ଭୁବନେଶ୍ୱର ୨୨/୦୫: ସମୟ ଥିଲା ପାଶ୍ଚାତ୍ୟ ଦେଶ ଆମକୁ ଉପହାସ କରୁଥିଲେ । ଆମ ରକେଟ୍‌ ପୁରୁଣା ସାଇକେଲରେ ବୁହା ହେଉଥିଲା। ଆଜି ଭାରତ ଅନ୍ତରୀକ୍ଷ କ୍ଷେତ୍ରରେ ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ପାଲଟିଛି । ସବୁ କ୍ଷେତ୍ରରେ ଆମେ ଶିଖରରେ ପହଞ୍ଚିଲେଣି । ତଥାପି ଆହୁରି ଆଗକୁ ଯିବାର ଅଛି । ଦେଶର ସାମାଜିକ ଓ  ଅର୍ଥନୈତିକ ସମସ୍ୟାକୁ ସମାଧାନ କରିବାର ଅଛି । ଏଥିପାଇଁ ସମସ୍ତେ ଜୀବନରେ ମହାନ ଲକ୍ଷ୍ୟ ସ୍ଥିର କରିବା । ଅନ୍ୟ ବିଷୟରେ ଆଲୋଚନା ଛାଡ଼ି ମହାନ ଚିନ୍ତା କରିବା । ଭାରତୀୟ ଅନ୍ତରୀକ୍ଷ ବିଭାଗର  ସଚିବ ତଥା ଇସ୍ରୋର ଅଧ୍ୟକ୍ଷ ଡ. ଭି ନାରାୟଣନ୍‌  ସୋଆ ଛାତ୍ରଛାତ୍ରୀଙ୍କୁ ଏଭଳି ଆହ୍ୱାନ ଦେଇଛନ୍ତି । 

ଡ. ନାରାୟଣନ୍‌ ସୋଆ ବିଶ୍ୱବିଦ୍ୟାଳୟ  ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିବା ସହ  ଦେଶର ଅନ୍ତରୀକ୍ଷ କ୍ଷେତ୍ରର ବିକାଶକୁ ନେଇ ଆଲୋଚନା କରିଥିଲେ । ସେ ପରାମର୍ଶ ଦେଇ  କହିଥିଲେ, ନିଜ ପାଇଁ ପ୍ରଥମେ ଲକ୍ଷ୍ୟ ସ୍ଥିର କର । ସେହି ହିସାବରେ ନିଷ୍ଠାର ସହ କାମ କର। ଯୁବଗୋଷ୍ଠୀଙ୍କ ବିକାଶ ସେମାନଙ୍କ ନିଜ  ଉପରେ ନିର୍ଭର କରୁଛି । ଜ୍ଞାନର କିଛି ସୀମା ନାହିଁ ।  ନିଉଟନଙ୍କ ‘ଲ ଅଫ ମୋସନ୍‌’ ଯଦି ବାହାରକୁ ଆସିନଥାଆନ୍ତା ତାଙ୍କୁ କେହି ଜାଣି ନ ଥାଆନ୍ତେ ।  ଅନ୍ତରୀକ୍ଷ କ୍ଷେତ୍ରରେ ଅନେକ ଟେକ୍ନୋଲୋଜି ଆସିଲାଣି । ଏହା ଏକ ବ୍ୟାପକ ବିଷୟ । ପ୍ରତିଦିନ  ନୂଆ ଉଦ୍ଭାବନ ଓ ନୂଆ ତଥ୍ୟ ଉନ୍ମୋଚନ ହେଉଛି ।  ଏଣୁ ଏଥିରେ ଅଧିକରୁ ଅଧିକ ଗବେଷଣା କରି  ଆଗକୁ ଯିବାର ଅଛି । ଯେତେ ଗବେଷଣା ହେବ  ମାନବ ସମାଜ ସେତେ ଅଧିକ ଲାଭ ପାଇବ ।  ୨୦୩୫ ସୁଦ୍ଧା ଭାରତ ମହାକାଶରେ ନିଜସ୍ୱ ସ୍ପେସ୍‌  ଷ୍ଟେସନ ତିଆରି କରିବ । ଭାରତର ଏବେ ୩ଟି  ଲଞ୍ଚିଂ ଷ୍ଟେସନ ଅଛି । ଆଉ ଏକ ରକେଟ୍‌ ଲଞ୍ଚିଂ  ସାଇଟ୍‌ ତିଆରି ପାଇଁ କାମ ଚାଲିଛି । 

ମହାକାଶ ଗବେଷଣାର ଅର୍ଥ ନୂଆ ସମ୍ଭାବନା ଖୋଜିବା । ମହାଜାଗତିକରେ ନୂଆ ଜୀବନକୁ ସନ୍ଧାନ କରିବା । ଏଥିରେ ସଫଳ ହେଲେ ମାନବ ସମାଜ ପାଇଁ ନୂଆ ଆଶା ତିଆରି ହେବ ।  ମହାକାଶ କ୍ଷେତ୍ରରେ ବିକାଶ ହେଲେ ଶିକ୍ଷା,  ସ୍ୱାସ୍ଥ୍ୟ, ଯୋଗାଯୋଗ, ପ୍ରତିରକ୍ଷା, କୃଷି, ବାଣିଜ୍ୟ  ଓ ବିପର୍ଯ୍ୟୟ ପରିଚାଳନା ଭଳି ଅନେକ କ୍ଷେତ୍ରର  ବିକାଶ ହେବ ବୋଲି ସେ କହିଥିଲେ । 

ମହାକାଶ କ୍ଷେତ୍ରରେ ଭାରତର ସଫଳତା  ବଖାଣି ସେ କହିଥିଲେ, ବିଶ୍ୱର ପ୍ରଥମ ଦେଶ  ଭାବେ ଭାରତର ଚନ୍ଦ୍ରାୟନ-୩ ଯାନ ଚନ୍ଦ୍ରର  ଦକ୍ଷିଣ ପୋଲ୍‌ରେ ପହଞ୍ଚିଛି । ଚନ୍ଦ୍ରରୁ ଭାରତର  ମହାକାଶଯାନ ଯେଉଁ ଫଟୋ ପଠାଇଛି ତାହା ସବୁଠୁ ଉଚ୍ଚମାନର ଫଟୋ । ୧୯୬୯ ମସିହା ଅଗଷ୍ଟ ୧୫ ତାରିଖରେ  ଇସ୍ରୋ ଗଠନ ହେଲା । ସେବେ ନିଲ୍‌ ଆର୍ମଷ୍ଟ୍ରଙ୍ଗ ଚନ୍ଦ୍ରରେ ପାଦ ଦେଇ ସାରିଥିଲେ । ଯେବେ  ଇସ୍ରୋ ଏଲ୍‌କେଜି ଆରମ୍ଭ କରିଥିଲା ସେବେ କିଛି ଦେଶ ପିଏଚ୍‌ଡି କରି ସାରିଥିଲେ ।  ମଣିଷ ଚନ୍ଦ୍ରରେ ପହଞ୍ଚି ସାରିଛନ୍ତି ବୋଲି ସେବେ ଆମ ଦେଶରେ କେହି ବିଶ୍ୱାସ  କରୁନଥିଲେ । ଅନେକ ଶିକ୍ଷିତ ଲୋକେ ବି ଏହାକୁ ଅବିଶ୍ୱାସ ଭାବୁଥିଲେ । ସେବେ ଆମ  ଆଗରେ ଅନେକ ଆହ୍ୱାନ ଥିଲା । ତଥାପି ଆମେ ସବୁକୁ ପାର୍‌ କରି ମହାକାଶ କ୍ଷେତ୍ରରେ  ବହୁ ଆଗରେ ପହଞ୍ଚିଛୁ । ବିକ୍ରମ ସରାଭାଇ ସ୍ପେସ୍‌ ପ୍ରୋଗ୍ରାମ ଆରମ୍ଭ କରିଥିଲେ ।

ଗତ  ୫୦ ବର୍ଷରେ ସଫଳତା କାହାଣୀ ଖୁବ୍‌ ଲମ୍ବା । କମ୍ୟୁନିକେସନ ସାଟେଲାଇଟ୍‌ ଦ୍ୱାରା  ସବୁ ବର୍ଗର ସାଧାରଣ ଲୋକଙ୍କ ପାଖରେ ଟେଲିଭିଜନ ସେବା ପହଞ୍ଚାଇ ପାରିଥିଲା ।  ଏହି ସମୟ ଭିତରେ ୧୩୨ ସାଟେଲାଇଟ୍‌ ଲଞ୍ଚ କରିଛୁ । ଆପ୍ଲିକେସନରେ ମଧ୍ୟ ବ୍ୟାପକ ସଫଳତା ପାଇଛୁ । ୫୦ରୁ ଅଧିକ ଉନ୍ନତମାନର ଆପ୍ଲିକେସନ ପ୍ରସ୍ତୁତ ହୋଇଛି । ଏବେ  ୬ଷ୍ଠ ଜେନେରେସନର ଲଞ୍ଚ ଭେହିକିଲ୍‌ ପ୍ରସ୍ତୁତ କରି ସାରିଲୁଣି । ଏବେ ମୁନ୍‌ ରକେଟ୍‌  କନସିଭ୍‌ କରିବାକୁ ଆମକୁ ମାତ୍ର ୨୭ ଦିନ ଲାଗୁଛି । ଅନ୍ୟ ଦେଶକୁ ଏହା ଦୁଇ ବର୍ଷ  ଲାଗୁଛି । ୩ହଜାର ଟନ୍‌ ଓଜନ ବିଶିଷ୍ଟ ରକେଟ୍‌କୁ ଅନ୍ତରୀକ୍ଷକୁ ପଠାଉଛୁ । 

ଏଥିପାଇଁ  ଅନେକ ଭିତ୍ତିଭୂମି ଜରୁରୀ । ସଫ୍ଟଓୟେର, ଗ୍ରାଉଣ୍ଡ ସେଟମେଣ୍ଟ, କମ୍ୟୁନିକେସନ ଲିଙ୍କ,  ଟେଲିକମାଣ୍ଡ ଲିଙ୍କ ଭଳି ଅନେକ ଟେକ୍ନୋଲୋଜି ଜରୁରୀ । ଏହାକୁ ଆମେ ସ୍ୱଦେଶୀ  ଟେକ୍ନୋଲୋଜିରେ ତିଆରି କରୁଛି । ଦିନ ଥିଲା ଆମର ଅନ୍ତରୀକ୍ଷ ମିଶନ ଆରମ୍ଭ ବେଳେ ଉପହାସ କରୁଥିଲେ । ଏବେ ଆମେ ଅନ୍ତରୀକ୍ଷ ବିକାଶ କ୍ଷେତ୍ରରେ ବିଶ୍ୱର ୯ମ ସ୍ଥାନରେ  ଅଛୁ । ଭାରତ ପ୍ରଥମ ଦେଶ ଯିଏ ଚନ୍ଦ୍ରରେ ପାଣି ଅଣୁ କଣିକା ଚିହ୍ନଟ କରିଛି । ଭାରତ  ଚନ୍ଦ୍ରରୁ ହଜାର ହଜାର ଉଚ୍ଚମାନର ଫଟୋ ଉଠାଇଛି । ଆମ ଚନ୍ଦ୍ରଯାନରେ ଯେଉଁ  କ୍ୟାମେରା ଲାଗିଥିଲା ତାହା ସର୍ବୋତ୍ତମ ଥିଲା । ଚନ୍ଦ୍ରାୟନ-୩ରେ ଭାରତ ପ୍ରଥମ ଦେଶ  ଯିଏ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିଥିଲା । ଆମେ ୩-ଇଞ୍ଜିନ୍‌ ସିଷ୍ଟମ ବିକଶିତ କରିଛୁ ।  ଡିଜିଟାଲ ଷ୍ଟିମୁଲେସନ ଟେକ୍ନୋଲୋଜିରେ ଭାରତ ବିଶ୍ୱରେ ରେକର୍ଡ କରିଛି ।   

ନିଜ ପିଲାବେଳର କଥା ମନେ ପକାଇ ସେ କହିଥିଲେ, ଛୋଟ ବେଳୁ ପାଠପଢ଼ା  ପାଇଁ ବିଶେଷ ସମ୍ବଳ ନଥିଲା । ବହୁ କଷ୍ଟରେ ପାଠ ପଢ଼ି ପଲିଟେକନିକ୍‌ରେ ଡିପ୍ଲୋମା  ପଢ଼ିଥିଲି । ଡିପ୍ଲୋମାରେ ପ୍ରଥମ ର‌୍ୟାଙ୍କ ଆସିଥିଲା । ଦୁଇ ବର୍ଷ ଚାକିରୀ କରିଥିଲି ।  ଏହାପରେ ଆଇଆଇଟି ଖଡ଼ଗପୁରରେ ପଢ଼ିଥିଲି । ସେଠାରେ ପ୍ରଥମ ର‌୍ୟାଙ୍କ  ଆସିଥିଲା । ଅଭିଭାବକ ଓ ଶିକ୍ଷକମାନେ ହିଁ ପ୍ରକୃତ ଭଗବାନ । ସେମାନଙ୍କୁ କେବେ ହତାଦାର କରନ୍ତୁନି ବୋଲି ଡ. ନାରାୟଣନ୍‌ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ।   

ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପିକେ ନନ୍ଦ, ଆଇଆଇଟି  ଖଡ଼ଗପୁର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ଏନଆଇଟି  ରାଉରକେଲାର ପୂର୍ବତନ ନିର୍ଦ୍ଦେଶକ ଡ. ସୁନୀଲ ଷଡ଼ଙ୍ଗୀ, ଅତିରିକ୍ତ ଡିନ୍‌ ରେଣୁ ଶର୍ମା,  ସୋଆ ଛାତ୍ରମଙ୍ଗଳ ଡିନ୍‌ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।