବୈଠକର ଅଧ୍ୟକ୍ଷତା ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ କରିଛନ୍ତି। ଏହାକୁ ମଞ୍ଜୁରି ମିଳିବାର ସମ୍ଭାବନା ରହିଛି। କୁହାଯାଉଛି ଯେ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଓ ଫ୍ରାନ୍ସିର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ନେତୃତ୍ୱରେ ଏହି ଯୁଦ୍ଧ ବିରାମ ପାଇଁ କୂଟନୀତିକ ପ୍ରୟାସକୁ ଦ୍ରୁତତର କରାଯାଇଛି।

ରଏଟର୍ସର ରିପୋର୍ଟ ମୁତାବିକ , ଯୋଜନା ଅନୁସାରେ ଇସ୍ରାଏଲୀୟ ସୈନିକଙ୍କୁ ଦକ୍ଷିଣୀ ଲେବାନନରୁ ହଟିବାକୁ ହେବ ଏବଂ ସେଠାରେ ଲେବାନନ ସେନାକୁ ମୁତୟନ କରାଯିବ। ଏହାସହ ହିଁ ହିଜବୁଲ୍ଲାକୁ ଲିତାନୀ ନଦୀର ଦକ୍ଷିଣରେ ନିଜର ସଶସ୍ତ୍ର ଉପସ୍ଥିତିକୁ ଶେଷ କରିବାକୁ ହେବ। ଏହା ଉପରେ ଇସ୍ରାଏଲ କଡ଼ା ସର୍ତ୍ତ ରଖି କହିଛି କି, ଯୁଦ୍ଧ ବିରାମ ଲାଗୁ ହେବା ପରେ ମଧ୍ୟ ସେ କୌଣସି ବି ଉଲ୍ଲଙ୍ଘନ ଉପରେ ଜିରୋ ଟଲରେନ୍ସର ନୀତି ଆପଣାଇବା। ଲେବାନନର ଉପ ସଂସଦ ଅଧ୍ୟକ୍ଷ ଏଲିଆସ ବୁ ସାବ୍ କହିଛନ୍ତି , ଶେଷ ମୁହୂର୍ତ୍ତରେ ନେତନ୍ୟାହୁ ତାଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ନକଲେ ବି ଏହି ଯୋଜନା କାର୍ଯ୍ୟକାରୀ କରିବାରେ କୌଣସି ଗୁରୁତର ପ୍ରତିବନ୍ଧକ ହେବ ନାହିଁ।
ହେଲେ, ଏହି କୂଟନୀତିକ ପ୍ରଗତି ମଧ୍ୟରେ ମଧ୍ୟ ଉଭୟ ପକ୍ଷ ସେନା କାର୍ଯ୍ୟକଳାପ ଜାରି ରଖିଛନ୍ତି। ଇସ୍ରାଏଲୀୟ ଏୟାର ଷ୍ଟ୍ରାଇକ୍ ବେରୁତର ହିଜବୁଲ୍ଲାହ-ନିୟନ୍ତ୍ରତ ଅଞ୍ଚଳକୁ ଟାର୍ଗେଟ୍ କରିଛି , ହିଜବୁଲ୍ଲାହ ମଧ୍ୟ ଇସ୍ରାଏଲ ଉପରେ ପ୍ରବଳ ରକେଟ୍ ହମଲା କରିଛି। ଏହିଯୁଦ୍ଧ ଲେବାନନରେ ୩,୭୫୦ରୁ ଅଧିକ ଲୋକଙ୍କ ଜୀବନ ନେଇଛି ଏବଂ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ବାସହରା କରାଇ ଦେଇଛି। ସେପଟେ ଇସ୍ରାଏଲରେ ୪୫ ନାଗିରକ ଓ ୭୩ ସୈନିକଙ୍କ ମୃତ୍ୟୁ ହୋଇଛି।
ସେପଟେ ଆମେରିକାର ମଧ୍ୟ-ପୂର୍ବ ଦୂତ ବ୍ରେଟ୍ ମାକଗର୍କ, ମଙ୍ଗଳବାର ସାଉଦୀ ଆରବରେ ଏହି ଯୁଦ୍ଧ ବିରାମର ବ୍ୟବହାର ଗାଜା ସଂଘର୍ଷକୁ ସମାପ୍ତ କରିବାର ଯୋଜନା ଉପରେ ଆଲୋଚନା କରିବେ। ଆଗାମୀ ବର୍ଷ ଜାନୁଆରୀରେ ଆମେରିକାର କ୍ଷମତା ଛାଡ଼ିବାକୁ ଯାଉଥିବା ଜୋ ବାଇଡେନ ଏହି ସଂଘର୍ଷକୁ ବନ୍ଦ କରିବା ପାଇଁ କୂଟନୀତିକୁ ନିଜର ଅନ୍ତିମ ବଡ଼ ପ୍ରୟାସ ଭାବୁଛନ୍ତି।