ତେଲ ଆଭିଭ୍‌,୦୫/୧୦: ଲେବାନନ୍‌ରେ  ଇସ୍ରାଏଲ ସ୍ଥଳସେନା ଅପରେସନ ଜୋରଦାର  କରିଛି । ସ୍ଥଳସେନାକୁ ବାୟୁସେନା ଏୟାର ଷ୍ଟ୍ରାଇକ୍‌  କରି ପୂର୍ଣ୍ଣ ସମର୍ଥନ ଦେଇଛି । ଚଳିତ ସପ୍ତାହରେ  ଆରମ୍ଭ ହୋଇଥିବା ଏହି ଅପରେସନରେ ଇସ୍ରାଏଲ  ସ୍ଥଳସେନା ୨୫୦ରୁ ଊଦ୍ଧ୍ୱର୍ ହିଜ୍‌ବୁଲ୍ଲା ଲଢ଼ୁଆଙ୍କୁ ନିପାତ  କଲାଣି । ସେମାନଙ୍କ ମଧ୍ୟରେ ହିଜ୍‌ବୁଲ୍ଲାର ବହୁ  କମାଣ୍ଡର ଅଛନ୍ତି । ହିଜ୍‌ବୁଲ୍ଲାର ଗୁଇନ୍ଦା ମୁଖ୍ୟାଳୟକୁ  ମଧ୍ୟ ଇସ୍ରାଏଲ ଟାର୍ଗେଟ କରିଛି । 

ଇସ୍ରାଏଲ ସେନା  ଗୁରୁବାର ରାତିରେ ଏୟାରଷ୍ଟ୍ରାଇକ୍‌ କରି ଲେବାନନ୍‌ରୁ  ସିରିଆ ଲମ୍ବିଥିବା ଏକ ୩.୫ କିମି ବିଶିଷ୍ଟ ସୁଡ଼ଙ୍ଗକୁ  ଧ୍ୱଂସ କରିଛନ୍ତି। ଏହି ସୁଡ଼ଙ୍ଗ ଜରିଆରେ ଇରାନର  ଅସ୍ତ୍ରଶସ୍ତ୍ର ଲେବାନନରେ ହିଜବୁଲ୍ଲା ଆତଙ୍କୀଙ୍କ  ପାଖରେ ପହଞ୍ଚୁଥିଲା । ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ରେ ହିଜ୍‌ବୁଲ୍ଲାର  ବହୁ ଅଟ୍ଟାଳିକା ଏବଂ ଅସ୍ତ୍ର ଡିପୋ ଧ୍ୱଂସ  ହୋଇଛି । ଆକ୍ରମଣରେ ହିଜ୍‌ବୁଲ୍ଲା ମୁଖ୍ୟ ହାସନ  ନସରଲ୍ଲାହର ଭାଇ ହାଶିମ ସୈଫିଦ୍ଦିନ୍‌ର ମୃତ୍ୟୁ  ଘଟଛି । ମାଟି ତଳେ ବନିଥିବା ଏକ ବଙ୍କରକୁ  ଟାର୍ଗେଟ କରି ଇସ୍ରାଏଲ ୧୧ ମିସାଇଲ ଛାଡ଼ିଥିଲା ।  ସେହି ସମୟରେ ସେଠାରେ ହିଜ୍‌ବୁଲ୍ଲାର ଶୀର୍ଷ  ନେତାମାନେ ବୈଠକ କରୁଥିଲେ । ସେଠାରେ  ସୈଫିଦ୍ଦିନ ଉପସ୍ଥିତ ଥିଲା ବୋଲି କୁହାଯାଉଛି ।  ସେହିପରି ହିଜ୍‌ବୁଲ୍ଲାର ଯୋଗାଯୋଗ ନେଟୱାର୍କ  କମାଣ୍ଡର ମହମ୍ମର ରସିଦ୍‌ ସ୍କାଫି ମଧ୍ୟ ନିପାତ  ହୋଇଥିବା ଇସ୍ରାଏଲ ଦାବି କରିଛି । ସେ ୨୦୦୦  ମସିହାରୁ ସେଠାରେ ଏହି ଦାୟିତ୍ୱରେ ଥିଲା ।  

ଅନ୍ୟପକ୍ଷରେ ଇରାନ ବିଦେଶ ମନ୍ତ୍ରୀ ଅବାସ୍‌  ଆରାକ୍‌ଚି ଶୁକ୍ରବାର ଲେବାନନ ରାଜଧାନୀ  ବିରୁଟରେ ପହଞ୍ଚିଛନ୍ତି । ଏଠାରେ ଥିବା ଶିଆ  ମୁସ୍‌ଲିମ୍‌ ଏବଂ ହିଜ୍‌ବୁଲ୍ଲା ସହ ଇରାନ ସର୍ବଦା  ଛିଡ଼ା ହୋଇଛି ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ  ଇସ୍ରାଏଲ ଇରାନ ଉପରେ ଆକ୍ରମଣ କଲେ  ଏହାର କଡ଼ା ଜବାବ ଦିଆଯିବ ବୋଲି ଇରାନ  ସେନାର ଡେପୁଟି କମାଣ୍ଡର ଅଲି ଫଦାଭି କହିଛନ୍ତି ।  ଜବାବରେ ଇସ୍ରାଏଲର ଏନର୍ଜୀ ଏବଂ ଗ୍ୟାସ୍‌ ପ୍ରତିଷ୍ଠାନ  ଉପରେ ହମ୍‌ଲା କରାଯିବ ବୋଲି ସେ ଚେତାବନୀ  ଦେଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲ  ହିଜ୍‌ବୁଲ୍ଲା ଉପରେ ୨୩୦ ମିସାଇଲ ଛାଡ଼ିଛି ।  ଆକ୍ରମଣରେ ଲେବାନନ୍‌ରେ ୨୮ ସ୍ୱାସ୍ଥ୍ୟକର୍ମୀଙ୍କ  ମୃତ୍ୟୁ ଘଟିଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) କହିଛି । ଲେବାନନ୍‌ ସମେତ ଇସ୍ରାଏଲ ଗାଜା ଏବଂ  ୱେଷ୍ଟବ୍ୟାଙ୍କରେ ମଧ୍ୟ ଆକ୍ରମଣ ଜାରି ରଖିଛି ।  ୱେଷ୍ଟବ୍ୟାଙ୍କର ତୁଲକର୍ମ ସହରରେ ଏକ ଶରଣାର୍ଥୀ  ଶିବିର ଉପରେ ଇସ୍ରାଏଲ ଏୟାରଷ୍ଟ୍ରାଇକ କରିଛି ।  ଏଥିରେ ୧୮ ଜଣଙ୍କ ମୃତ୍ୟୁ ଘଟିଛି ।  

ଗାଜାରେ ଇସ୍ରାଏଲ ଆକ୍ରମଣରେ ଦିନକରେ ୯୯  ଜଣଙ୍କ ମୃତ୍ୟୁ ଘଟିଥିବା ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ  କୁହାଯାଇଛି । ୧୬୯ ଜଣ ଆହତ ହୋଇଛନ୍ତି । ଗତବର୍ଷ  ଅକ୍ଟୋବର ୭ ପରଠାରୁ ଇସ୍ରାଏଲ ଆକ୍ରମଣରେ  ଗାଜାରେ ୪୧,୭୮୮ ଜଣଙ୍କ ମୃତ୍ୟୁ ଘଟିଲାଣି ।  ଅନ୍ୟପକ୍ଷରେ ଶୁକ୍ରବାର ଇରାନ ସୁପ୍ରିମଲିଡରଙ୍କ  ଜନସମ୍ବୋଧନ ସରିବା କ୍ଷଣି ଲେବାନନ୍‌ ପଟୁ  ଇସ୍ରାଏଲକୁ ବହୁସଂଖ୍ୟାରେ ରକେଟ ମାଡ଼ କରାଯାଇଛି ।  ଇତିମଧ୍ୟରେ ଇରାନର ମିସାଇଲ ଆକ୍ରମଣ ଜବାବରେ  ଇସ୍ରାଏଲ ପ୍ରତିଆକ୍ରମଣ ପାଇଁ ପ୍ରସ୍ତୁତି କରୁଛି । କିନ୍ତୁ  ଇସ୍ରାଏଲ ଆକ୍ରମଣ କଲେ ଇରାନ ଦୃଢ଼ ଜବାବ  ଦେବ ବୋଲି କହିଛି । ଇସ୍ରାଏଲର ଶକ୍ତି ଭିତ୍ତିଭୂମି  ବିଶେଷକରି ତୈଳ ରିଫାଇନାରୀ ଏବଂ ଗ୍ୟାସ୍‌ ପ୍ରତିଷ୍ଠାନ  ଉପରେ ହମ୍‌ଲା କରାଯିବ ବୋଲି ଇରାନ ସେନାର  ଡେପୁଟି କମାଣ୍ଡର ଅଲି ଫଦାଭି କହିଛନ୍ତି । 

ସେପଟେ ଇରାନ ସୁପ୍ରିମଲିଡର ଆୟତୋଲା  ଅଲି ଖାମେନେଇ ଇସ୍ରାଏଲକୁ ଧମକ ଦେଇଛନ୍ତି ।  ସେ ଆଜି ତେହରାନରେ ଥିବା ଗ୍ରାଣ୍ଡ୍‌ ମସ୍‌ଜିଦରେ  ହିଜ୍‌ବୁଲ୍ଲା ମୁଖ୍ୟର ସ୍ମୃତିରେ ନମାଜ ପାଠ  କରିଥିଲେ । ଏହି ଅବସରରେ ସେ ଦୁନିଆରେ  ମୁସଲମାନଙ୍କ ଶତ୍ରୁଙ୍କ ବିରୋଧରେ ସଭିଏଁ  ଏକଜୁଟ ହେବାକୁ ଅପିଲ କରିଥିଲେ । ଖାମେନେଇ  କହିଥିଲେ, ଗତବର୍ଷ ହମାସ୍‌ ପକ୍ଷରୁ ଇସ୍ରାଏଲ  ଉପରେ ‘ଅଲ୍‌-ଆକ୍ସା ଫ୍ଲଡ୍‌’ ଆକ୍ରମଣ ଠିକ୍‌  ଥିଲା । ଇରାନ ନିଜର କର୍ତ୍ତବ୍ୟ ପାଳନ କରିବାକୁ  ବିଳମ୍ବ କରିବ ନାହିଁ କିମ୍ବା ତରତର ହେବ ନାହିଁ ।  

ମଧ୍ୟପ୍ରାଚ୍ୟରେ ଇସ୍ରାଏଲ ବିରୋଧରେ ସଂଘର୍ଷ  ଇରାନ ଜାରି ରଖିବ । ହିଜ୍‌ବୁଲ୍ଲା କିମ୍ବା ହମାସ୍‌କୁ  ଇସ୍ରାଏଲ ବେଶୀ କ୍ଷତି ପହଞ୍ଚାଇ ପାରିବ ନାହିଁ ।  ଏହି ଇହୁଦୀ ଦେଶ ଏବଂ ଆମେରିକା ସ୍ୱପ୍ନ  ଦେଖୁଛନ୍ତି । ଇସ୍ରାଏଲକୁ ମୂଳରୁ ଓପାଡ଼ି ଫିଙ୍ଗି  ଦିଆଯିବ । ଏହା ନକଲି ଏବଂ ଅସ୍ଥାୟୀ । ଖୁବ୍‌ଶୀଘ୍ର  ଇସ୍ରାଏଲର ଅନ୍ତ ଘଟିବ । ମୁସ୍‌ଲିମ ଦେଶମାନେ  ଏକାଠି ହୋଇ ଆଫଗାନିସ୍ତାନରୁ ୟେମେନ, ଇରାନରୁ  ଗାଜା ଏବଂ ଲେବାନନ ପର୍ଯ୍ୟନ୍ତ ପ୍ରତିରକ୍ଷାର କବଚ  ମଜଭୁତ କରିବାକୁ ପଡ଼ିବ । ଯିଏ ଇରାନର ଶତ୍ରୁ  ସିଏ ପାଲେଷ୍ଟାଇନ, ଲେବାନନ, ସିରିଆ, ଇଜିପ୍ଟ, ୟେମେନ ଏବଂ ଇରାକର ମଧ୍ୟ ଶତ୍ରୁ ବୋଲି  ଖାମେନେଇ କହିଥିଲେ।