ପୁରୀ, ୨୨/୦୫: ପ୍ରଚଣ୍ଡ ତାତି ଓ  ଗୁଳୁଗୁଳିରେ ଚାଲିଛି ରଥ ନିର୍ମାଣ । ରଥ ଖଳାରେ କିଛି ଫ୍ୟାନ୍‌ ଲାଗିଥିଲେ ମଧ୍ୟ  ଯଥେଷ୍ଟ ହେଉନି । ତଥାପି ସକାଳ ୮ଟାରୁ  ସନ୍ଧ୍ୟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ କାର୍ଯ୍ୟରେ  ନିୟୋଜିତ ନିର୍ମାଣକାରୀ । ବୁଧବାର  ରଥତ୍ରୟର ଚକ, ଚଉତା, ନିରାଡ଼ି, ଖମ୍ବୀ ଓ  ଗୁଜ ତିଆରି ଚାଲିଛି । ଭଉଁରି ପରେ ଗୟଳ  ନିର୍ମାଣ ଆରମ୍ଭ ହେବା କଥା । ହେଲେ କାଠ  ଅଭାବ ରହିଛି । ଏଣୁ ଅଖ, ଗୟଳ ଓ ଦଣ୍ଡା  ନିର୍ମାଣ ପାଇଁ ୪୦ ଫୁଟିଆ କାଠକୁ ଅପେକ୍ଷା କରିଛନ୍ତି ରଥ ନିର୍ମାଣକାରୀ ।  

ରଥର ଗୁଜ ଉପରେ ରହିବ ନିରାଡ଼ି । ରଥ ଚାରି ପାର୍ଶ୍ବକୁ  ଲୋଡ଼ା ଚାରି  ନିରାଡ଼ି । ତିନି ରଥର ୧୨ଟି ନିରାଡ଼ି ନିର୍ମାଣ  ଚାଲିଛି । ରଥ ଖଳାରେ ଭୂଇଁର ଚଉତା  କାଠ ତିଆରି ଚାଲିଛି । ପ୍ରତି ରଥର ୧୨ଟି  ଚଉତା କରି ମୋଟ ୩୬ ଚଉତା କାଠ  ପ୍ରସ୍ତୁତ ହୋଇଥାଏ । ରଥ ଅମିନ ଲକ୍ଷ୍ମଣ  ମହାପାତ୍ରଙ୍କ ପରାମର୍ଶକ୍ରମେ ଭୋଇ ସର୍ଦ୍ଦାର  ରବି ଭୋଇଙ୍କ ତତ୍ତ୍ୱାବଧାନରେ ଭୋଇ  ସେବକମାନେ ଚଉତା କାଠ ରଥଖଳାକୁ  ଯୋଗାଇଛନ୍ତି । ଏଥିସହ ଆଜି ତିନୋଟି  ଅଖ କାଠ ରଥ ଖଳାକୁ ଯୋଗାଯାଇଛି ।  ଚକ ତିଆରି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୪୨ ଚକରୁ ପ୍ରାୟ ୩୨ ଚକ  ନିର୍ମାଣ ସରିଛି । କରତକଳରୁ ପହି ଆସିଲେ ବାକି ଚକ ପ୍ରସ୍ତୁତ ହେବ ।  

ରୂପକାରମାନେ ଗୁଜ ନିର୍ମାଣରେ ନିମଗ୍ନ । ମୁଗୁର ଓ ନିହଣ ମୁନରେ ଚାଲିଛି  ସିଂହବିରାଳ ମୂର୍ତ୍ତି ଖୋଦେଇ । ନୃସିଂହ ଜନ୍ମ  ଅବସରରେ ଶ୍ରୀନୃସିଂହଙ୍କୁ ଆବାହନ କରି କାର୍ଯ୍ୟ ଆରମ୍ଭ ହୋଇଥିଲା । ସେବେଠାରୁ  ତିନି ରଥର ରୂପକାରମାନେ ଗୁଜରେ ଖୋଦେଇ ଲାଗିଛନ୍ତି । ଗୁଜରେ ପଲିସ କାର୍ଯ୍ୟ ଜାରି ରହିଛି । ଦୋଳବେଦିରେ ତିନି ରଥ ପାଇଁ ସ୍ୱତନ୍ତ୍ର ୩ଟି ଶାଳରେ ପ୍ରସ୍ତୁତ ହେଉଛି ଲୌହ ସାମଗ୍ରୀ । ଓଝା ସେବକମାନେ ଦଣ୍ଡା କଣ୍ଟା, ଗୟଳ କଣ୍ଟା  ଓ ପନ୍ଦାରି ବଳା ଆଦି ପ୍ରସ୍ତୁତ କରୁଛନ୍ତି ।  କରତି ସେବକମାନେ ମେସିନ୍‌ ସାହାଯ୍ୟରେ  ସିଙ୍ଗଡ଼ାରେ ଅଖ ବିନ୍ଧ ଜାରି ରଖିଛନ୍ତି ।