ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)କୁ ମିଳିଛି ବଡ଼ ସଫଳତା । ଇସ୍ରୋର PSLV C-59 ରକେଟ୍‌ ଗୁରୁବାର ଐତିହାସିକ ଉଡ଼ାଣ ଭରିଛି । ଏହି ରକେଟ ୟୁରୋପୀୟ ମହାକାଶ ଏଜେନ୍ସିର ‘ପ୍ରୋବା-୩’ ମିଶନର ସଫଳ ଉତକ୍ଷେପଣ କରିଛି । ପିଏସଏଲଭି ରକେଟ୍‌ ୟୁରୋପର ପ୍ରୋବା-୩କୁ ସଫଳତାର ସହ ପୃଥିବୀ କକ୍ଷପଥରେ ପହଞ୍ଚାଇ ଦେଇଛି । 

 ଇଏସଏର ଏହି ସ୍ପେଶକ୍ରାଫ୍ଟ ପୃଥିବୀ କକ୍ଷରେ ପହଞ୍ଚିବା ପରେ ଖୁସିରେ ଝୁମି ଉଠିଛି ବେଙ୍ଗାଲୁରୁରେ ଥିବା ଇସ୍ରୋ କାର୍ଯ୍ୟାଳୟ । ଶ୍ରୀହରିକୋଟାର ମିଶନ କମାଣ୍ଡ ସେଣ୍ଟର ତାଳିମାଡ଼ରେ ପ୍ରକମ୍ପିତ ହୋଇଛି । ଉତ୍‌କ୍ଷେପଣ କାର୍ଯ୍ୟକ୍ରମରେ ସାମିଲ ଥିବା ସବୁ ବୈଜ୍ଞାନିକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଇସ୍ରୋର ଅଧ୍ୟକ୍ଷ ଏସ୍‌. ସୋମନାଥ । ଇସ୍ରୋ ପକ୍ଷରୁ ଟ୍ବିଟ୍‌ କରି କୁହାଯାଇଛି ଯେ, ‘ୟୁରୋପୀୟ ସ୍ପେସ୍‌ ଏଜେନ୍ସିର ସାଟେଲାଇଟ୍‌କୁ ଧାର୍ଯ୍ୟ କକ୍ଷରେ ପହଞ୍ଚାଇ ଦିଆଯାଇଛି ।’ 




ଏହି ଉତକ୍ଷେପଣ ବୁଧବାର ହେବାର ଥିଲା । କିନ୍ତୁ ବୈଷୟିକ ତ୍ରୁଟି ଯୋଗୁଁ ଗୁରୁବାର ପ୍ରୋବା-୩ର ଉତ୍‌କ୍ଷେପଣ ଲାଗି ସମୟ ଧାର୍ଯ୍ୟ କରିଥିଲା ଇସ୍ରୋ । ଏହି ମିଶନ ଭାରତ ଏବଂ ୟୁରୋପ ମିଳିତ ଭାବେ କରିଛନ୍ତି । ସୂଚନାଯୋଗ୍ୟ, ସୂର୍ଯ୍ୟଙ୍କ ବିଷୟରେ ଅଧିକ ଅଧ୍ୟୟନ କରିବା ଲାଗି ପ୍ରୋବା-୩ ମିଶନ ଆରମ୍ଭ ହୋଇଛି । ଏହି ମିଶନରେ ଦୁଇଟି ସାଟେଲାଇଟ୍‌ ପୃଥିବୀର କକ୍ଷକୁ ଯାଇଛି ।

 ସୂର୍ଯ୍ୟଙ୍କ ବାହ୍ୟ ବାତାବରଣ ‘କୋରୋନା’ ସଂପର୍କରେ ଅଧିକ ତଥ୍ୟ ଯୋଗାଡ଼ କରିବ ଏହି ସାଟେଲାଇଟ୍‌ ।  ଏହା ଦ୍ବାରା ସେପ୍ଟେମ୍ବର ୨୦୨୩ରେ ଇସ୍ରୋ ଲଞ୍ଚ କରିଥିବା ଆଦିତ୍ୟ ଏଲ-୧ ମିଶନ୍‌କୁ ମଧ୍ୟ ସହାୟତା ମିଳିପାରିବ ବୋଲି କୁହାଯାଉଛି ।