ଗାଜା, ୧୮/୦୫: ହମାସ ଆତଙ୍କୀଙ୍କୁ ସଫା କରିବା ଏବଂ ନିଜ  ପଣବନ୍ଦୀଙ୍କୁ ମୁକ୍ତ କରିବା ଲକ୍ଷ୍ୟରେ  ଇସ୍ରାଏଲ୍‌ର ସେନା ଗାଜା ଉପରେ ପ୍ରଚଣ୍ଡ  ଆକ୍ରମଣ ଜାରି ରଖିଛି । ଏହି ଅପରେସନ  ଦ୍ୱାରା ଗତ ୩ ଦିନରେ ଇସ୍ରାଏଲ୍‌ ଅନେକ  ବଡ଼ ଆକ୍ରମଣ କରିଛି । ଯେଉଁଥିରେ ୨୫୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।  ଗତ ୨୪ ଘଣ୍ଟାରେ ଗାଜା ପଟ୍ଟିରେ ଥିବା  ହମାସର ୧୫୦ରୁ ଊଦ୍ଧ୍ୱର୍ ଆଡ୍ଡା ଉପରେ  ଜୋରଦାର ଆକ୍ରମଣ ହୋଇଛି । ହମାସର  ଅନ୍ତ ନ ଘଟିବା ପର୍ଯ୍ୟନ୍ତ ଏହି ଅପରେସନ  ଜାରି ରହିବା ନେଇ ଇସ୍ରାଏଲ ସେନା ପକ୍ଷରୁ  କୁହାଯାଇଛି । 

ଉଲ୍ଲେଖଯୋଗ୍ୟ, ଗାଜାକୁ  ନିଜ ନିୟନ୍ତ୍ରଣକୁ ନେବା ସକାଶେ ମେ ୫ରେ  ଇସ୍ରାଏଲ୍‌ ‘ଗିଦୋନ ଚାରିଅଟ୍‌ସ’ ସାମରିକ  ଅପରେସନ ଆରମ୍ଭ କରିଥିଲା । ଇସ୍ରାଏଲ  ଚଳିତବର୍ଷ ମାର୍ଚ୍ଚରେ ଗାଜା ଭିତରକୁ ଖାଦ୍ୟ  ଓ ଇନ୍ଧନ ଯୋଗାଣ ବନ୍ଦ ପାଇଁ ନିଷ୍ପତ୍ତି  ନେଇଥିଲା । ଏହାଦ୍ୱାରା ହମାସ ଦୁର୍ବଳ  ହୋଇଯିବା ନେଇ ଇସ୍ରାଏଲ ସରକାର ଦାବି  କରିଥିଲେ । ତେବେ ଏହା ଯୋଗୁ ସାଧାରଣ  ଜନତା ବି ପ୍ରଭାବିତ ହେଉଛନ୍ତି । ଶନିବାର  ହୋଇଥିବା ଆକ୍ରମଣରେ ଉତ୍ତର ଗାଜାରେ  ଅନେକ କୋଠା ଧ୍ୱଂସ ହୋଇଯାଇଛି ।  ଏଥିରେ ଛୋଟ ପିଲାଙ୍କ ସମେତ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି । 

ଗାଜାରେ ଗତ ୧୯  ମାସ ହେଲା ଜାରି ରହିଥିବା ଯୁଦ୍ଧ ଯୋଗୁ  ୫ ଲକ୍ଷ ଲୋକ ଦୁର୍ଭିକ୍ଷରେ କାଳାତିପାତ  କରୁଛନ୍ତି। ଜାତିସଂଘ ନିଜର ଏକ  ରିପୋର୍ଟରେ କହିଥିଲା କି ଇସ୍ରାଏଲ ଯଦି  କଟକଣା ନ ହଟାଏ, ତେବେ ଗାଜାରେ  ପ୍ରତି ୫ରୁ ଜଣେ ବ୍ୟକ୍ତି କ୍ଷୁଧାର ସମ୍ମୁଖୀନ  ହୋଇପାରନ୍ତି। ୨୧ ଲକ୍ଷ ଲୋକଙ୍କୁ ଅକାଳ  ମରୁଡ଼ିର ସାମ୍ନା କରିବାକୁ ପଡ଼ିପାରେ ।  ବଗଦାଦ୍‌ରେ ଆଜି ଅନୁଷ୍ଠିତ ଆରବ ଲିଗ୍‌  ଶିଖର ସମ୍ମିଳନୀରେ ଯୋଗଦେଇଥିବା  ନେତାମାନେ ତୁରନ୍ତ ଗାଜାରେ ଯୁଦ୍ଧ ବନ୍ଦ  କରିବା ଲାଗି ଦାବି କରିଛନ୍ତି । ୨୦୨୩  ଅକ୍ଟୋବରରୁ ଚାଲିଥିବା ଇସ୍ରାଏଲ-ହମାସ  ଯୁଦ୍ଧରେ ଏ ପର୍ଯ୍ୟନ୍ତ ୬୧ ହଜାରରୁ  ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି ।