ନୂଆଦିଲ୍ଲୀ, ୬।୧୧: ମଙ୍ଗଳଯାନର ଐତିହାସିକ ସଫଳତାର ୧୨ ବର୍ଷ ପରେ, ମଙ୍ଗଳଯାନ-୨ମିଶନକୁ ନେଇ ବଡ଼ ଘୋଷଣା କରିଛି ଇସ୍ରୋ । ଇସ୍ରୋ ଏବେ 'ମଙ୍ଗଳାଯାନ-୨' ଉପରେ କାମ କରୁଛି । ଇସ୍ରୋ ଅଧ୍ୟକ୍ଷ ଡକ୍ଟର ଭି ନାରାୟଣନ ଏକ ଘୋଷଣା କରିଥିଲେ, ଯେଉଁଥିଲେ ସେ କହିଥିଲେ ଏହି ମିଶନ ୨୦୩୦ରେ ହେବ ଏବଂ ଏହା ମଙ୍ଗଳ ପୃଷ୍ଠରେ ସଫ୍ଟ-ଅବତରଣ କରିବାର ଭାରତର ପ୍ରଥମ ପ୍ରୟାସ ହେବ । ଚନ୍ଦ୍ରଯାନ-୩, ଆଦିତ୍ୟ-L1 ଏବଂ ନିସାର ଭଳି ଅନ୍ୟାନ୍ୟ ଆନ୍ତର୍ଜାତୀୟ ମିଶନର ସଫଳତା ପରେ ବିଶ୍ୱବ୍ୟାପୀ ମହାକାଶ ମିଶନରେ ଆଉ ପାଦେ ଆଗେଇଛି ଭାରତ । ପ୍ରଥମ ମଙ୍ଗଳଯାନ ୫ ୫ ନଭେମ୍ବର ୨୦୧୩ରେ ଉତ୍କ୍ଷେପଣ କରାଯାଇଥିଲା । ଯାହା ଅନ୍ତର୍ଜାତୀୟ ଖବରକାଗଜର ଶିରୋନାମା ପାଲଟିଥିଲା । ଏହା ମଙ୍ଗଳ ଗ୍ରହର କକ୍ଷପଥରେ ପହଞ୍ଚିବା ପ୍ରଥମ ଏସୀୟ ରାଷ୍ଟ୍ର ଥିଲା । ପ୍ରଥମ ମଙ୍ଗଳ ପ୍ରୟାସରେ ସଫଳ ହୋଇଥିବା ବିଶ୍ୱର ପ୍ରଥମ ଦେଶ ହେଉଛି ଭାରତ । ଏହି ମିଶନ ଉପରେ ୭ ବର୍ଷରୁ ଅଧିକ ସମୟ ଧରି କାମ ଜାରି ରହିଥିଲା ।
ମଙ୍ଗଳୟାନ-ର ଲକ୍ଷ୍ୟ କ’ଣ ? ମଙ୍ଗଳଯାନ-୨ ମଙ୍ଗଳ ଗ୍ରହରେ ଭାରତର ପ୍ରଥମ ଅବତରଣ ଚେଷ୍ଟା କରିବ ବୋଲି ଆଶା କରାଯାଉଛି । ଏହି ମିଶନ ସଫଳ ହେବା ପରେ ଅର୍ବିଟର-ବାୟୁମଣ୍ଡଳୀୟ ଏବଂ ପୃଷ୍ଠ ଅଧ୍ୟୟନ ସହଜ ହେବ । ଇସ୍ରୋ ଅଧିକାରୀମାନେ କହିଛନ୍ତି, "ମଙ୍ଗଳାଯାନ-୨ କେବଳ ମଙ୍ଗଳ ଗ୍ରହକୁ ପରିକ୍ରମା କରିବା ପାଇଁ ନୁହେଁ ବରଂ ଅନ୍ୟ ଗ୍ରହରେ ଭାରତର ପ୍ରଥମ ସଫ୍ଟ ଅବତରଣକୁ ସକ୍ଷମ କରିବା ପାଇଁ ଡିଜାଇନ୍ କରାଯାଉଛି ।" ଣିଶନ ପାଇଁ ପ୍ରାରମ୍ଭିକ ଡିଜାଇନ୍ କାର୍ଯ୍ୟ ଆରମ୍ଭ ହୋଇଛି । ଯଦି ଇସ୍ରୋର ଏହି ମିଶନ ସଫଳ ହୁଏ, ତେବେ ଭାରତ ମଙ୍ଗଳ ଗ୍ରହରେ ଅବତରଣ ହାସଲ କରିଥିବା ଦେଶମାନଙ୍କ ତାଲିକାରେ ସାମିଲ ହେବ । ପୂର୍ବରୁ ଯୁକ୍ତରାଷ୍ଟ୍ର ଆମେରିକା, ଚୀନ୍, ପୂର୍ବତନ ସୋଭିଏତ୍ ୟୁନିଅନ୍ ଏହି ତାଲିକାରେ ସାମିଲ ।