ନୂଆଦିଲ୍ଲୀ: ହମାସ ଆତଙ୍କବାଦୀ ସଂଗଠନ ଯୁଦ୍ଧବିରାମ ଲାଗି ଅହେତୁକ ଆଗ୍ରହ ପ୍ରକାଶ କରୁଛି । ସେପଟେ ଗାଜାରେ ଇସ୍ରାଏଲ ସେନା (ଆଇଡିଏଫ୍‌) ଆହୁରି ଦୀର୍ଘ ବର୍ଷ ରହିବ ବୋଲି ଜଣେ ମନ୍ତ୍ରୀ କହିଛନ୍ତି । ଇସ୍ରାଏଲର ଖାଦ୍ୟ ସୁରକ୍ଷା ମନ୍ତ୍ରୀ ଅଭି ଡିଚର କହିଛନ୍ତି ଯେ, ଗାଜାରେ ନୂଆ ହମାସ ଆତଙ୍କବାଦୀଙ୍କ ସହ ମୁକାବିଲା କରିବାକୁ ଆଇଡିଏଫ୍‌ ସଜାଗ ରହିବ । ଏହା ସହ ଅନେକ ବର୍ଷ ଧରି ଗାଜାକୁ ମାନବୀୟ ସହାୟତା ଯୋଗାଇବାରେ ସାହାଯ୍ୟ କରିବ । ତେବେ ଗାଜାରେ ଇସ୍ରାଏଲର ଦୀର୍ଘ ଉପସ୍ଥିତି ଏବଂ ଭବିଷ୍ୟତରେ ସେଠାରେ ହମାସ କିମ୍ବା ପାଲେଷ୍ଟାଇନ ପ୍ରଶାସନର ପ୍ରତିଷ୍ଠା ଅସମ୍ଭବ ବୋଲି ଡିଚରଙ୍କ ଏହି ଦାବି ଦର୍ଶାଉଛି । 

ସେ କହିଛନ୍ତି, ‘ ମୋତେ ଲାଗୁଛି ଗାଜାରେ ଦୀର୍ଘ ବର୍ଷ ଧରି ରହିବାକୁ ଯାଉଛୁ ।’  ସେପଟେ ରିପୋର୍ଟ କହୁଛି, ପାଲେଷ୍ଟାଇନ୍‌ ଅଞ୍ଚଳରେ ବିଶେଷ କରି ଗାଜାରେ ମିଲିଟାରି ବେସ୍‌ ପ୍ରତିଷ୍ଠା କରିବା ଲାଗି ଜୋରଦାର ପ୍ରସ୍ତୁତି କରୁଛି ଆଇଡିଏଫ୍‌ । ଏବେ ଗାଜାରେ ଅଣ୍ଟାଠୁ ଅଧିକ ଉଚ୍ଚର କୌଣସି କାନ୍ଥ ବା ଘର ନାହିଁ, ସବୁ କିଛି ମାଟିରେ ମିଶିଯାଇଛି ବୋଲି ଡିଚର କହିଛନ୍ତି । 

ଏସୁବୁ ଭିତରେ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ, ଇଜିପ୍ଟ ସୀମାରେ ଆଉ କିଛି ଦିନ ରହିବାକୁ ଆଇଡିଏଫକୁ ଅନୁମତି ଦେବାକୁ ଚାହୁଁଛି ହମାସ । ଆମେରିକୀୟ ଅଧିକାରୀ କହୁଛନ୍ତି, ଏବେ ହମାସ ନିଜର ନେତା ୟାୟା ସିନଓ୍ବାରଙ୍କ ଆଦର୍ଶକୁ ପଛ କରି ଇସ୍ରାଏଲ ସହ ଯୁଦ୍ଧ ବିରାମ ଲାଗି ଆଲୋଚନା କରିବାକୁ ପ୍ରସ୍ତୁତ ରହିଛି । ସିନଓ୍ବାର ହିଁ ଇସ୍ରାଏଲ ସହ ବିବାଦ ଜାରି ରଖିବାକୁ ଚାହୁଁଥିଲା । ତା ମତରେ, ଯେତେ ଅଧିକ ସମୟ ଯୁଦ୍ଧ ଚାଲିବ, ସେତିକି ମୁକ୍ତିର ନିକଟତର ହୋଇପାରିବା।