ପୁରୀ,୨୨/୦୫: ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଖୁବ୍‌ କମ୍‌ ଦିନ ବାକି ।  ଏଥିନିମନ୍ତେ ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳିକୁ ମିଳିଲା ଛତିଶା ନିଯୋଗର ଅନୁମୋଦନ । ବୁଧବାର  ଶ୍ରୀମନ୍ଦିର କାର୍ଯ୍ୟାଳୟ ମୁଖ୍ୟ ପ୍ରଶାସନ  ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ  ନୀଳାଦ୍ରି ନିବାସ ସଭାକକ୍ଷରେ ବସିଥିବା  ବୈଠକରେ ଏହି ଅନୁମୋଦନ ମିଳିଛି ।  

ଚଳିତବର୍ଷ ହୋଇଥିବା ବ୍ୟବସ୍ଥାରେ  ପୂର୍ବାପେକ୍ଷା ସାମାନ୍ୟ ପରିବର୍ତ୍ତନ ହୋଇଛି ।  ଶୃଙ୍ଖଳିତ ପହଣ୍ଡି ଉପରେ ବିଶେଷ ଗୁରୁତ୍ୱ  ଦିଆଯାଇଛି । ପହଣ୍ଡି ସମୟରେ ରହିବେ  କେବଳ ନିର୍ଦ୍ଦିଷ୍ଟ ତଥା ଆବଶ୍ୟକୀୟ  ସଂଖ୍ୟକ ସେବାୟତ । ପହଣ୍ଡିର ଉତ୍ତମ  ତଦାରଖ ପାଇଁ ପ୍ରତ୍ୟେକ ବିଗ୍ରହଙ୍କ  ପାଇଁ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀ  ଦାୟିତ୍ୱରେ ରହିବେ । ଶ୍ରୀମନ୍ଦିର ପୁଲିସ  ମଧ୍ୟ ଏଥିରେ ସହଯୋଗ କରିବେ । ବରିଷ୍ଠ  ଅଧିକାରୀ, ଭୋଇ, ତତ୍ତ୍ୱାବଧାରକ ପ୍ରମୁଖ  ଚାରମାଳ ସମୀକ୍ଷା ଓ ନିରୀକ୍ଷଣ ଦାୟିତ୍ୱରେ  ରହିବେ । ଅଘଟଣ ଏଡ଼ାଇବା ନିମନ୍ତେ  ଏପରି ପଦକ୍ଷେପ ନିଆଯାଇଛି ବୋଲି  ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।  ସେହିପରି ସ୍ନାନ ପୂର୍ଣ୍ଣିମାରେ ଶୃଙ୍ଖଳିତ ଜଳ  ଲାଗି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । 

ବୈଠକ ପରେ ମୁଖ୍ୟ ପ୍ରଶାସକ  ଗଣମାଧ୍ୟମକୁ କହିଥିଲେ, ଗତବର୍ଷ ଆଡ଼ପ  ପହଣ୍ଡି ବେଳେ ମହାପ୍ରଭୁ ବଡ଼ଠାକୁର  ପଡ଼ିଯିବା ଘଟଣା ଅଘଟଣ ନୁହେଁ ଏହାକୁ  ଦୁର୍ଘଟଣା କୁହାଯିବ । ଏଭଳି ଦୁର୍ଘଟଣା  ଏଡ଼ାଇବାକୁ ବରିଷ୍ଠ ସେବାୟତମାନେ  ବିଭିନ୍ନ ପ୍ରସ୍ତାବ ରଖିଥିଲେ । ଏହାକୁ  ଦୃଷ୍ଟିରେ ପ୍ରଶାସନ ମଧ୍ୟ ପଦକ୍ଷେପ ନେବାକୁ  ନିଷ୍ପତ୍ତି ନେଇଛି । ବୈଠକରେ ଜିଲ୍ଲାପାଳ  ତଥା ଶ୍ରୀମନ୍ଦିର କାର୍ଯ୍ୟାଳୟ ଉପମୁଖ୍ୟ  ପ୍ରଶାସକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସ୍‌ପି  ବିନୀତ୍‌ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।